<h3>ବାଲେଶ୍ୱର: ନିର୍ବାଚନ ତାରିଖ କ୍ରମଶଃ ପାଖେଇ ଆସୁଥିବା ବେଳେ ବିଭିନ୍ନ ଦଳର ପ୍ରାର୍ଥିମାନେ ପ୍ରଚାରକୁ ଜୋରଦାର କରିଛନ୍ତି | ବାଲେଶ୍ୱର ଜିଲା ବସ୍ତା ନିର୍ବାଚନ ମଣ୍ଡଳୀରେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ବିଜନ ନାୟକଙ୍କୁ ପୂଣି ଥରେ ପ୍ରାର୍ଥୀ କରିଛି କଂଗ୍ରେସ | ଯାହାକୁ ନେଇ କଂଗ୍ରେସ କର୍ମୀଙ୍କ ମହଲରେ ଉତ୍ସାହ ଦେଖିବାକୁ ମିଳିଛି | ବିଜନ ନାୟକ ଘରକୁ ଘର ବୁଲି ପ୍ରଚାର ଆରମ୍ଭ କରିଥିବା ବେଳେ ଆଜି ନିର୍ବାଚନ ମଣ୍ତଳୀର ରେମୁଂ ଛକ ନିକଟରୁ ବାଲିଆପାଳ ପର୍ୟ୍ୟନ୍ତ ବିଶାଳ ବାଇକ ଶୋଭାଯାତ୍ରା କରି ଶକ୍ତି ପ୍ରଦର୍ଶନ କରିଛନ୍ତି | ଏହା ପରେ ସନ୍ଧ୍ୟାରେ ବାଲିଆପାଳ ବ୍ଲକ ପୁରୁଣା ବସଷ୍ଟାଣ୍ଡ ଠାରେ ଜିଲ୍ଲା କଂଗ୍ରେସ ସଭାପତି ସଞ୍ଜୀବ ଗିରିଙ୍କ ପୌରହିତ୍ୟରେ ଆୟୋଜିତ ସଭାରେ ବାଲେଶ୍ୱର ସଂସଦୀୟ କ୍ଷେତ୍ର କଂଗ୍ରେସ ପ୍ରାର୍ଥୀ ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶ୍ରୀକାନ୍ତ ଜେନା ଯୋଗଦେଇ କେନ୍ଦ୍ରର ମୋଦି ଗ୍ୟାରେଣ୍ଟି ନୂତନ ସ୍ଲୋଗାନ ଦେଶବାସୀଙ୍କୁ ଧୋକାଦେବା ଗ୍ୟାରେଣ୍ଟି ବୋଲି କହିବା ସହିତ ନିତ୍ୟ ବ୍ୟବହାର୍ୟ୍ୟ ଜିନିଷରେ ଅହେତୁକ ମୂଲ୍ୟ ବୃଦ୍ଧି, ସାମ୍ପ୍ରଦାୟିକ ଦଙ୍ଗା, କୃଷକ ମାରଣ ନୀତିରେ ମୋଦୀ ସରକାର ରେକର୍ଡ କରିଥିବା କହିଥିଲେ | ଯଦି ଆପଣମାନେ ଆଶୀର୍ବାଦ କରନ୍ତି ଦିଲ୍ଲୀ ପୁଣିଥରେ ଆପଣଙ୍କ ଦ୍ବାରସ୍ଥ ହେବ ବୋଲି କହିଥିଲେ, ବିଧାନସଭା ପ୍ରାର୍ଥୀ ବିଜନ ନାୟକ | ଆଗାମୀ ନିର୍ବାଚନ ଅସତ୍ୟ ଉପରେ ସତ୍ୟର ଓ ଅନ୍ୟାୟ ଉପରେ ନ୍ୟାୟର ଜୟ ହେବ ବୋଲି ପ୍ରକାଶ କରି ବାଲିଆପାଳ ବାସୀଙ୍କର ଆଶୀର୍ବାଦ ଭିକ୍ଷା କରିଥିଲେ | କଂଗ୍ରେସର ଏହି ସଂକଳ୍ପ ସଭାରେ ପୂର୍ବତନ ବିଧାୟକ ଦେବୀପ୍ରସନ୍ନ ଚାନ୍ଦ, କଂଗ୍ରେସ ନେତା ସୁଦର୍ଶନ ଦାସ ଙ୍କ ସମେତ ବହୂ ବରିଷ୍ଠ ନେତା ମାନେ କଂଗ୍ରେସ ପତାକା ତଳେ ଏକ ହୋଇ ଜିଲା ସଂସଦୀୟ କ୍ଷେତ୍ର କଂଗ୍ରେସ ପ୍ରାର୍ଥୀ ଶ୍ରୀକାନ୍ତ ଜେନା ଓ ବସ୍ତା ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀ ବିଜନ ନାୟକଙ୍କୁ ବିପୁଳ ଭୋଟ ରେ ବିଜୟୀ କରିବାକୁ ନେତା ଓ କର୍ମୀମାନେ ଅଣ୍ଟା ଭିଡନ୍ତୁ ବୋଲି ଆହ୍ୱାନ ଦେଇଥିଲେ | ଏହି ସଭାରେ ଦୁଇ ହଜାରରୁ ଉର୍ଦ୍ଧ୍ବ କଂଗ୍ରେସ କର୍ମୀ ଯୋଗ ଦେଇଥିଲେ |</h3>