ବ୍ୟୁରୋ: ପ୍ରବଳ ଖରା ଗରମରୁ ମିଳିବନି ତ୍ରାହି । ଗରମ ଗୁଳୁଗୁଳିରେ ହନ୍ତସନ୍ତ ହେଉଛନ୍ତି । ଆହୁରି ପାଞ୍ଚଦିନ ଏମିତି ପ୍ରଚଣ୍ଡ ଗୁଳିଗୁଳି ହେବ ବୋଲି କହିଛନ୍ତି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିଦେ୍ର୍ଦଶକ ମନୋରମା ମହାନ୍ତି । ଗତ ୨୪ ଘଣ୍ଟାରେ ରାଜ୍ୟର ୩ଟି ସହରର ତାପମାତ୍ରା ୪୫ ଡିଗ୍ରୀ କିମ୍ୱା ତା’ଠାରୁ ଅଧିକ ରେକର୍ଡ କରଯାଇଛି। ୧୨ ଟି ସହରରେ ୪୧ ଡିଗ୍ରୀ ବା ତା’ଠାରୁ ଅଧିକ ତାପମାତ୍ରା ରେକର୍ଡ ହୋଇଛି। ଧୀରେ ଧୀରେ ଦିନ ତାପମାତ୍ରା ହ୍ରାସ ପାଇଛି। କିନ୍ତୁ ବେଶୀ ହ୍ରାସ ପାଇନାହିଁ। ହିଟ୍ୱେଭ୍ ଜାରି ରହିବ। ବଲାଙ୍ଗିର, ବରଗଡ଼, କଳାହାଣ୍ଡି, ନୂଆପଡା ଓ ସୋନପୁରରେ ଜୁନ୍ ୨ ,୩ ଓ ୪ ତାରିଖରେ ହିଟ୍ ୱେଭ ସ୍ଥିତି ଜାରି ରହିବାର ସମ୍ଭାବନା ରହିଛି। ଆଜି ଓ ଆସନ୍ତାକାଲି ତାପମାତ୍ରାରେ ୧ ବା ୨ ଡିଗ୍ରୀ ହ୍ରାସ ହୋଇପାରେ। ଆଭ୍ୟନ୍ତରୀଣ ଓଡିଶାର କିଛି ଜିଲ୍ଲାରେ ୪୦ ଡିଗ୍ରୀ ବା ତା’ ଉପରେ ତାପମାତ୍ରା ରହିବାର ସମ୍ଭାବନା ରହିଛି। ଆଗାମୀ ୫ ଦିନ ପର୍ୟ୍ୟନ୍ତ ଉପକୂଳବର୍ତ୍ତୀ ଅଞ୍ଚଳରେ ତାତି ଓ ଗୁଳୁଗୁଳି ସ୍ଥିତି ରହିବ। ଆଜି କିଛି କିଛି ସ୍ଥାନରେ ହାଲ୍କାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ତା’ ସହିତ ବିଜୁଳି ଓ ଘଡ଼ଘଡ଼ି ମାରିବ ଏବଂ ଘଣ୍ଟା ପ୍ରତି ୩୦ରୁ ୪୦ କିମି ବେଗରେ ପବନ ହେବ। ଆସନ୍ତାକାଲି ମଧ୍ୟ କିଛି ସ୍ଥାନରେ ବର୍ଷା ହୋଇପାରେ ମନୋରମା ମହାନ୍ତି କହିଛନ୍ତି, ଗ୍ରୀଷ୍ମ ପ୍ରବାହ ନେଇ ୩ ଦିନ ପାଇଁ ୱାର୍ଣ୍ଣିଂ ଜାରି ହୋଇଛି। ବଲାଙ୍ଗିର ଓ ବରଗଡ଼ ପାଇଁ ଅରେଞ୍ଚ ୱାର୍ଣ୍ଣି ଜାରି କରାଯାଇଥିବା ବେଳେ କଳାହାଣ୍ଡି, ନୂଆପଡ଼ା ଓ ସୋନପୁରରେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ସୋମବାର ଓ ମଙ୍ଗଳବାର ପାଇଁ ଏହି ୱାର୍ଣ୍ଣିଂ ଜାରି କରାଯାଇଛି। ଆସନ୍ତା ୫ ଦିନ ପାଇଁ ଉପକୂଳ ଓଡ଼ିଶାରେ ପ୍ରଚଣ୍ଡ ଗୁଳୁଗୁଳି ହେବ।