ବରଗଡ଼ : ବରଗଡ଼ ପୁଲିସ ଦ୍ୱାରା ସହରର ବିଭିନ୍ନ ଛକରେ ନାକା ଚେକିଂ ବେଳେ ୧୦ ଲକ୍ଷ ଟଙ୍କା ଜବତ ହୋଇଛି । ଏବେ ସାଧରଣ ନିର୍ବାଚନ ପାଇଁ ଆଚରଣ ବିଧି ଲାଗୁ ହୋଇଥିବା ବେଳେ ଆଜି ବରଗଡ଼ ହଲଦୀପାଲି ଛକ ଠାରେ ଟାଉନ ପୋଲିସ ପକ୍ଷରୁ ନାକା ଚେକିଂ ଚାଲିଥିଲା । ଏହି ସମୟରେ ଲକ୍ଷାଧିକ ଟଙ୍କା ନେଇ ଯାଉଥିବା ଓଡି ୧୫ ୟୁ ୩୨୫୬ ନମ୍ବର ପିକଅପକୁ ବରଗଡ଼ ପୁଲିସ ଯାଞ୍ଚ କରିଥିଲା । ଯାଞ୍ଚ ସମୟରେ ସମ୍ବଲପୁର ଜିଲ୍ଳାର ଡ୍ରାଇଭର ଚୂଡାମଣୀ ଦୋରା ନିକଟରୁ ୧୦ ଲକ୍ଷ ଟଙ୍କା ଜବତ କରିଥିଲା । ତେବେ ଡ୍ରାଇଭର ଚୁଡାମଣି ଦୋରା ବରପାଲି ରୁ ସମ୍ବଲପୁର କୁ ଗାଡି ନେଇ ଯାଉଥିବାବେଳେ ସେ କେଉଁ ଉଦ୍ଦେଶ୍ୟରେ ଏବଂ କାହାପାଖକୁ ଏତେ ଟଙ୍କା ନେଉଥିଲେ ତାର ସଠିକ କାରଣ ଜଣାପଡିନାହିଁ ବୋଲି କହିଛନ୍ତି ମାଜିଷ୍ଟ୍ରେଟ ଦାୟିତ୍ୱ ରେ ଥିବା ବରଗଡ଼ ଅତିରିକ୍ତ ତହସିଲଦାର ଦିବାକର ପ୍ରଧାନ ।ଏ ସମ୍ପର୍କରେ ଆୟକର ବିଭାଗ କୁ ମଧ୍ୟ ଖବର ଦିଆଯାଇଥିବା ମାଜିଷ୍ଟ୍ରେଟ ଶ୍ରୀ ପ୍ରଧାନ କହିଛନ୍ତି । ବରଗଡ ଟାଉନ ଥାନା ପୁଲିସ ଡ୍ରାଇଭରକୁ ଅଟକ ରଖିବା ସହ ଅଧିକ ତଦନ୍ତ ଜାରି ରଖିଛି । ସୂଚନା ଯୋଗ୍ୟ ଯେ ନିର୍ବାଚନକୁ ଦୃଷ୍ଟିରେ ରଖି ବରଗଡ ପୁଲିସ ଦ୍ୱାରା ସହରର ପ୍ରବେଶ ପଥ ବିକାଶ ଛକ ଏବଂ ହଲଦିପାଲି ଛକ ନିକଟରେ ପ୍ରତ୍ୟହ ନାକା ଚେକିିଂ ଚାଲିଥିବା ଜଣାପଡିଛି ।