<h3>ବିଶ୍ବ ପ୍ରସିଦ୍ଧ ରଥଯାତ୍ରା- ୨୦୨୪ ପାଇଁ ପୁରୀରେ ଅନୁଷ୍ଠିତ ହୋଇଛି ପ୍ରଥମ ସମନ୍ବୟ ବୈଠକ। ପୁରୀ ଟାଉନ ହଲ ଠାରେ କେନ୍ଦ୍ରାଞ୍ଚଳ ଆରଡିସି ରଞ୍ଜନ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ, ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ଏସପି ପିନାକ ମିଶ୍ରଙ୍କ ସହ ଜିଲ୍ଲାର ବିଭିନ୍ନ ବିଭାଗର ଉଚ୍ଚପଦସ୍ଥ ଅଧିକାରୀମାନେ ଏହି ବୈଠକରେ ସାମିଲ୍ ହୋଇଥିଲେ। ତେଣୁ ଯାତ୍ରୀମାନଙ୍କ ସୁରକ୍ଷା ନିମନ୍ତେ ସ୍ବାସ୍ଥ୍ୟ, ଗମନାଗମନ ବ୍ୟବସ୍ଥା, ପାନୀୟ ଜଳ ଯୋଗାଣ, ବିଦ୍ୟୁତ୍ ଯୋଗାଣ, ଅତ୍ୟାବଶ୍ୟକ ଦ୍ରବ୍ୟ ଯୋଗାଣ, ଶାନ୍ତିଶୃଙ୍ଖଳା ରକ୍ଷା, ସହରର ପରିମଳ ବ୍ୟବସ୍ଥା ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା। ଚଳିତ ରଥଯାତ୍ରା ପାଇଁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯିବ। ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ସୂଚନା ଅନୁଯାୟୀ ରଥଯାତ୍ରା ପାଇଁ ହସ୍ପିଟାଲରେ ୧୧୭ ଟି ଅଧିକ ବେଡ୍ ର ବ୍ୟବସ୍ଥା ହେବ। ସେହିପରି ଅଂଶୁଘାତ ମୁକାବିଲା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା, କାଜୁଆଲ୍ଟି ବ୍ୟବସ୍ଥାକୁ ବର୍ଦ୍ଧିତ କରିବା, ଦୁଇଟି ଏଏଲଏସ ଆମ୍ବୁଲାନ୍ସ ବ୍ୟବସ୍ଥା, କାଡିଓଲଜି ଓ ନ୍ୟୁରୋଲଜିର ଡାକ୍ତରଙ୍କୁ ନିୟୋଜିତ କରାଯିବା ସହ ୨୪ ଘଣ୍ଟିଆ ପାନୀୟ ଜଳ ଓ ବିଦ୍ୟୁତ ଯୋଗାଣ ବ୍ୟବସ୍ଥା ହୋଇଥିବା ସିଡିଏମଓ କହିଛନ୍ତି। ତେବେ ବଡ଼ଦାଣ୍ଡରେ ଅଧିକ ସ୍ବାସ୍ଥ୍ୟ ସେବା ଶିବିର ଖୋଲିବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଛି। ପୁରୀ ସହରରେ ଥିବା ବିଭିନ୍ନ ରାସ୍ତାଘାଟର ଉନ୍ନତି ଏବଂ ମରାମତି, ଡ୍ରେନ୍ ଗୁଡ଼ିକର ସଫେଇ, ପର୍ୟ୍ୟାପ୍ତ ଆଲୋକ ବ୍ୟବସ୍ଥା, ନିୟମିତ ସଫେଇ, ବିଭିନ୍ନ ସ୍ଥାନ ଗୁଡିକରେ ପାର୍କିଂ ବ୍ୟବସ୍ଥା, ଅସ୍ଥାୟୀ ଶୌଚାଳୟ ବ୍ୟବସ୍ଥା ପର୍ଯ୍ୟାପ୍ତ ପରିମାଣରେ କରିବାକୁ ପୁରୀ ପୋୖରପାଳିକା, ପୂର୍ତ୍ତ ବିଭାଗ, ଜାତୀୟ ରାଜପଥ ବିଭାଗକୁ ସଠିକ୍ ସମୟରେ କାର୍ୟ୍ୟ ସାରିବାକୁ ଆରଡିସି ନିର୍ଦ୍ଦେଶ ଦେଇଥିଲେ। ମହାପ୍ରଭୁଙ୍କ ରଥଯାତ୍ରା ଶାନ୍ତି ଶୃଙ୍ଖଳାର ସହ ଶେଷ କରିବା ପାଇଁ ସମସ୍ତେ ସହଯୋଗ କରିବାକୁ ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କୁ ଅନୁରୋଧ କରିଛନ୍ତି।</h3>