<h3>ନଦୀର ସହର ସୁବର୍ଣ୍ଣପୁରରେ ଏବେ ବର୍ଷୁଛି ନିଆଁ । ସୂର୍ଯ୍ୟଙ୍କ ପ୍ରକୋପରେ ହନ୍ତ ସନ୍ତ ଜିଲ୍ଲାବାସୀ । ପ୍ରବଳ ଖରା ସାଙ୍ଗକୁ ଅସହ୍ୟ ଗୁଳୁଗୁଳି ସାଧାରଣ ଲୋକଙ୍କୁ କରିଛି ଅସ୍ତବ୍ୟସ୍ତ । ତା ସାଙ୍ଗକୁ କଲବଲ କରୁଛି ଅଘୋଷିତ ବିଦ୍ୟୁତ କାଟ । ଫଳରେ ନା ଘରେ ରହି ହେଉଛି ନା ବାହାରେ ।</h3> <h3>କଲବଲ କରୁଛି ତାତି । ଛଟପଟ ଜନ ସାଧାରଣ । ଆକାଶରୁ ସତେ ଯେପରି ଖରା ନୁହେଁ ବର୍ଷୁଛି ନିଆଁ । ତା ସହିତ ଅସହ୍ୟ ଗୁଳୁଗୁଳି । ଜନ ଜୀବନ ଅସ୍ତବ୍ୟସ୍ତ ହୋଇ ପଡିଛି । ନା ବାହାରକୁ ବାହାରି ହେଉଛି ନା ଘରେ ରହି ହେଉଛି । ତେବେ ବେଶୀ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସାଧାରଣ ଲୋକ । କିଛି ଦିନର ବ୍ୟବଧାନ ପରେ ଗତ କିଛି ଦିନ ହେବ ସୁବର୍ଣ୍ଣପୁର ଜିଲ୍ଲାର ତାପମାତ୍ରା ୪୬ ଡିଗ୍ରୀ ଉପରେ ରେକର୍ଡ କରାଯାଇଥିବାବେଳେ ଆଜି ମଧ୍ୟ ପାରଦ ଉପର ମୁହାଁ ଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନ ଦିଆଯାଇଛି । ତେବେ ଏଭଳି ତାପମାତ୍ରା ଜାରି ରହିଲେ ମାନବ ସମାଜ ସହିତ ପଶୁ ପକ୍ଷୀମାନେ ମଧ୍ୟ ଅସୁବିଧା ଭୋଗ କରିବେ ବୋଲି କହିଛନ୍ତି ଜିଲ୍ଲାବାସୀ ।</h3> <h3>ଶୁଖିଲା ନଦୀ ଓ କଂକ୍ରୀଟ କରଣ ସାଙ୍ଗକୁ ଜିଲ୍ଲାରେ ଜଙ୍ଗଲ ସ୍ଥିତି ଉଦବେଗଜନକ । ବର୍ତ୍ତମାନ ଜିଲ୍ଲାରେ ମାତ୍ର ୧୮ ପ୍ରତିଶତ ଜଙ୍ଗଲ ଥିବାବେଳେ ନୁତନ ଜଙ୍ଗଲ ସୃଷ୍ଟି ହେଉନାହିଁ । ତା ସାଙ୍ଗକୁ ଘରେ ଘରେ ଲାଗିଥିବା ଏସିର ରେଡିଏସନ ତାତି ବଢାଉଥିବା ଅନୁମାନ କରିଛନ୍ତି ଲୋକେ । ଅନ୍ୟପଟେ ପ୍ରକୃତିକ ଜଳସ୍ରୋତ ସବୁ ଶୁଖିଲା ପଡିଥିବାରୁ ତାପମାତ୍ର ବୃଦ୍ଧି ପାଉଥିବା ଅନୁମାନ କରାଯାଉଛି । ତେବେ ବିଦ୍ୟୁତ ବିଭାଗର ମନମାନୀ ସହିତ ଅଘୋଷିତ ବିଦ୍ୟୁତ କାଟ ଲୋକଙ୍କ ଦୁଃଖକୁ ଦ୍ବିଗୁଣିତ କରି ପକାଉଛି । ଏଥିପାଇଁ ପ୍ରସାଶନ ପକ୍ଷରୁ ଆବଶ୍ୟକୀୟ ପଦକ୍ଷେପ ନେବାକୁ ଦାବି କରିଛନ୍ତି ଜନସାଧାରଣ ।</h3> <h3>ଏବେ ଜଳୁଛି ସୁବର୍ଣ୍ଣପୁର । ଆଗକୁ ତାତି ବଢିବା ନେଇ ଆକଳନ କରିଛି ପାଣିପାଗ ବିଭାଗ । ତେବେ ଏମିତି ହେଲେ ଜନ ଜୀବନ ପ୍ରତି ବିପଦ ସୃଷ୍ଟି ନହୁଏ ତାହା କହିହେବ ନହିଁ ।</h3>