<h3>ଭୁବନେଶ୍ୱର, ୨୪/୦୪/୨୪: ବହୁ ପ୍ରତୀକ୍ଷାର ଅନ୍ତ ଘଟାଇ ରଥ ଖଳାରେ ପହଞ୍ଚିଲା ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ| ବାହୁଡ଼ାଯାତ୍ରାରେ ମହାପ୍ରଭୁ ଗତ ଦୁଇଦିନ ଧରି ରଥଦାଣ୍ଡରେ ରଥ ଉପରେ ରାତ୍ରିଯାପନ କରିବା ପରେ ମହାପ୍ରଭୁ ଶ୍ରୀ ଲିଙ୍ଗରାଜ, ମହାପ୍ରଭୁ ଶ୍ରୀ ଦୋଳଗୋବିନ୍ଦ ଏବଂ ମା ରୁକ୍ମଣୀ ଦେବୀଙ୍କ ମହାଖଳାରେ ପହଞ୍ଚିଥିଲେ | ପ୍ରଚଣ୍ଡ ରୌଦ୍ରତାପ ସତ୍ତ୍ୱେ ଡାହୁକଙ୍କ ଡାକ ସହିତ ସମଗ୍ର ଆଧ୍ୟାତ୍ମିକ ପରିବେଶରେ ଭକ୍ତ ତଥା ସେବାୟତଗଣ ଉତ୍ସାହର ସହ ରଥକୁ ପହଞ୍ଚାଇଥିଲେ | ଏହାପରେ ରଥ ଉପରେ ଓ ଚାହାଣି ମଣ୍ଡପରେ ରାଗ ଜର୍ଜରିତ ମା' ପାର୍ବତୀ ଦେବୀଙ୍କ ନିକଟରେ ଭୋଗ ନୈବେଦ୍ୟ ସହ ଆଳତୀ ପ୍ରଦାନ କରାଯାଇଥିଲା | କିଛି ସମୟର ବିରତି ପରେ ଆରମ୍ଭ ହୋଇଯାଇଥିଲା ମହାପ୍ରଭୁଙ୍କ ସ୍ଵର୍ଣ୍ଣଦି ବିଜେ | ଘଣ୍ଟ ଘଣ୍ଟା, ଶଙ୍ଖ ଧ୍ୱନି ଓ ବିଜେ କାହାଳୀ ବଜାଇ ଆରମ୍ଭ ହୋଇଥିଲା ଏହି ପବିତ୍ର ଯାତ୍ରା | ଏଥିରେ ଶ୍ରୀକ୍ଷେତ୍ର ପୁରୀଧାମର କୃଷ୍ଣମଣି କଳା ନିକେତନରୁ ଆସିଥିବା ଓଡିଶୀ ଗୁରୁ ଶ୍ରୀ କୃଷ୍ଣ କୁମାର ଦାସ ଏବଂ ଅନୁଷ୍ଠାନର ସମସ୍ତ ନୃତ୍ୟଶିଳ୍ପୀଙ୍କ ଓଡିଶୀ ନୃତ୍ୟ ପରିବେଷଣ ଖୁବ ଆକର୍ଷଣୀୟ ଥିଲା | ଏହାସହିତ ଲଉଡ଼ି ଖେଳ ଓ ବନାଟି ଖେଳ ସମସ୍ତଙ୍କୁ ଅମୋଦିତ କରିଥିଲା | ଏହି ଶୋଭାଯାତ୍ରା ସରିବା ପରେ ମହାପ୍ରଭୁ ରାଜାଦେଉଳର ଦ୍ୱାରରେ ପହଞ୍ଚିବା କ୍ଷଣି ଦେବୀ ପାର୍ବତୀ କବାଟ ବନ୍ଦ କରିଦେଇଥିଲେ | ଏହାପରେ ବଚନିକା ପ୍ରଦାନ ସହ ମହାପ୍ରଭୁ ଶ୍ରୀ ଲିଙ୍ଗରାଜ ଦେବୀ ପାର୍ବତୀଙ୍କୁ ଆଗାମୀ ଅକ୍ଷୟ ତୃତୀୟାରେ ଆରମ୍ଭ ହେବାକୁ ଯାଉଥିବା ଚନ୍ଦନ ଯାତ୍ରାରେ ତାଙ୍କ ସହ ପବିତ୍ର ବିନ୍ଦୁସାଗର ପୁଷ୍କରିଣୀକୁ ନେଇଯିବାକୁ ପ୍ରତିଶ୍ରୁତି ଦେଇଥିଲେ | ମହାପ୍ରଭୁଙ୍କ ଏମନ୍ତ ବଚନ ଶୁଣି ଦେବୀ ପାର୍ବତୀ ତାଙ୍କ ପାଇଁ ରାଜାଦେଉଳର କବାଟ ଖୋଲି ଦେଇଥିଲେ | ମହାପ୍ରଭୁଙ୍କ ଏ ଅପୂର୍ବ ଲୀଳା ଦେଖି ହଜାର ହଜାର ଶ୍ରଦ୍ଧାଳୁ ମନ୍ତ୍ରମୁଗ୍ଧ ହୋଇଯାଇଥିଲେ | ଏହାପରେ ମହାଦୀପ ଉଠିବା ସହ ଅନ୍ୟାନ୍ୟ ନୀତି କାର୍ଯ୍ୟ କରାଯାଇଥିଲା |</h3>