ପୁରୀ : ପୁରୀ ପୌରପାଳିକାରେ ନିର୍ବାଚିତ ପ୍ରତିନିଧି ନଥିବାରୁ ଅଫିସରଙ୍କ ମନମାନି ଏବେ ଚରମ ସୀମାରେ ପହଞ୍ଚିଲାଣି। ଜନସାଧାରଣଙ୍କୁ ସେବା ଯୋଗାଇ ଦେବା ବଦଳରେ ସମସ୍ୟା ଭିତରକୁ ଠେଲି ଦେଇଛି ପୌରପାଳିକା। ପୁରୀ ବଳିଆପଣ୍ଡା ଅଞ୍ଚଳରେ ଥିବା ଡମ୍ପିଙ୍ଗ ୟାର୍ଡ ଏବେ ଅଭିଶାପ ପାଲଟିଛି ଗୌଡ଼ବାଡ ସାହି ଓ ବଙ୍ଗାଳୀ କଲୋନୀରେ ଥିବା ଶହ ଶହ ବାସିନ୍ଦାଙ୍କ ପାଇଁ। ଜନବସତି ଭିତରେ ଡମ୍ପିଙ୍ଗ ୟାର୍ଡ ହୋଇଥିବାରୁ ଆବର୍ଜ୍ଜନାର ଗନ୍ଧରେ ରହିପାରୁନାହାନ୍ତି ଏଠାକାର ଜନସାଧାରଣ। ୨୪ ଘଣ୍ଟା ଝରକା କବାଟ ବନ୍ଦ କରି ରହିବାକୁ ପଡ଼ୁଥିବା ବେଳେ ସ୍ବଛ ବାୟୁ ଟିକେ ମଧ୍ୟ ପାଇବା ଏବେ ତାଙ୍କ ପାଇଁ ସ୍ବପ୍ନ ପାଲଟି ଯାଇଛି। ଆବର୍ଜନାରୁ କୀଟ ବାହାରି ଘରଭିତରେ ପ୍ରବେଶ କରୁଥିବାରୁ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହୋଇଛି। ସେହିପରି ଅଳିଆ ପାହାଡ଼ରେ ନିଆଁ ଲଗାଯାଉଥିବାରୁ ପ୍ରବଳ ଧୂଆଁରେ ଅଣନିଃଶ୍ବାସୀ ହୋଇପଡିଲେଣି ଗୌଡ଼ବାଡ ସାହି, ବଙ୍ଗାଳୀ କଲୋନୀ ବାସିନ୍ଦା। ଅସ୍ଵାସ୍ଥ୍ୟକର ପରିବେଶ ଏବଂ ଧୂଆଁ ଯୋଗୁ ଘରେ ଘରେ ଏବେ ଶ୍ବାସ ରୋଗୀ ଚିହ୍ନଟ ହେଲେଣି। ଜନବସତି ଅଞ୍ଚଳରୁ ଡମ୍ପିଙ୍ଗ ୟାର୍ଡକୁ ସ୍ଥାନାନ୍ତର ନେଇ ବାରମ୍ବାର ଦାବି କରିବା ସତ୍ତ୍ବେ ମଧ୍ୟ ପୌର ପ୍ରଶାସନ କୌଣସି ପଦକ୍ଷେପ ନନେବାକୁ ନେଇ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଆଗାମୀ ଦିନରେ ଆନ୍ଦୋଳନକୁ ଓହ୍ଲାଇବା ସହ ପୌରପାଳିକାକୁ ଅଚଳ କରିଦିଆଯିବ ବୋଲି ସ୍ଥାନୀୟ ବାସିନ୍ଦା ଚେତାବନୀ ଦେଇଛନ୍ତି। ଡମ୍ପିଙ୍ଗ ୟାର୍ଡ ଯୋଗୁ ସ୍ଥାନୀୟ ଅଞ୍ଚଳରେ ଭୂତଳ ଜଳ ମଧ୍ୟ ବ୍ୟାପକ ପ୍ରଦ୍ୟୂଷିତ ହେବାରେ ଲାଗିଛି। ବର୍ଷାଦିନେ ଆବର୍ଜନାରୁ ଜଳ ବାହାରି ଭୂତଳ ଜଳ ସ୍ତରରେ ମିଶି ବ୍ୟାପକ ପ୍ରଦ୍ୟୂଷିତ କରୁଥିବା ବେଳେ କ୍ୟାନସର ସୃଷ୍ଟି କାରୀ ମାରାତ୍ମକ ଜୀବାଣୁ ଜଳରେ ଥିବା ଚିହ୍ନଟ କରିଛି କେନ୍ଦ୍ରୀୟ ଭୂତଳ ଜଳ ବୋର୍ଡ଼। ଜଳରେ ଶୀସା ନାଇଟ୍ରୋଜେନ୍ ର ପରିମାଣ ଧାର୍ଯ୍ୟ ମାନ ଠାରୁ ଯଥେଷ୍ଟ ଅଧିକ ଥିବା ରିପୋର୍ଟ ଆସିଛି। ସେପଟେ ଡମ୍ପିଙ୍ଗ ୟାର୍ଡ ସ୍ଥାନାନ୍ତରକୁ ନେଇ ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ସହଯୋଗ କରୁନଥିବା ବେଳେ ଏହାକୁ କଡ଼ା ସମାଲୋଚନା କରିଛନ୍ତି ସ୍ଥାନୀୟ ବାସିନ୍ଦା।