ପାଟଣା,୨୫/୦୪/୨୪: ବିଭିନ୍ନ ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ମତଦାନ ସରିଥିବାବେଳେ ଅନେକ ସ୍ଥାନଗୁଡିକରେ ନିର୍ବାଚନୀ ହିଂସା ଦେଖିବାକୁ ମିଳିଥିଲା । ତେବେ ଏହାରି ମଧ୍ୟରେ ବୁଧବାର ଦିନ ରାତିରେ ଏକ କାର୍ଯ୍ୟକ୍ରମ ସାରି ଆସୁଥିବା ଜଣେ ଜେଡିୟୁ ନେତାଙ୍କୁ ଗୁଳି କରି ହତ୍ୟା କରାଯାଇଛି ।ଏବଂ ତାଙ୍କ ସହିତ ଆସୁଥିବା କର୍ମୀ ମଧ୍ୟ ଏହି ଗୁଳିକାଣ୍ଡରେ ଆହତ ହୋଇଛନ୍ତି । ସୂଚନା ମୁତାବକ ସୌରଭ କୁମାର, ମୁନ୍ନା ନାମକ ତାଙ୍କର ଏକ ସାଙ୍ଗର ବାହାଘର ରିସେପ୍ସନ ସାରି ଘରକୁ ଫେରୁଥିଲେ । ଏତିକିବେଳେ ଦୁଇ ଜଣ ବାଇକ ଆରୋହୀ ଆସି ପାଟଣାର ପୁନପୁନ ଅଞ୍ଚଳରେ ହଠାତ୍ ତାଙ୍କ ଉପରକୁ ଗୁଳି ଚଲାଇଥିଲେ । ଯେଉଁଥିରେ ସୌରଭଙ୍କର ମୁତ୍ୟୁ ଘଟିଥିଲା ଏବଂ ତାଙ୍କ ସହକର୍ମୀ ଆହତ ହୋଇଥିଲେ । ଘଟଣାସ୍ଥଳକୁ ରାତିରେ ସ୍ଥାନୀୟ ଲୋକମାନେ ଘେରିଯାଇଥିଲେ ଏବଂ ପୋଲିସକୁ ଏ ବାବଦରେ ସୂଚନା ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ସେହି ଅଞ୍ଚଳକୁ ନିଜ ଆୟତ୍ତରେ ନେବା ସହ ଘଟଣାର ତଦନ୍ତ ଆରମ୍ଭ କରିଦେଇଥିଲା । ତେବେ ସୌରଭଙ୍କ ଉପରକୁ ଗୁଳି ଚଲାଇଥିବା ଦୁଇ ଅଭିଯୁକ୍ତ କିଏ ଏବଂ କେଉଁ କାରଣରୁ ତାଙ୍କ ଉପରକୁ ଗୁଳି ଚାଳନା କରାଯାଇଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।