ବରପାଲିର ପ୍ରସିଦ୍ଧ ଶୀତଳ ଷଷ୍ଠୀ ଯାତ୍ରା ଆସନ୍ତା କାଲି ଆରମ୍ଭ ହେବ। ଜୋରଦାର ପ୍ରସ୍ତୁତିରେ ଲାଗିପଡିଛନ୍ତି ଷଷ୍ଠୀ କମିଟି। ବିଜ୍ଞ ସମ୍ପାଦନା ମଣ୍ତଳୀଙ୍କୁ ‘ରୁଦ୍ରଜ୍ୟୋତି' ନାମରେ ଷଷ୍ଠୀ ସ୍ମରଣିକା ସମ୍ପାଦନା ଦାୟିତ୍ୱ ଦିଆଯାଇଛି। ବହୁ ବିଶିଷ୍ଟ ଲେଖକଙ୍କ ଲେଖାଗୁଡିକୁ ଦୀର୍ଘ ଏକ ମାସ ପୂର୍ବରୁ ସଂଗ୍ରହ କରିବା ସହ ତାକୁ ସଂପାଦନା କରାଯାଇଛି। ସ୍ମରଣିକା କମିଟି ଆବାହକ ଅଧ୍ୟାପକ ଅରୁଣ ପଣ୍ଡାଙ୍କ ତତ୍ତ୍ୱାବଧାନରେ ଡ. ଶୁକମୁନି ମେହେର, ଅଶୋକ ପଣ୍ଡା, ସୁଧୀର ଗଡ଼ତିଆ, ଧର୍ମେନ୍ଦ୍ର ପୂଜାରୀ ଓ ବିଭୁଦତ୍ତ ପଧାନ ଏହି କାମ ସମ୍ପାଦନ କରୁଛନ୍ତି।

ବିଭିନ୍ନ ମେଢ଼ ପାଇଁ ପରଭା କାମ ଭଣ୍ଡାର ଗୃହ ନିକଟ ସମଲେଶ୍ବରୀ ଏମ.ଇ ସ୍କୁଲରେ କରାଯାଉଛି। ଏଠାରେ ମୁଖ୍ୟତଃ ବଡ଼ ପରଭା, ବିବାହ ପରଭା ଓ ଭୈରବ ପରଭା କାମ ଚାଲିଛି । ଅତି ସୁନ୍ଦର ଓ ମନଲୋଭା କିପରି ଦେଖାଯିବ ସେନେଇ ତାମଡ଼ା, ଲେସ ଓ ଥର୍ମୋକୁଲରେ ତିଆରି କରାଯାଉଛି। ଏଥିରେ ନବୀନ ସାହୁ, ପ୍ରଦୀପ ସାହୁ, ପ୍ରତାପ ସାହୁ, ଅଜିତ ସାହୁ, ରବୀନ୍ଦ୍ର ସାହୁ, ସନ୍ତୋଷ ସାହୁ, ବିଦ୍ୟା ରାୟ ପ୍ରମୁଖ ବହୁ ପରଭା କାରିଗର ନିଜର କଳା ପ୍ରଦର୍ଶନ କରିଛନ୍ତି। ସେହିପରି ପାର୍ଶ୍ଵ ଦେବାଦେବୀଙ୍କ ପ୍ରତିମାକୁ ଶିଳ୍ପୀ ନିମାଇଁ ମେହେର ଜୀବନ୍ତ ରୂପ ଦେବାକୁ ପ୍ରୟାସ ଚଳେଇଛନ୍ତି।

