<h3>କେରଳ,୨୪/୦୪/୨୪: ଆମେ ଅନେକ ସମୟରେ ଅନେକ ଦିବ୍ୟାଙ୍ଗଙ୍କ କାହାଣୀ ଶୁଣି ଆସିଛୁ, ଯେଉଁମାନେ କି ସମାଜରେ ସାଧାରଣ ଲୋକଙ୍କ ପାଇଁ ସବୁବେଳେ ଏକ ଉଦାହରଣ ସୃଷ୍ଟି କରିଆସିଛନ୍ତି । ସତରେ ନିଷ୍ଠାପର ମନୋବଳ ସବୁ ସୀମାକୁ ଲଙ୍ଘିଯାଏ । ସେ ମାନେନା କୌଣସି ବାଧାବିଘ୍ନ । ଅପଙ୍ଗ ମଣିଷ ଯେ କିଛି କରି ପାରେନା ଏହି କଥାକୁ ଭୁଲ୍ ବୋଲି ପ୍ରମାଣିତ କରିଛନ୍ତି କେରଳର ୩୨ବର୍ଷିୟା ଯୁବତୀ ଜିଲୁମୋଲ୍ ମାରିଏଟ୍ ଥୋମାସ୍ । ତାଙ୍କର ଦୁଇବାହୁ ନଥାଇ ବି ସେ ଚାରି ଚକିଆ ଯାନ ଚଲାଇବାରେ ସକ୍ଷମ ହୋଇଛନ୍ତି । ସେ ହେଉଛନ୍ତି ବିଶ୍ୱର ପ୍ରଥମ ଏସୀୟ ମହିଳା ଯାହାଙ୍କୁ ଦିବ୍ୟାଙ୍ଗ ହେବା ସତ୍ତ୍ୱେ ଚାରି ଚକିଆ ଯାନ ଚଳାଇବାକୁ ଲାଇସେନ୍ସ ମିଳିଛି । ଆପଣ ଭାବୁଥିବେ ଯେ, ଯୁବତୀ ଜଣକ ତ ଦିବ୍ୟାଙ୍ଗ ତେବେ ସେ ଚାରି ଚକିଆ ଯାନ କେମିତି ଚଲାଉଛନ୍ତି? ତେବେ ଏଠାରେ ଆମେ ଆପଣଙ୍କୁ କହିରଖୁଛୁ ଯେ, ସେ ଗାଡି ଚଲାଇବା ସମୟରେ ନିଜର ଦୁଇ ପାଦକୁ ବ୍ୟବହାର କରିଥାନ୍ତି ଯାହାଦ୍ୱାରା ତାଙ୍କ ଜୀବନ ତ୍ୱରାନ୍ୱିତ ହୁଏ । କିନ୍ତୁ ତାଙ୍କର ଏ ସଫଳତା ଏତେ ସହଜ ନଥିଲା । ଜିଲୁମୋଲ ଏକ ଜନ୍ମଗତ ବ୍ୟାଧି ହେତୁ ବିନା ବାହୁରେ ଜନ୍ମ ହୋଇଥିଲେ । ହେଲେ ଏଥିରେ ତାଙ୍କର ଦୁଃଖ ନଥିଲା । କିନ୍ତୁ ତାଙ୍କ ବାପା ମାଆଙ୍କ ଦେହାନ୍ତ ପରେ ନିଜକୁ ସକ୍ଷମ କରିବା ତାଙ୍କ ପାଇଁ ଆହୁରି ଜରୁରୀ ହୋଇପଡିଥିଲା । ସେ ସବୁବେଳେ ଏକ କାର୍ ଚଲାଇବାର ସ୍ୱପ୍ନ ଦେଖୁଥିଲେ । ତେଣୁ ଥୋମାସ୍ ଭଦୁଥାଲାର ମାରିଆ ଡ୍ରାଇଭିଂ ସ୍କୁଲରେ ଗାଡି ଚଳାଇବା ଶିଖିଲେ ଏବଂ ଡ୍ରାଇଭିଂ ଲାଇସେନ୍ସ ପାଇବା ପାଇଁ ଇଡୁକି ଜିଲ୍ଲାର ଥୋଡୁପୁଜା ଆରଟିଓ ନିକଟକୁ ଯାଇଥିଲେ। ଆରଟିଓ ଅଧିକାରୀମାନେ ତାଙ୍କ ଆବେଦନକୁ ପ୍ରତ୍ୟାଖ୍ୟାନ କରିଥିଲେ । କିନ୍ତୁ ସେ ଭାଙ୍ଗିନପଡି ନିଜକୁ ଆହୁରି ସୁଦୃଢ କରିଥିଲେ ଏବଂ କେରଳ ହାଇକୋର୍ଟଙ୍କ ଦ୍ୱାରସ୍ତ ହୋଇଥିଲେ । କୋର୍ଟ ଏଥିରେ ହସ୍ତକ୍ଷେପ କରିବା ପରେ ଥୋମାସ୍ ଏକ ପରୀକ୍ଷା ଦେଇଥିଲେ ଏବଂ ପରବର୍ତ୍ତୀ ସମୟରେ କାରକୁ ଏମଭିଡି ଅଧିକାରୀଙ୍କ ଆଗରେ ଚଳାଇଥିଲେ। ତେବେ କର୍ତ୍ତୃପକ୍ଷ ତାଙ୍କୁ ଡ୍ରାଇଭିଂ ଲାଇସେନ୍ସ ଦେବାକୁ ମନା କରିଦେଇଥିଲେ। ଶେଷରେ ସେ ଭିନ୍ନକ୍ଷମଙ୍କ ପାଇଁ ରାଜ୍ୟ ଆୟୋଗଙ୍କ ନିକଟକୁ ଯାଇଥିଲେ। ଭିନ୍ନକ୍ଷମଙ୍କ ପାଇଁ ରାଜ୍ୟ ଆୟୋଗ ଏବଂ କୋଚିର ଏକ ଘରୋଇ କମ୍ପାନୀ ସହାୟତାରେ ସେମାନେ ତାଙ୍କ କାରକୁ ସୁଗମତା ପାଇଁ ସଂଶୋଧନ କରିଥିଲେ। ଏବଂ ଶେଷରେ ଦୀର୍ଘ ଛଅ ବର୍ଷର ଅପେକ୍ଷା ପରେ,୨୦୨୩ ମସିହାରେ ତାଙ୍କୁ ଲାଇସେନ୍ସ ମିଳିଲା ।ଯାହା କୁ ପାଲକ୍କଡରେ କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ନିଜେ ବ୍ୟକ୍ତିଗତ ଭାବେ ଜୁଲିମୋଲଙ୍କୁ ଡ୍ରାଇଭିଂ ଲାଇସେନ୍ସ ପ୍ରଦାନ କରିଥିଲେ ।</h3>