ପୁରୀ : ପୁରୀ ଗସ୍ତରେ ଆସି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରିଚନ୍ତି ଅନନ୍ତ ଅମ୍ବାନୀ । ନିଜର ବିବାହ ପୁର୍ବରୁ ସେ ମହାପ୍ରଭୁଙ୍କ ଆଶୀର୍ବାଦ ନେବା ପାଇଁ ଶ୍ରୀମନ୍ଦିର ଆସିଥିଲେ। ତେବେ ଅନନ୍ତ ଅମ୍ବାନୀ ମଙ୍ଗଳବାର ରାତି 10 ଟା 30 ରେ ପୁରୀରେ ପହଞ୍ଚିଥିଲେ। ପରେ ଶ୍ରୀମନ୍ଦିର ପ୍ରଶାସନ ଅଧିକାରି, ଶ୍ରୀ ମନ୍ଦିର ପରିଚାଳନା କମିଟି ସଦସ୍ୟ, କୌଳିକ ପଣ୍ଡା ଅନନ୍ତଙ୍କୁ ସ୍ଵାଗତ କରି ଶ୍ରୀ ମନ୍ଦିରକୁ ନେଇଥିଲେ। ଶ୍ରୀମନ୍ଦିର ସିଂହଦ୍ବାରରେ ପ୍ରଥମେ ପ୍ରଭୁ ପତିତପାବନଙ୍କୁ ପ୍ରଣାମ କରି ଶ୍ରୀ ମନ୍ଦିରକୁ ପ୍ରଵେଶ କରିଥିଲେ ଅନନ୍ତ। ପରେ ମହାପ୍ରଭୂଙ୍କୁ ଦର୍ଶନ କରି ବେଶ୍ ଭାବ ବିହ୍ଵଳିତ ହେଇଥିଲେ। ମହାପ୍ରଭୁଙ୍କ ଚନ୍ଦନ ଲାଗି ବେଶ ଦର୍ଶନ କରିଥଲେ ଅନନ୍ତ ଅମ୍ବାନୀ। ଶ୍ରୀମନ୍ଦିର ର ପରମ୍ପରା, ମହାପ୍ରଭୂଙ୍କ ନୀତିକାନ୍ତି ବିଷୟରେ ପଚାରି ବୁଝିଥିଲେ ଅନନ୍ତ। ପରେ ସେ ଶ୍ରୀମନ୍ଦିର ଭିତରେ ଥିବା ବିଭିନ୍ନ ଦେବଦେବୀ ମନ୍ଦିର ଯାଇ ପୂଜାର୍ଚ୍ଚନା କରିଥିଲେ। ଶ୍ରୀମନ୍ଦିର ଭିତରେ ବେଢ଼ା ପରିକ୍ରମା କରିଥିଲେ। ଶ୍ରୀମନ୍ଦିର ରେ ମହାପ୍ରଭୁଙ୍କ ରାତ୍ର ପହୁଡ଼ ପରେ ସେ ଫେରିଥିଲେ। ଦୀର୍ଘ 2 ଘଂଟା କାଳ ସେ ଶ୍ରୀମନ୍ଦିର ରେ ସମୟ ବିତାଇଥିଲେ। ଏହି ଅବସରରେ ସେ ଶ୍ରୀମନ୍ଦିର ପ୍ରଶାସନକୁ 2 କୋଟି 50 ଲକ୍ଷ ଟଙ୍କାର ଦାନ ଦେଇଥିଲେ। ଶ୍ରୀମନ୍ଦିର ଉତ୍ତର, ପଶ୍ଚିମ, ଦକ୍ଷିଣ ଦ୍ୱାରକୁ ସିଂହଦ୍ଵାର ଭଳି ରୁପା ଛାଉଣୀ କରିବାକୁ ସେବାୟତ ଅନନ୍ତଙ୍କୁ ଜଣାଇଥିଲେ। ଏହି କାର୍ଯ୍ୟ କରିବା ପାଇଁ ଅନନ୍ତ ତାଂକ କର୍ମଚାରିଙ୍କୁ ନିର୍ଦେଶ ଦେଇଥିଲେ। ତେବେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଅନନ୍ତଙ୍କୁ ମହାପ୍ରଭୁଙ୍କ ମାଳ, ମହାପ୍ରସାଦ, ଶ୍ରୀଅଙ୍ଗ ଲାଗି ଖଣ୍ଡୁଆ ଉପହାର ଭାବେ ଦେଇଥିଲେ। କୌଳିକ ପଣ୍ଡା ରଘୁନାଥ ଗୋଛିକାର ଅନନ୍ତଙ୍କୁ ଶ୍ରୀମନ୍ଦିର ଭିତରେ ବୁଲାଇଥିଲେ। ସେପଟେ ମହାପ୍ରଭୂଙ୍କୁ ଦର୍ଶନ ପରେ ଅନନ୍ତ ଅମ୍ବାନୀ କହିଥିଲେ ସମସ୍ତଙ୍କୁ ରାମ ନବମୀର ଶୁଭେଚ୍ଛା। ସମସ୍ତଙ୍କୁ ସୁଖୀ, ମଙ୍ଗଳରେ ରଖନ୍ତୁ ବୋଲି ସେ ମହାପ୍ରଭୂଙ୍କୁ ପ୍ରାର୍ଥନା କରିଥିଲେ। ତେବେ ଆଗାମୀ ଜୁଲାଇରେ ଅନନ୍ତଙ୍କ ବିବାହ ଉତ୍ସବ ରହିଛି। ତେବେ ଏହା ପୁର୍ବରୁ ସେ ଭାରତର ପ୍ରମୁଖ ମନ୍ଦିର ଯାଇ ଆଶୀର୍ବାଦ ନେଇଛନ୍ତି।