କୋଲକାତା: ଭୋଟ ଗ୍ରହଣ ପୂର୍ବରୁ ପଶ୍ଚିମବଙ୍ଗର ନନ୍ଦିଗ୍ରାମରେ ୧୪୪ ଧାରା ଲାଗୁ। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଅଭିଯୋଗ ପରେ ନନ୍ଦିଗ୍ରାମରେ ୧୪୪ଧାରା ଲାଗିଥିବା ଜଣାପଡ଼ିିଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଅଭିଯୋଗ କରିଛନ୍ତି ଯେ, ନନ୍ଦିଗ୍ରାମରେ ବିଶୃଙ୍ଖଳା କରିବା ଓ ଭୋଟରମାନଙ୍କୁ ଧମକାଇବାକୁ ବିଜେପି ବାହାର ରାଜ୍ୟରୁ ଗୁଣ୍ଡା ଆଣିଛି । ଏନେଇ ସେ ଆଜି ନିର୍ବାଚନ କମିସନଙ୍କ ପାଖରେ ଅଭିଯୋଗ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିବେଦନ କରିଛନ୍ତି । ଏହାସହ ଗତକାଲି ମମତା ଅଭିଯୋଗ କରିଥିଲେ ଯେ, ପଶ୍ଚିମ ମେଦିନପୁରର କିଛି ଗାଁରୁ ଲୋକମାନଙ୍କୁ ବିଜେପି ଉଠାଇ ନେଇ ଏକ ସ୍ଥାନରେ ଲୁଚାଇ ରଖିଛି । ଦିଦିଙ୍କ ଏଭଳି ଅଭିଯୋଗ ପରେ ନିର୍ବାଚନ କମିସନ ୧୪୪ଧାରା ଲାଗୁ କରିଥିବା ଜଣାପଡ଼ିଛି। ଏଭଳି ନିଷ୍ପତ୍ତି ଉପରେ ପ୍ରତିକ୍ରିୟା ରଖି ବିଜେପି ନେତା ଜୟପ୍ରକାଶ ମଜମୁଦାର କହିଛନ୍ତି ଯେ, ମମତା କରିଥିବା ଅଭିଯୋଗ ଉପରେ ନିର୍ବାଚନ କମିସନ ନଜର ଦେବା ଉଚିତ୍ । ମାତ୍ର ମମତାଙ୍କ ଏଭଳି ଅଭିଯୋଗ ପରେ ଜଣାପଡିଗଲା କି ମମତା ପରାଜୟକୁ ସ୍ୱୀକାର କରିସାରିଛନ୍ତି । ତେଣୁ ସେ ଜାଣିଶୁଣି ଭୋଟ ଗ୍ରହଣ ପୂର୍ବରୁ ନନ୍ଦିଗ୍ରାମରେ ଧାରା ୧୪୪ ଲଗାଇଦେଲେ । ୪୪ଧାରା ଲାଗୁ ସହ ନନ୍ଦିଗ୍ରାମରେ ମତଦାନ ବେଳେ ଆଇନଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ସେଠାରେ ୨୨ କମ୍ପାନି କେନ୍ଦ୍ରୀୟ ବଳ ମୁତୟନ କରାଯିବା ସହ ୨୨ ଜଣ ତ୍ୱରିତ ପ୍ରତିକ୍ରିୟା ଦଳ ମୁତୟନ କରିବାକୁ ନିଷ୍ପତ୍ତି ନେଇଛନ୍ତି ନିର୍ବାଚନ କମିସନ । ଏହି ନିର୍ବାଚନ ମଣ୍ଡଳୀରେ ମୋଟ ୩୫୫ ଟି ମତଦାନ କେନ୍ଦ୍ର ଥିବା ବେଳେ ୭୫ ପ୍ରତିଶତ କେନ୍ଦ୍ରରେ ୱେବକାଷ୍ଟିଂର ସୁବିଧା କରାଯାଇଛି ।