ପୂରଣ ହୋଇଛି ନିର୍ବାଚନ କମିଶନରେ ଖାଲି ପଡିଥିବା ପଦ । ନିର୍ବାଚନ କମିଶନରେ ଖାଲି ପଡିଥିବା ପଦରେ ୨ ଜଣଙ୍କୁ କମିଶନର ଭାବେ ମିଳିଛି ନିଯୁକ୍ତି । ଦୁଇ ପୂର୍ବତନ ପ୍ରଶାସନିକ ଅଧିକାରୀ ସୁଖବୀର ସିଂହ ସାନ୍ଧୁ ଓ ଜ୍ଞାନେଶ କୁମାର ନିର୍ବାଚନ କମିଶନର ଭାବେ ନିଯୁକ୍ତି ପାଇଛନ୍ତି । ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଖାଲି ପଡିଥିବା ୨ ନିର୍ବାଚନ କମିଶନରଙ୍କୁ ଚୟନ ପାଇଁ ବୈଠକ ହୋଇଥିଲା । ଏଥିରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହ ଓ ବିରୋଧୀ ଦଳର ନେତା ଅଧୀର ରଞ୍ଜନ ଚୌଧୁରୀ ଯୋଗ ଦେଇଥିଲେ। କମିଟି ଚୟନ କରିଥିବା ୨ଟି ନାଁକୁ ରାଷ୍ଟ୍ରପତିଙ୍କ ପାଖକୁ ପଠାଯାଇଥିଲା। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବିଧିବଦ୍ଧ ଭାବେ ୨ ଜଣଙ୍କ ନାଁରେ ମୋହର ମାରିଛନ୍ତି। ଏହାର ଅର୍ଥ ଶ୍ରୀ ସିଂହ ଓ ଶ୍ରୀ କୁମାର ଦେଶର ନିର୍ବାଚନ କମିଶନର ଭାବେ କାମ କରିବେ। ରାଜୀବ କୁମାର ପୂର୍ବଭଳି ମୁଖ୍ୟ ନିର୍ବାଚନ କମିଶନର ଭାବେ ଦାୟିତ୍ୱ ସମ୍ପାଦନ କରିବେ। ଏମାନେ ୩ ଜଣ ଲୋକସଭା ନିର୍ବାଚନ ପରିଚାଳନା କରିବେ। ତେବେ ନିର୍ବାଚନ କମିଶନର ଅନୁପ ଚନ୍ଦ୍ର ପାଣ୍ଡେଙ୍କ କାର୍ୟ୍ୟକାଳ ଗତମାସ ସରିଥିଲା। ସେ ଅବସର ନେବା ପରେ ହଠାତ୍ ଇସ୍ତଫା ଦେଇଥିଲେ ଅରୁଣ ଗୋଏଲ।