ବ୍ୟୁରୋ: ଭୋଟ ଦେଉଛି ଓଡ଼ିଶା, ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୪ ଲୋକସଭା ଓ ୨୮ଟି ବିଧାନସଭା ଆସନ ପାଇଁ ମତାଧିକାର ସାବ୍ୟସ୍ତ କରିବେ । ସକାଳ ୭ଟାରୁ ଆରମ୍ଭ ହୋଇଛି ମତଦାନ । ରାଜ୍ୟର ୪ଟି ଲୋକସଭା କ୍ଷେତ୍ର କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର, ବ୍ରହ୍ମପୁର ଏବଂ ଏହା ଅଧିନସ୍ଥ ୨୮ଟି ବିଧାନସଭା ନିର୍ବାଚନମଣ୍ଡଳୀରେ ହେଉଛି ଭୋଟିଂ । ଏହି ୪ଟି ଲୋକସଭା ନିର୍ବାଚନମଣ୍ଡଳୀରେ ୬୨ ଲକ୍ଷ ୮୭ ହଜାର ୨୨୨ ଭୋଟର ମତଦାନ କରିବେ । ଏମାନଙ୍କ ମଧ୍ୟରେ ୩୦ ଲକ୍ଷ ୯୭ ହଜାର ୫୨୭ ପୁରୁଷ ଏବଂ ୩୧ ଲକ୍ଷ ୮୯ ହଜାର ୬୦ ମହିଳା ଏବଂ ୬୩୫ ଜଣ ତୃତୀୟ ଲିଙ୍ଗୀ ଭୋଟର ରହିଛନ୍ତି । ଏହି ପର୍ଯ୍ୟାୟରେ ପୁରୁଷଙ୍କ ଅପେକ୍ଷା ମହିଳା ଭୋଟରଙ୍କ ସଂଖ୍ୟା ଅଧିକ ରହିଛି । ସେହିପରି ୧ ଲକ୍ଷ ୭୫ ହଜାର ଯୁବ ଭୋଟର ରହିଛନ୍ତି । ଏହି ପର୍ଯ୍ୟାୟରେ ଭୋଟ ପାଇଁ ୭ ହଜାର ୩୦୩ ମତଦାନ କେନ୍ଦ୍ର ଓ ୧୪ଟି ଅତିରିକ୍ତ ମତଦାନ କେନ୍ଦ୍ର କରାଯାଇଛି । ୭୧୫ଟି ବୁଥ ସମ୍ପୂର୍ଣ୍ଣ ଭାବେ ମହିଳାଙ୍କ ଦ୍ୱାରା ପରିଚାଳିତ । ୧ ହଜାର ୨୬୪ଟି କ୍ରିଟିକାଲ ମତଦାନ କେନ୍ଦ୍ର ରହିଛି । ସେହିପରି ୪ଟି ପର୍ଯ୍ୟାୟରେ ସଂସଦୀୟ କ୍ଷେତ୍ର ଲାଗି ୩୭ ଜଣ ପ୍ରାର୍ଥୀ ଥିବା ବେଳେ ବିଧାନସଭା ଲାଗି ୨୪୩ ଜଣ ପ୍ରାର୍ଥୀ ରହିଛନ୍ତି । ପ୍ରଥମ ପର୍ଯ୍ୟାୟ ଭୋଟ୍ ଲାଗି ୮ଟି ଜିଲ୍ଲାରେ ମୋଟ୍ ୭ ହଜାର ୨୯୮ ପୋଲିଂ ବୁଥର ବ୍ୟବସ୍ଥା ହୋଇଛି । ତା ଭିତରୁ ୫୩୭ଟି ବୁଥ୍ ନକ୍ସଲ ପ୍ରଭାବିତ ଅଞ୍ଚଳରେ ରହିଛି। ସୀମାନ୍ତ ଜିଲ୍ଲାଗୁଡ଼ିକରେ ଭୋଟ୍ ପଡ଼ିବାକୁ ଥିବାରୁ ଏଥିଲାଗି ଗ୍ରହଣ କଡ଼ା ସୁରୁକ୍ଷା ବ୍ୟବସ୍ଥା କରାଯାଇଛି। ୧୭ ହଜାର ପୁଲିସ ଫୋର୍ସ, ୧୦୪ କମ୍ପାନୀ ଅର୍ଦ୍ଧସାମରିକ ବାହିନୀ ମୁତୟନ ହୋଇଛନ୍ତି । ସୀମାନ୍ତରେ ୫୧ଟି ବର୍ଡର ଚେକ୍ ପୋଷ୍ଟ କରାଯିବା ସହ ଚେକିଂ ଜୋରଦାର ହୋଇଛି। ହେଲିକପ୍ଟର ଓ ଏୟାର ଆମ୍ବୁଲାନ୍ସ ବି ସଜାଗ ଥିବା କହିଛନ୍ତି ପୁଲିସ୍ ଡିଜି ଅରୁଣ ଷଡ଼ଙ୍ଗୀ। ସୁରକ୍ଷାର ତଦାରଖ ଲାଗି ୬ ଶହ ମୋବାଇଲ ପାର୍ଟି ନିୟୋଜିତ ହୋଇଛନ୍ତି। ଗୋଟିଏ ମୋବାଇଲ ପାର୍ଟି ୧୦ରୁ ୧୨ଟି ବୁଥକୁ ବୁଲି ରିପୋର୍ଟ ନେବେ। ସେହିଭଳି ୨୧୦ଟି ଫ୍ଲାଇଂ ସ୍କ୍ୱାଡ୍ ଓ ୧୫୫ଟି ଷ୍ଟାଟିକ୍ ସର୍ଭେଲାନ୍ସ ଟିମ୍ ମଧ୍ୟ ମୁତୟନ କରାଯାଇଛି। ଆଜି ଭୋଟ ସରିବା ପରେ ୧୫ଟି ଷ୍ଟ୍ରଙ୍ଗ ରୁମ୍ରେ EVMଗୁଡ଼ିକୁ ସୁରକ୍ଷିତ ରଖାଯିବ ।