ବେପରୁଆ ଭାବରେ ଚାଲିଛି ଶିମିଳିପାଳରେ ଅଫିମ ଚାଷ । ଯେତେ ପୋଡିଲେବି ପରକୁ ପର ବାହାରୁଛି ଜଙ୍ଗଲ ଭିତରେ ପୁଳା ପୁଳା ଅଫିମ ଗଛ । ତେବେ ଏନେଇ ଚିନ୍ତାରେ ବନ ବିଭାଗ । ଏସପିଙ୍କ ନିର୍ଦ୍ଦେଶରେ ହୋଇଛି ବଡ ଧରଣର ଚଢ଼ାଉ । ଶିମିଳିପାଳ ଅଭୟାରଣ୍ୟ ଭିତରେ ଚାଲିଥିବା ଅଫିମ ଚାଷକୁ ନଷ୍ଟ କରିଛି ପୋଲିସ୍। ଉପଖଣ୍ଡ ପୋଲିସ ଅଧିକାରୀ ସୁବ୍ରତ କୁମାରଙ୍କ ନେତୃତ୍ୱରେ ଯଶୀପୁର ପୋଲିସ୍, ଅବକାରୀ ବିଭାଗ ଓ ବନବିଭାଗର ମିଳିତ ଚଢାଉ ହୋଇ ନଷ୍ଟ କରାଯାଇଛି । ଆଜି ଶିମିଳିପାଳ ଵନାଞ୍ଚଳର ଜୋଜଗୋଡା ଗ୍ରାମ ଇଲାକାର ୪ ଏକର ଜମିରେ ଚାଷ ହୋଇଥିଵା ୧ ଲକ୍ଷ ୮ ହଜାର ଅଫିମଗଛକୁ ନଷ୍ଟ କରାଯାଇଛି । ଫୁଲବାଡି ଅଞ୍ଚଳରେ ୧ ଏକର ୭୪ ଡିସିମିଲ ଜମିରେ ଚାଷ ହୋଇଥିବା ୪୬ ହଜାର ୯୮୦ ଅଫିମ ଗଛକୁ ପୋଡ଼ି ନଷ୍ଟ କରାଯାଇଛି । ଯାହାର ବଜାର ମୂଲ୍ୟ ୩ କୋଟି ୧୦ ଲକ୍ଷ ହେବ ବୋଲି ଅନୁମାନ କରାଯାଉଛି । ଗତ ମାର୍ଚ୍ଚ ୧୦ ତାରିଖ ଦିନ ବକୁଆ ଏଵଂ କୁକୁରଭୁକା ଅଞ୍ଚଳରେ ଚାଷ ହୋଇଥିବା ୫ ଲକ୍ଷ ୨୫ ହଜାର ଅଫିମଗଛକୁ ନଷ୍ଟ କରାଯାଇଥିଲା । ନଷ୍ଟ କରାଯାଇଥିବା ଅଫିମ ଗଛର ଆନୁମାନିକ ବଜାର ମୂଲ୍ୟ ୧୦ କୋଟି ୬୬ ଲକ୍ଷ ରହିଥିଲା । ଫେବୃଆରୀ ୨୪ ତାରିଖ ମଧ୍ୟ ଶିମିଳିପାଳ ବନାଞ୍ଚଳ ଧଳାଵଣି ଓ ବୃନ୍ଦେଇପଶିରେ ଚଢ଼ାଉ କରି ୧୩ ହଜାର ଅଫିମଗଛକୁ ନଷ୍ଟ କରାଯାଇଥିଲା । ଯାହାର ବଜାର ମୂଲ୍ୟ ୨୬ ଲକ୍ଷ ରହିଥିଲା |