ବ୍ୟୁରୋ : ଦଳ ଛାଡିଲେ ଭୃଗୁ ବକ୍ସିପାତ୍ର । ଦୀର୍ଘ 23 ବର୍ଷ ରୁ ଅଧିକ ହେବ ବିଜେପିରେ ରହିଥିଲେ । ତେବେ ସେ ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ଭୃଗୁ ରାଜ୍ୟ ବିଜେପି ସଭାପତିଙ୍କୁ ନିଜର ଇସ୍ତଫା ପତ୍ର ପଠାଇଛନ୍ତି । ୨୦୧୯ ରେ ବ୍ରହ୍ମପୁର ବିଜେପି ଲୋକସଭା ପ୍ରାର୍ଥୀ ଥିଲେ । ଏହି ଇସ୍ତଫା ପତ୍ରରେ ସେ ଲେଖିଛନ୍ତି ଯେ, ଅତ୍ୟନ୍ତ ଦୁଃଖର ସହିତ ବିଜେପିର ପ୍ରାଥମିକ ସଭ୍ୟ ପଦରୁ ଇସ୍ତଫା ଦେଉଛି । ପାର୍ଟି ଦେଇଥିବା ସମସ୍ତ ଦାୟିତ୍ୱ ନିଷ୍ଠା, ପରିଶ୍ରମ ଏବଂ ସ୍ଥିରତା ସହିତ ତୁଲାଇଛି ।
ବିଭିନ୍ନ ସାଙ୍ଗଠନିକ ଓ ରାଜନୈତିକ କାର୍ଯ୍ୟ ବୃଦ୍ଧି କରିପାରେ ପାର୍ଟି ମୋ ଉପରେ ଆସ୍ଥା ରଖିଥିବାରୁ ମୁଁ କୃତଜ୍ଞ । କିନ୍ତୁ ଗତ କିଛି ଦିନ ହେଲା ଦଳରେ ମୋର କିମ୍ବା ମୋ ସେବାର ଆବଶ୍ୟକତା ଆଉ ନାହିଁ ବୋଲି ଉପଲବ୍ଧ କଲି । ତେଣୁ ଆଗକୁ ବଢିବା ପାଇଁ ସ୍ଥିର କଲି । ଲୋକଙ୍କ ସେବା ଓ ଓଡିଶାର ବିକାଶରେ ନିଜର କାର୍ଯ୍ୟକୁ ବଜାୟ ରଖିବି ବୋଲି ସେ ନିଜ ଇସ୍ତଫା ପତ୍ରରେ ଉଲ୍ଲେଖ କରିଛନ୍ତି । ତେବେ ଖୁବଶୀଘ୍ର ଭୃଗୁ ବକ୍ସିପାତ୍ର ବିଜେଡିରେ ସାମିଲ ହେବେ ବୋଲି ଚର୍ଚ୍ଚା ହେଉଛି । ତେବେ ତାଙ୍କର ଆଗାମୀ କାର୍ଯ୍ୟପନ୍ଥା କଣ ହେବ ତାହା ଦେଖିବାକୁ ବାକି ରହିଲା ।