ବ୍ୟୁରୋ: ରାଜ୍ୟରେ କଲବଲ କରୁଛି ତାତି । ପ୍ରଚଣ୍ଡ ଖରା ଏବଂ ଅସହ୍ୟ ଗୁଳୁଗୁଳି କାରଣରୁ ହନ୍ତସନ୍ତ ହେଉଛନ୍ତି ରାଜ୍ୟବାସୀ । ଏହାରି ଭିତରେ ରାଜ୍ୟରେ ଏହି ତାତିରୁ ନିସ୍ତାର ମିଳିବନି ବୋଲି ଜଣାପଡିଛି । ଆଗାମୀ ୪ ଦିନ ଯାଏ ପଶ୍ଚିମରେ ଡହଡହ ଖରା ଓ ଉପକୂଳରେ ଅସହ୍ୟ ଗରମ ଓ ଗୁଳୁଗୁଳିରୁ ମିଳିବନି ତ୍ରାହି । ୨ ଦିନ ଯାଏ ପାଗରେ ବିଶେଷ ପରିବର୍ତନ ହେବାର ସମ୍ଭାବନା ନାହିଁ । ଏହାପରେ ଧିରେଧିରେ ତାପମାତ୍ରା ୨ରୁ ୪ ଡିଗ୍ରୀ ସେଲସିୟସ ବୃଦ୍ଧି ପାଇବ । ଅନ୍ୟପଟେ ଗ୍ରୀଷ୍ମଲହରୀ ନେଇ ପଶ୍ଚିମ ଓଡିଶାର କିଛି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ଭୁବନେଶ୍ୱର ପାଣିପାଗ କେନ୍ଦ୍ର । ବଲାଙ୍ଗୀର, ନୂଆପଡା, ବରଗଡ, ଝାରସୁଗୁଡା, ସୁନ୍ଦରଗଡ ଓ ମୟୁରଭଞ୍ଜ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି । ୪ଦିନ ଯାଏ ରାଜ୍ୟର ଅଧିକାଂଶ ଅଞ୍ଚଳରେ ଉଷ୍ମ ଓ ଆର୍ଦ୍ର ବାୟୁ ପ୍ରଭାବ ରହିବ । ଏହାଫଳରେ ପ୍ରବଳ ଗରମ ଓ ଗୁଳୁଗୁଳି ହେବାର ସମ୍ଭାବନା ରହିଛି । ଏନେଇ ବିଭିନ୍ନ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ସେହିପରି ଏହି ସମୟ ମଧ୍ୟରେ କାଳବୈଶାଖୀର ପ୍ରଭାବ ମଧ୍ୟ ରହିବ । ଆଜି କୋରାପୁଟ, ମାଲକାନଗିରି, ରାୟଗଡା ଓ ନବରଙ୍ଗପୁରର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ନେଇ ଚେତାବନୀ ଜାରି ହୋଇଛି ।