ବ୍ୟୁରୋ : ସ୍ତ୍ରୀ କୁ ସମ୍ମାନ ଦେବା ସ୍ତ୍ରୀର ସମ୍ମାନ ରଖିବା ହେଉଛି ଗୋଟେ ସ୍ୱାମୀର କର୍ତ୍ତବ୍ୟ। ବାହା ବେଦିରେ ସ୍ୱାମୀ ଏହି ପ୍ରତିଞା ମଧ୍ୟ କରିଥାଏ ଯେ ସ୍ତ୍ରୀର ସବୁ ସୁଖ ଆଉ ଦୁଃଖରେ ଠିଆ ହେବ ବୋଲି । ହେଲେ ପତ୍ନୀଙ୍କୁ ଅସମ୍ମାନ କଲେ କେତେ ଯେ କ୍ଷତିପୂରଣ ଦେବାକୁ ହୁଏ ତାର ଏକ ନିଚ୍ଛକ ଚିତ୍ର ଏବେ ସାମ୍ନାକୁ ଆସିଛି । ପତ୍ନୀଙ୍କୁ ସେକେଣ୍ଡ ହ୍ୟାଣ୍ଡ କହିବା ସ୍ୱାମୀକୁ ପଡିଛି ଏବେ ମହଙ୍ଗା। କ୍ଷତିପୂରଣ ବାବଦକୁ ୩ କୋଟି ଟଙ୍କା ଦେବେ ସ୍ୱାମୀ । ସୂଚନା ଅନୁସାରେ ଆମେରିକାର ରହି ଭାରତରେ ଛାଡପତ୍ର ପାଇଁ ଚାହୁଁଥିବା ଜଣେ ବ୍ୟକ୍ତିଙ୍କ ଆବେଦନକୁ ଖାରଜ କରିଛନ୍ତି ବମ୍ବେ ହାଇକୋର୍ଟ । ଘରୋଇ ହିଂସା ମହିଳାଙ୍କ ଆତ୍ମସମ୍ମାନକୁ କ୍ଷତି ପହଞ୍ଚାଇଛି। ସେହିପରି ହନିମୁନ ବେଳେ ପତ୍ନୀଙ୍କୁ ସେକେଣ୍ଡ ହ୍ୟାଣ୍ଡ କହିବା ଶାରୀରିକ ଦୁର୍ବବ୍ୟବହାର ସହ ସମାନ ବୋଲି ହାଇକୋର୍ଟ କହିଛନ୍ତି। ପ୍ରକୃତରେ ଉଭୟ ସ୍ୱାମୀ ଓ ସ୍ତ୍ରୀ ଆମେରିକାର ନାଗରିକ। ୧୯୯୪ ମସିହା ଜାନୁଆରୀ ୩ରେ ସେମାନେ ମୁମ୍ବାଇରେ ବାହା ହୋଇଥିଲେ। ଆମେରିକାରେ ମଧ୍ୟ ସେମାନେ ଆଉ ଥରେ ବିବାହ ଉତ୍ସବ ମନାଇଥିଲେ। କିନ୍ତୁ ୨୦୦୫-୨୦୦୬ ବେଳକୁ ସେମାନେ ମୁମ୍ବାଇ ଫେରିବା ସହ ଏଠାରେ ଗୋଟିଏ ଘରେ ରହିବା ଆରମ୍ଭ କରିଥିଲେ।
ମୁମ୍ବାଇରେ ପତ୍ନୀ ଚାକିରି କରିବା ପରେ ପରବର୍ତ୍ତୀ ଅବସ୍ଥାରେ ତାଙ୍କ ମା’ଙ୍କ ଘରକୁ ଚାଲି ଯାଇଥିଲେ। ୨୦୧୪-୧୫ ବେଳକୁ ସ୍ୱାମୀ ଜଣଙ୍କ ଆମେରିକା ଚାଲି ଯାଇଥିଲେ। ୨୦୧୭ରେ ସେ ଆମେରିକାରେ ରହି ସେଠାରେ ଛାଡ଼ପତ୍ର ପାଇଁ ଆବେଦନ କରିଥିଲେ। ପତ୍ନୀ ଜଣଙ୍କ କହିଥିଲେ ଯେ ବାହାଘର ପରେ ସେମାନେ ନେପାଳକୁ ହନିମୁନ ପାଇଁ ଯାଇଥିଲେ। ସେତେବେଳେ ସ୍ୱାମୀ ତାଙ୍କୁ ସେକେଣ୍ଡ ହ୍ୟାଣ୍ଡ କହି ଅପମାନିତ କରିଥିଲେ। ସ୍ୱାମୀ ଜଣଙ୍କ ତାଙ୍କ ଚରିତ୍ରକୁ ସନ୍ଦେହ କରିବା ସହ ସମ୍ମାନକୁ କ୍ଷତି ପହଞ୍ଚାଇଥିଲେ। ୧୯୯୯ ମସିହା ନଭେମ୍ବର ମାସରେ ସ୍ୱାମୀ ତାଙ୍କୁ ପ୍ରବଳ ପିଟିଥିଲେ। ତାଙ୍କ ଚିତ୍କାର ଶୁଣି ପଡ଼ୋଶୀମାନେ ପୁଲିସ୍କୁ ଖବର ଦେଇଥିଲେ। ପୁଲିସ୍ ସ୍ୱାମୀଙ୍କୁ ଘରୋଇ ହିଂସା ମାମଲାରେ ଗିରଫ କରିଥିଲା। ମହିଳା ଜଣଙ୍କ ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି ଯେ ୨୦୦୦ ମସିହାରେ ତାଙ୍କ ବାପା ମା’ ଆମେରିକା ଯାଇଥିଲେ। ଏହି ସମୟରେ ମହିଳାଙ୍କ ବାପାଙ୍କର ହୃଦଘାତ ହୋଇଥିଲା। କିନ୍ତୁ ସ୍ୱାମୀ ଜଣଙ୍କ ତାଙ୍କୁ ବାପାଙ୍କ ପାଖରେ ରହିବାକୁ ଦେଇ ନଥିଲେ।
୨୦୨୩ ମସିହାରେ ମାଜିଷ୍ଟ୍ରେଟ କୋର୍ଟ ତାଙ୍କ ରାୟରେ କହିଥିଲେ ଯେ ମହିଳା ଜଣଙ୍କ ଘରୋଇ ହିଂସାର ପୀଡ଼ିତା। ଏହାପୂର୍ବରୁ ୨୦୧୭ରେ କୋର୍ଟ ଭରପୋଷଣ ପାଇଁ ମାସିକ ୧,୫୦,୦୦୦ ଟଙ୍କା ପତ୍ନୀଙ୍କୁ ସ୍ୱାମୀ ଦେବେ ବୋଲି କହିଥିଲେ। ଏଥିସହ ୨ ମାସ ମଧ୍ୟରେ କ୍ଷତିପୂରଣ ବାବଦରେ ୩ କୋଟି ଓ ଅତିରିକ୍ତ ଭାବେ ଆଉ ୫୦ ହଜାର ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ତଳ କୋର୍ଟଙ୍କ ରାୟକୁ ସ୍ୱାମୀ ଜଣଙ୍କ ସେସନ୍ସ କୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। କିନ୍ତୁ ଏହାକୁ କୋର୍ଟ ଗ୍ରହଣ କରି ନଥିଲେ। ଏହାପରେ ସେ ହାଇକୋର୍ଟରେ ଗୋଟିଏ ରିଭ୍ୟୁ ପିଟିସନ ଦାଖଲ କରିଥିଲେ। ହାଇକୋର୍ଟ ତଳ କୋର୍ଟ ଦେଇଥିବା ରାୟକୁ କାଏମ ରଖିଛନ୍ତି।