ପୁଣି ଗର୍ଭବତୀ ମହିଳା ଯନ୍ତ୍ରଣାର ଏକ ବିକଳ ଚିତ୍ର ସାମ୍ନା କୁ ଆସିଛି | ଆପଣମାନେ ଦେଖିଥିବେ ଦୁଗମ ଅଞ୍ଚଳରେ ଭଲ ରାସ୍ତା ନଥିବା ଯୋଗୁଁ ଗର୍ଭବତୀଙ୍କୁ ଭାରରେ ବୁହା ହୋଇଯାଉ ଥିବାର ନ ହେଲେ ଟେକି ନେଇଯାଉଥିବାର ଦୃଶ୍ୟ ଆପଣ ନିଶ୍ଚୟ ଦେଖିଥିବେ | ହେଲେ ଗର୍ଭବତୀ ଅସହ୍ୟ ଯନ୍ତ୍ରଣା ପାଉଥିବା ବେଳେ ଚାଲି ଚାଲି ଯାଉ ଥିବାର ଦୃଶ୍ୟ ଆପଣ ଦେଖି ନଥିବେ |
ତେବେ ରାସ୍ତା ନଥିବା ଯୋଗୁଁ ଗାଁକୁ ଯାଇ ପାରିଲା ନାହି ଆମ୍ବୁଲାନ୍ସ | ୮ କିଲୋମିଟର ଚାଲି ଚାଲି ଗଲେ ଗର୍ଭବତୀ ମହିଳା । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଭବାନିପାଟଣା ସଦର ବ୍ଲକର ଚାଞ୍ଚେର ପଂଚାୟତର ପୋରଡଙ୍ଗ ଗୁଡା ଗ୍ରାମରେ ।
ଗାଁର ଲିବ୍ରୀ ମାଝୀଙ୍କ ସ୍ତ୍ରୀ ମାଣ୍ଡେ ମାଝୀଙ୍କୁ ଆଜି ସକାଳୁ ଗର୍ଭ ଯନ୍ତ୍ରଣା ହେବାରୁ ମେଡିକାଲ ନେବା ପାଇଁ ସ୍ବାମୀ ସହ ପରିବାର ଲୋକେ ବାହାରିଥିଲେ ଓ ଆମ୍ବୁଲାନ୍ସକୁ ଫୋନ କରିଥିଲେ | କିନ୍ତୁ ଗାଁକୁ ଯିବା ପାଇଁ ରାସ୍ତା ନଥିବାରୁ ଆମ୍ବୁଲାନ୍ସ ଗାଁକୁ ଯାଇପାରିନଥିଲା । ଆମ୍ବୁଲାନ୍ସ ଗୁଡାଙ୍ଗ ପର୍ଯ୍ୟନ୍ତ ଆସି ଉକ୍ତ ଗର୍ଭବତୀ ମହିଳାଙ୍କୁ ଅପେକ୍ଷା କରିଥିଲା ପରେ ତାଙ୍କୁ ଭବାନିପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା । ତେବେ ଏହି ଦୃଶ୍ୟକୁ ଦେଖିଲା ପରେ ସରକାରଙ୍କ ବିଭିନ୍ନ ଯୋଜନା କୁ ନେଇ ପ୍ରଶ୍ନ ଉଠୁଛି । ଅନ୍ୟପଟେ ଆସନ୍ତା ୧୩ ତାରିଖରେ ଗଣତନ୍ତ୍ରର ମହାନ ପର୍ବ ଅନୁଷ୍ଠିତ ହେବାକୁ ଯାଉଛି କିନ୍ତୁ ସ୍ବାଧୀନତାର ଦିର୍ଘ ବର୍ଷ ପରେ ମଧ୍ୟ ଦୁର୍ଗମ ଅଞ୍ଚଳମାନଙ୍କରେ ରାସ୍ତା ଖଣ୍ଡିଏ ଠିକ ଭାବରେ ପହଞ୍ଚିପାରିନାହଁ ଯାହା ସରକାରଙ୍କ ଯୋଜନାକୁ ଏହି ଦୃଶ୍ୟ ହିଁ ପଦାରେ ପକାଇଛି ।