ଗୁଜରାଟ : ଗୁଜରାଟ ରାଜକୋଟରେ ଭୟଙ୍କର ଅଗ୍ନିକାଣ୍ଡ । ଚାଲିଗଲା ୨୭ ଜଣଙ୍କ ଜୀବନ । ଟିଆର୍ପି ଗେମିଂ ଜୋନରେ ନିଆଁ ଏଭଳି ଅଘଟଣ ଘଟିଥିବା ସୂଚନା । ମୃତକଙ୍କ ମଧ୍ୟରେ ଏକାଧିକ ଶିଶୁ ଥିବା ଜଣାପଡ଼ିଛି। ଅଗ୍ନିଶମ ବାହିନୀ ଦ୍ୱାରା ଉଦ୍ଧାର କାର୍ୟ୍ୟ ଜାରି ରଖିଛି। ବର୍ତ୍ତମାନ ସୁଦ୍ଧା ଅଗ୍ନିକାଣ୍ଡର କାରଣ ଜଣାପଡ଼ି ନାହିଁ । ଅଭିଯୋଗରୁ ପ୍ରକାଶ, ଆଜକୁ ୪ ଦିନ ତଳେ ସେହି ଗେମିଂ ଜୋନ୍ରେ ନିଆଁ ଲାଗିଥିଲା । ଯେଉଁଥିପାଇଁ ଗେମିଂ ଜୋନ୍କୁ ବନ୍ଦ ରଖାଯାଇଥିଲା । ହେଲେ ମେ ୨୫ ତାରିଖରେ ପୁଣି ଖୋଲାଯାଇଥିଲା । ଯେଉଁଥି ପାଇଁ ଲୋକଙ୍କର ପ୍ରବଳ ଭିଡ ଲାଗିଥିଲା । ସନ୍ଧ୍ୟା ପ୍ରାୟ ୬ ପରେ ନିଆଁ ଲାଗି ଥିଲା ।
ତେବେ ଏ ସମ୍ପର୍କରେ ଖବର ପାଇ ଅଗ୍ନିଶମ କର୍ମଚାରୀମାନେ ଘଟଣା ସ୍ଥଳରେ ପହଞ୍ଚି ନିଆଁ ଲିଭାଇବା କାର୍ୟ୍ୟରେ ଲାଗି ପଡ଼ିଥିଲେ। ବର୍ତ୍ତମାନ ସୁଦ୍ଧା ୨୭ ଟି ମୃତଦେହ ଉଦ୍ଧାର କରାଯାଇଛି। ସେଥିରେ ୯ ଜଣ ଶିଶୁ ଥିବା ଜଣାପଡ଼ିଛି । ଅନେକ ମୃତକଙ୍କ ପରିଚୟ ମିଳିପାରିନି । ସେପଟେ ଗେମିଂ ଜୋନ ମାଲିକଙ୍କ ବିରୋଧରେ ଅଭିଯୋଗ ହେବା ପରେ ପୁଲିସ୍ ମାମଲା ରୁଜୁ କରିଛି। ଗେମିଂ ଜୋନ୍ ମାଲିକଙ୍କୁ ଅଟକ ରଖି ପଚରାଉଚରା କରୁଛି । ପୁଲିସ ବିଭିନ୍ନ ଦିଗରୁ ତଦନ୍ତ ଚଳାଇଛି। କେଉଁ କାରଣରୁ ନିଆଁ ଲାଗିଲା, ତାହା ଉପରେ ତଦନ୍ତ ଚଳାଇଛି ପ୍ରଶାସନ। ଅନ୍ୟପକ୍ଷରେ ଏହି ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି,ଗୁଜରାଟ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ୍ ଏବଂ କଂଗ୍ରେସ ନେତା ରାହୁଲ ଗାନ୍ଧି ।