ସୁବର୍ଣ୍ଣପୁର: ଦିନ ଥିଲା ଯେତେବେଳେ ଜଣେ ନାରୀ ଘରର ଚାରି କାନ୍ଥ ଭିତରେ ରହି ନିଜକୁ ପରିବାର ଓ ସଂସାର ଭିତରେ ବାନ୍ଧି ଦେଉଥିଲା । କିନ୍ତୁ ଏବେ ସମୟ ବଦଳିଛି । ଆଉ ତା ସହିତ ବଦଳିଛି ଲୋକଙ୍କର ଚିନ୍ତାଧାରା । ଏବେ ନାରୀଟିଏ କେବଳ ହାଣ୍ଡିଶାଳ ଭିତରେ ନିଜକୁ ଆବଦ୍ଧ କରି ରଖିନି । ସେ ବି ପୁରୁଷ ମାନଙ୍କ ସହ କାନ୍ଧକୁ କାନ୍ଧ ମିଶାଇ ଘର ବାହାରକୁ ପାଦ କାଢିଛି । ଆାଉ ନିଜର କୌଶଳ ତଥା ପରିଶ୍ରମ ବଳରେ ସମାଜରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି । ଏଭଳି ଜଣେ ସଫଳ ମହିଳା ଚାଷୀ ହେଉଛନ୍ତି ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ କଳାପଥର ଗାଁର ଭାରତୀ ମହାକୁର । ଜଣେ ମହିଳା ହୋଇ ମଧ୍ୟ ନିଜ ପ୍ରଚେଷ୍ଟାରେ ପଡିଆ ଜମିରେ ହସାଇ ପାରିଛନ୍ତି ସୁନାର ଫସଲ । ଏବେ ପନିପରିବା, ଦୁଗ୍ଧ ଉତ୍ପାଦନ ସହ ମାଛ ଆଦି ଚାଷ କରି ନିଜେ ସ୍ୱାବଲମ୍ବି ହୋଇ ପରିବାର ପ୍ରତିପୋଷଣ ସହ ଅନ୍ୟକୁ ଯୋଗଇ ପାରିଛନ୍ତି ରୋଜଗାର । ଭାରତୀ ସମସ୍ତଙ୍କ ସହେଯାଗରେ ପ୍ରଥମେ ପନିପରିବା ଚାଷ ଆରମ୍ଭ କରିବା ସହ ସମନ୍ୱିତ ଚାଷ ପାଇଁ ଆଗଭର ହୋଇଥୀଲେ ଏବଂ ପୋଖରୀ ଖୋଳି ମାଛ ଚାଷ ଆରମ୍ଭ କରିଥିଲେ । ଫୁଲ, କଦଳି, ନଡିଆ, ପିଜୁଳି ଏବଂ ମାଛ ଚାଷ ସହ ଦୁଗ୍ଧ ଉତ୍ପାଦନ କରି ବିକ୍ରି କରୁଛନ୍ତି । ତେବେ ଏହି କାମରେ ତାଙ୍କୁ ପରିବାର ଲୋକ ପୁର୍ଣ୍ଣ ସହଯୋଗ କରୁଥିବା କହିଛନ୍ତି ଭାରତୀ । ତା ସହ ଅନ୍ୟକୁ ରୋଜଗାର ଯୋଗାଇ ସେ ଖୁସି ବ୍ୟକ୍ତ କରିଛନ୍ତି । ଭାରତୀଙ୍କ ଏହି ପ୍ରଚେଷ୍ଟା ନିଶ୍ଚିତ ଭାବରେ ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ହେବ ।