ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଦଳ ଆପ୍ କୁ ବଡ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ଅରବିନ୍ଦ କେଜ୍ରିୱାଲଙ୍କ ଆମ ଆଦମୀ ପାର୍ଟିକୁ ଦଳୀୟ ଅଫିସ ଖାଲି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ରାଉଜ ଆଭିନ୍ୟୁ ଠାରେ ଥିବା ଆପ୍ ର ଅଫିସକୁ ଜୁନ ୧୫ ସୁଦ୍ଧା ଖାଲି କରିବାକୁ ସର୍ବୋଚ୍ଚ ଅଦାଲତ କହିଛନ୍ତି। ଆପ୍ ର ଅଫିସ ତିଆରି ହୋଇଥିବା ପ୍ଲଟଟି ଦିଲ୍ଲୀ ହାଇକୋର୍ଟକୁ ତା’ର ଭିତ୍ତିଭୂମି ସଂପ୍ରସାରଣ ପାଇଁ ଦିଆଯାଇଥିଲା। ହେଲେ ଏଠାରେ ଆପ୍ ର ଅଫିସ ନିର୍ମାଣ ହୋଇଥିବାରୁ ଜୁନ ୧୫ ସୁଦ୍ଧା ଏହାକୁ ଖାଲି କରିବାକୁ ସୁପ୍ରିମକୋର୍ଟ କହିଛନ୍ତି। ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ଅଫିସ ଖାଲି କରିବା ପାଇଁ ଆପ୍କୁ ଲମ୍ବା ସମୟ ଦେଇଛନ୍ତି।
ଏଥିସହ ଅଲଗା ସ୍ଥାନରେ ଅଫିସ ନିର୍ମାଣ ପାଇଁ ଆବଶ୍ୟକ ପ୍ଲଟ ପାଇବା ସକେଶ ଆପ୍କୁ କେନ୍ଦ୍ର ଲ୍ୟାଣ୍ଡ ଓ ଡେଭଲପମେଣ୍ଟ ଅଫିସରେ ଆବେଦନ କରିବାକୁ ମଧ୍ୟ କୋର୍ଟ କହିଛନ୍ତି। ଫେବୃଆରୀ ୧୫ରେ ଦିଲ୍ଲୀ ସରକାର ବୈଠକ କରିଥିଲେ। ବୈଠକ ପରେ ରାଜ୍ୟ ସରକାର ୨ ମାସ ମଧ୍ୟରେ ଅଲଗା ଜମି ମିଳିବା ପରେ ଉକ୍ତ ସ୍ଥାନ ଖାଲି କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ଏହା ଆଉ ଆଗକୁ ବଢ଼ି ପାରି ନଥିଲା। ଏହାକୁ ନେଇ ଆଜି ସୁପ୍ରିମକୋର୍ଟ ଅସନ୍ତୋଷ ପ୍ରକାଶ କରିଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ କହିଛନ୍ତି, କେହି ବି ଆଇନକୁ ହାତକୁ ନେଇ ପାରିବେ ନାହିଁ। ମୁଖ୍ୟ ଶାସନ ସଚିବ, ପୂର୍ତ୍ତ ବିଭାଗ ସଚିବ ଓ ଦିଲ୍ଲୀ ସରକାରଙ୍କ ଅର୍ଥ ସଚିବ ତୁରନ୍ତ ହାଇକୋର୍ଟଙ୍କ ରେଜିଷ୍ଟ୍ରାରଙ୍କ ସହ ଗୋଟିଏ ବୈଠକ କରନ୍ତୁ ବୋଲି ଜଷ୍ଟିସ ଚନ୍ଦ୍ରଚୂଡ଼ କହିଛନ୍ତି।