କାକଟପୁର : ଓଡ଼ିଶାର ପ୍ରଥମ ମନ୍ୟୁଷକୃତ କୋଣାର୍କ ବାଲୁଖଣ୍ଡ ଅଭୟାରଣ୍ୟରେ ବିରଳ କୃଷ୍ଣସାର ମୃଗ ବା ବ୍ଲାକ ବକ ହରିଣ ପ୍ରକଳ୍ପର ପୁନଃ ସମ୍ପ୍ରସାରଣ ନିମନ୍ତେ ରାଜ୍ୟ ସରକାରଙ୍କ ପରିବେଶ ଓ ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ଏକ ସ୍ୱତନ୍ତ୍ର ଯୋଜନା ଅନୁଯାୟୀ ଗତକାଲି ବିଳମ୍ବିତ ରାତ୍ରିରେ ନନ୍ଦନକାନନ ଚିଡ଼ିଆଖାନାରୁ ଅଣାଯାଇଥିବା ୧୦ ଟି ବିରଳ କୃଷ୍ଣସାର ମୃଗଙ୍କୁ କାକଟପୁର ବ୍ଲକ କୁରୁଜଙ୍ଗ ପଞ୍ଚାୟତ ଅନ୍ତର୍ଗତ କୋଣାର୍କ ବାଲୁଖଣ୍ଡ ଅଭୟାରଣ୍ୟରେ ଛଡ଼ାଯାଇଛି । ଏମାନଙ୍କ ମଧ୍ୟରେ ୬ଟି ଫିମେଲ ଓ ୪ଟି ମେଲ କୃଷ୍ଣସାର ମୃଗଙ୍କୁ ଅଭୟାରଣ୍ୟର କୁରୁଜଙ୍ଗ ଇଡିସି ଅଧୀନରେ ଥିବା 30 ହେକ୍ଟର ଜଙ୍ଗଲ ଜମି ରେ ନିର୍ମାଣ କରାଯାଇଥିବା ଏନକ୍ଲୋଜର ମଧ୍ୟରେ ସ୍ୱତନ୍ତ୍ର ଭାବେ ସଂଗରୋଧ ସ୍ଥାନରେ ଛଡାଯାଇଛି । ସଂଗରୋଧରେ ଏକ ମାସ ରହିବା ପରେ ଏହି ମୃଗ ମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଯାଞ୍ଚ କରାଯାଇ ପ୍ରଥମେ ଏନକ୍ଲୋଜରରେ ପରେ ଅଭ୍ୟାରଣ୍ୟରେ ଛଡା ଯିବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି । ତେବେ ସଂଗରୋଧ ସମୟରେ ଏକ ସ୍ୱତନ୍ତ୍ର ଟିମ ଏହି ମୃଗ ମାନଙ୍କ ଉପରେ ନଜର ରଖିବେ । ଏହି ଯୋଜନା ସଫଳ ହେଲେ କୃଷ୍ଣସାର ମୃଗଙ୍କ ବଂଶବୃଦ୍ଧି ନିମନ୍ତେ ପରବର୍ତ୍ତୀ ସମୟରେ ଅଧିକ ସଂଖ୍ୟାରେ ଏହି ପ୍ରଜାତିର ମୃଗ ବାଲୁଖଣ୍ଡ ଅଭୟାରଣ୍ୟରେ ଛଡ଼ାଯିବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି ।କୁରୁଜଙ୍ଗ ର କୋଣାର୍କ ବାଲୁଖଣ୍ଡ ଅଭୟାରଣ୍ୟରେ ବିଲୁପ୍ତ ହୋଇଥିବା ଏହି ପ୍ରଜାତିର କୃଷ୍ଣସାର ମୃଗଙ୍କ ପୁନଃ ଆଗମନ ଅଭୟାରଣ୍ୟର ସୌନ୍ଦର୍ଯ୍ୟ ବୃଦ୍ଧିରେ ସହାୟକ ହେବ ଓ ରାଜ୍ୟ ସରକାର ଙ୍କ ଏଭଳି ନିଷ୍ପତି କୁ ପରିବେଶବିତ୍ତ ସ୍ୱାଗତ କରିଛନ୍ତି