ରାଜ୍ୟର ପଞ୍ଚାୟତିରାଜ ପ୍ରତିନିଧିମାନଙ୍କର ପାରିତୋଷିକ ଓ ଭତ୍ତା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୃଦ୍ଧି କରିଛନ୍ତି। ଯାହାକୁ ନେଇ ସବୁ ପଞ୍ଚାୟତ ପ୍ରତିନିଧିଙ୍କ ମନରେ ଖୁସିର ଲହରୀ ଖେଳିଯାଇଛି । 5T ତଥା ନବୀନ ଓଡିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ବିଭିନ୍ନ ଜିଲ୍ଲାଗସ୍ତ ସମୟରେ ପଞ୍ଚାୟତିରାଜ ପ୍ରତିନିଧିମାନେ ତାଙ୍କୁ ଭେଟି ଏହି ପାରିତୋଷିକ ବୃଦ୍ଧି ସମ୍ପର୍କରେ ଅନୁରୋଧ ଓ ପ୍ରସ୍ତାବ ଦେଇଥିଲେ। ନିଷ୍ପତ୍ତି ଅନୁଯାୟୀ ଜିଲ୍ଲା ପରିଷଦ ସଭାପତିମାନେ ୯,୩୮୦ ଟଙ୍କା ପରିବର୍ତ୍ତେ ୩୦,୦୦୦ ଟଙ୍କା ମାସିକ ପାରିତୋଷିକ ପାଇବେ। ସେମାନଙ୍କ ଦୈନିକ ଭତ୍ତା ମଧ୍ୟରେ୩୦୦ ଟଙ୍କାରୁ ୬୦୦ ଟଙ୍କାକୁ ବୃଦ୍ଧି କରାଯାଇଛି। ଜିଲ୍ଲା ପରିଷଦ ଉପ-ସଭାପତି ମାନଙ୍କ ପାରିତୋଷିକ ୭,୦୪୦ ଟଙ୍କାରୁ ୨୦,୦୦୦ ଟଙ୍କାକୁ ବୃଦ୍ଧି କରାଯାଇଛି। ଜିଲ୍ଲା ପରିଷଦ ସଦସ୍ୟମାନେ ପୂର୍ବରୁ ୩,୫୩୦ ଟଙ୍କା ପାଉଥିବା ବେଳେ ଏବେ ୧୦,୦୦୦ ଟଙ୍କା ମାସିକ ପାରିତୋଷିକ ପାଇବେ ।
ସେହିଭଳି ପଞ୍ଚାୟତ ସମିତି ଅଧ୍ୟକ୍ଷମାନେ ୩,୫୩୦ ଟଙ୍କା ପାଉଥିଲେ । ଏବେ ୧୫,୦୦୦ ଟଙ୍କା ପାଇବେ। ପଞ୍ଚାୟତ ସମିତି ଉପାଧ୍ୟକ୍ଷମାନେ ପୂର୍ବରୁ ପାରିତୋଷିକ ୨,୩୫୦ ଟଙ୍କା ପାଉଥିଲେ, ଏବେ ୭,୫୦୦ ଟଙ୍କା ପାଇବେ। ପଞ୍ଚାୟତ ସମିତି ସଦସ୍ୟମାନେ ପୂର୍ବରୁ ୨,୩୫୦ ଟଙ୍କା ପାଉଥିଲେ । ଏବେ ୭,୫୦୦ ଟଙ୍କା ପାଇବେ। ସେହିଭଳି ସରପଞ୍ଚମାନେ ପୂର୍ବରୁ ୨,୩୫୦ ଟଙ୍କା ପାଉଥିବା ବେଳେ ଏବେ ୧୦,୦୦୦ ଟଙ୍କା ପାଇବେ। ନାଏବ ସରପଞ୍ଚମାନେ ପୂର୍ବରୁ ୯୪୦ ଟଙ୍କା ପାଉଥିବା ବେଳେ ଏବେ ୪,୦୦୦ ଟଙ୍କା ପାଇବେ।