ଅନ୍ୟ ପଟେ କଳାକୁଞ୍ଜ ପାଇଁ ବିଭିନ୍ନ ପ୍ରକାର ମୂର୍ତ୍ତି ନିର୍ମାଣ କାର୍ଯ୍ୟରେ ବ୍ୟସ୍ତ ଅଛନ୍ତି ମୂର୍ତ୍ତି କାରିଗର ତଥା ରଣା ପରିବାରର ମୁଖ୍ୟ ଶଙ୍କର ରଣା, ମହେନ୍ଦ୍ର ରଣା ଓ ପିଙ୍କୁ ରଣା। ମୂର୍ତ୍ତି ତିଆରି କରୁଛନ୍ତି। ଏ ବର୍ଷ ଶୀତଳ ଷଷ୍ଠୀ ମହୋତ୍ସବ ଅନନ୍ୟ ସୌନ୍ଦର୍ଯ୍ୟଭରା ହେବ ବୋଲି ଶ୍ରୀ ରଣା କହିଛନ୍ତି ।

ଯାତ୍ରାର ଅନ୍ୟ ଏକ ମୁଖ୍ୟ ଆକର୍ଷଣ ଥାଏ ତାରକାସୁରର ଦରବାର। ଚଳିତ ବର୍ଷ ପୋଖତ କଳାକାର ଗୋଲାପ ଦାଶ ତାରକାସୁରର ଭୂମିକାରେ ଅଭିନୟ କରୁଥିବାରୁ ସେ ମଧ୍ୟ ତାଙ୍କ ରିହାସେଲ ଜାରି ରଖୁଛନ୍ତି । ଚଳିତ ବର୍ଷ ଯାତ୍ରାର ମନୋରଞ୍ଜନ କାର୍ଯ୍ୟକ୍ରମର ମୁଖ୍ୟ ମଞ୍ଚ ନଟରାଜ ମହୋତ୍ସବ ଗଙ୍ଗାଧର କ୍ଲବ ପରିସରରେ ପରିବର୍ତ୍ତେ ଖେଳ ଓଡ଼ିଆରେ ଅନୁଷ୍ଠିତ ହେବ। ଏଥିରେ ରାଜ୍ୟ ଓ ରାଜ୍ୟ ବାହାର ସାଂସ୍କୃତିକ ଦଳ ତାଙ୍କ ମନୋରଞ୍ଜନ କାର୍ୟ୍ୟକ୍ରମ ପରିବେଷଣ କରିବେ । ପୂର୍ବ ବର୍ଷ ଅପେକ୍ଷା ଚଳିତ ବର୍ଷ ଆକର୍ଷଣୀୟ ହେବ ବୋଲି କମିଟି ପକ୍ଷରୁ ସୂଚନା ଦିଆଯାଇଛି ।

ଚଳିତ ବର୍ଷ ଶିବାଜୀ କ୍ଲବ୍ ଶୈବ ଭକ୍ତବୃନ୍ଦ ମା ପାର୍ବତୀଙ୍କୁ ଜନ୍ୟା ରୂପରେ ଗ୍ରହଣ କରିଛନ୍ତି । ତେଣୁ ଶିବାଜୀ କ୍ଲବ୍ ହୀମାଦ୍ରି ନଗର ହେବ। ସେଠାରେ ମଣ୍ଡପ ନିର୍ମାଣ ତିଆରି ଚାଲିଛି। ଏବେଠୁ ସମଗ୍ର ବରପାଲିରେ ଯାତ୍ରାର ବାତାବରଣ ସୃଷ୍ଟି ହେଲାଣି । ଅନେକ ଘରକୁ କୁଣିଆଙ୍କ ସମାଗମ ଆରମ୍ଭ ହୋଇଗଲାଣି। ପାଗ ଅନୁକୂଳ ରହିଲେ ଏ ବର୍ଷ ଯାତ୍ରା ପୂର୍ବ ବର୍ଷ ଅପେକ୍ଷା ଅଧିକ ଆକର୍ଷଣୀୟ ହେବ ବୋଲି ଯାତ୍ରା କମିଟି ସଭାପତି ଆନନ୍ଦ ବାବୁ ପ୍ରକାଶ କରିଛନ୍ତି।