ବ୍ୟୁରୋ : ଜୁଲାଇ ମାସରେ ଆରମ୍ଭ ହେବାକୁ ଯାଉଛି ମହିଳା ଏସିଆ କପ । ଆଉ ମହିଳା ଏସିଆ କପ ପାଇଁ ମ୍ୟାଚ୍ ସୂଚୀ ଜାରି କରିଛି ଏସିଆନ କ୍ରିକେଟ କାଉନସିଲ (ଏସିସି) । ସେପ୍ଟେମ୍ବର-ଅକ୍ଟୋବର ମାସରେ ଟି-୨୦ ବିଶ୍ୱକପ ଆରମ୍ଭ ହେବାକୁ ଥିବାବେଳେ ଜୁଲାଇ ୧୯ରୁ ୨୮ ଯାଏ ସମାନ ଫର୍ମାଟରେ ଅନୁଷ୍ଠିତ ହେବ ଏସିଆ କପ । ଶ୍ରୀଲଙ୍କାର ଡମ୍ବୁଲାରେ ଖେଳାଯିବାକୁ ଥିବା ଏସିଆ କପରେ ପ୍ରଥମଥର ପାଇଁ ୮ଟି ଟିମ ଭାଗ ନେବେ। ଗ୍ରୁପ ଏରେ ରହିଛି ଡିଫେଣ୍ଡିଂ ଚାମ୍ପିୟନ ଭାରତ । ଭାରତ ସହ ଏହି ଗ୍ରୁପରେ ପାକିସ୍ତାନ, ନେପାଳ ଓ ୟୁଏଇ ରହିଛନ୍ତି। ଗ୍ରୁପ ବି’ରେ ବାଂଲାଦେଶ, ଶ୍ରୀଲଙ୍କା, ମ୍ୟାଲେସିୟା ଓ ଥାଇଲ୍ୟାଣ୍ଡ ଅଛନ୍ତି। ୨୦୨୨ ଏସିଆ କପରେ ୭ଟି ଟିମ ଭାଗ ନେଇଥିଲେ। ୭ଥର ଏସିଆ କପ ଜିତିଥିବା ଭାରତ ତା’ର ଏସିଆ କପ ଅଭିଯାନ ଜୁଲାଇ ୧୯ରୁ ୟୁଏଇ ବିପକ୍ଷରୁ ଆରମ୍ଭ ହେବ। ଏହାପରେ ଦଳ ଜୁଲାଇ ୨୧ରେ ଚୀର ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ଭେଟିବ। ଶେଷ ଲିଗ ମ୍ୟାଚରେ ଭାରତର ମୁକାବିଲା ନେପାଳ ସହ ହେବ। ଲିଗ ମ୍ୟାଚ୍ ପରେ ପ୍ରତି ଗ୍ରୁପର ଟପ ୨ଟି ଲେଖାଏ ଦଳ ସେମିଫାଇନାଲକୁ ଯିବେ। ଜୁଲାଇ ୨୬ରେ ଦୁଇଟି ଯାକ ସେମି ଓ ଜୁଲାଇ ୨୮ରେ ଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହେବ।