ଆଉ ମାତ୍ର ଦିନ କେଇଟାରେ ଲୋକସଭା ନିର୍ବାଚନ । ଗାଦି ହାତେଇବା ପାଇଁ ନିଜ ନିଜ ସ୍ତରରେ ପ୍ରସ୍ତୁତି ଚଳାଇଛନ୍ତି ରାଜ୍ୟର ବିଭିନ୍ନ ରାଜନୈତିକ ଦଳ । ଖୁବ ଶିଘ୍ର ପ୍ରକାଶ ପାଇବାକୁ ଯାଉଛି ବିଜେପିର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା । ତେବେ ଗତକାଲି ଦଳର ନିର୍ବାଚନ କମିଟି ବିଳମ୍ବିତ ରାତି ଯାଏ ବୈଠକ କରିଥିବା ନେଇ ସୂଚନା ମିଳିଛି । ଗତକାଲି ରାତିରେ ବିଜେପିର ସେଣ୍ଟ୍ରାଲ୍ ଇଲେକସନ୍ କମିଟି (CEC) ବୈଠକ ବସିଥିଲା । ସୂଚନା ମୁତାବକ ବୈଠକରେ ୧୦୦ରୁ ୧୨୦ ଲୋକସଭା ଆସନରେ ପ୍ରାର୍ଥୀଙ୍କ ନାଁ ଉପରେ ଚର୍ଚ୍ଚା ମଧ୍ୟ ହୋଇଥିଲା । ତାଲିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଅମିତ ଶାହ ଓ ରାଜନାଥ ସିଂହଙ୍କ ଭଳି ହେଭିୱେଟଙ୍କ ନାଁ ରହିଛି।
ବିଜେପି ମାର୍ଚ୍ଚ ୧୦ ତାରିଖ ପୂର୍ବରୁ ୩୦୦ ସିଟରେ ପ୍ରାର୍ଥୀଙ୍କ ନାଁ ଘୋଷଣା କରିବାକୁ ଲକ୍ଷ୍ୟ ରଖିଛି ଦଳ । ଖୁବଶୀଘ୍ର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିପାରେ । ପ୍ରାୟ ରାତି ୧୧ଟା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୈଠକରେ ପହଞ୍ଚିଥିଲେ। ବିଳମ୍ବିତ ରାତି ପର୍ଯ୍ୟନ୍ତ ବୈଠକ ଚାଲିଥିଲା। ଆଲୋଚନାରେ ମୋଦି, ଶାହ ଓ ନଡ୍ଡାଙ୍କ ସମେତ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ଉତ୍ତର ପ୍ରଦେଶ ବିଜେପି ନିର୍ବାଚନ ପ୍ରଭାରୀ ବୈଜୟନ୍ତ ପଣ୍ଡା ମଧ୍ୟ ସାମିଲ ହୋଇଥିଲେ ।