ଜୀବିକାର ସୁରକ୍ଷା ପାଇଁ ରାଜରାସ୍ତାକୁ ଓହ୍ଲାଇଲା ଓଡିଶା ବାଇକ ଟ୍ୟାକ୍ସି ଡ୍ରାଇଭର୍ସ ଆସୋସିଏସନ । ଆଜି ବାଇକ ଟ୍ୟାକ୍ସି ଡ୍ରାଇସର୍ଭ ଆସୋସିଏସନ ପକ୍ଷରୁ ମାଷ୍ଟରକ୍ୟାଂଟିନ ଠାରେ ବିକ୍ଷୋଭ ପ୍ରର୍ଶନ କରାଯାଇଛି । ଏଥିସହ ସହର ଭିତରେ ଶାନ୍ତିପୂର୍ଣ୍ଣ ଭାବେ ବାଇକ୍ ଟ୍ୟାକ୍ସି ଚଳାଚଳ ପାଇଁ ଅନୁମତି ଦେବାକୁ ସଂଘ ପକ୍ଷରୁ ସରକାରଙ୍କୁ ଅନୁରୋଧ କରାଯାଇଛି । ୨୦୨୩ର ଓଡ଼ିଶା ଏଗ୍ରିଗେଟର ଗାଇଡଲାଇନରେ ଦର୍ଶାଯାଇଥିବା ସରକାରଙ୍କ କଟକଣା ଯୋଗୁଁ ଯାତ୍ରୀ ପରିବହନ ପାଇଁ ହ୍ୱାଇଟ୍ ବୋର୍ଡ ଦୁଇ ଚକିଆ ଯାନ ଚଳାଚଳ ଉପରେ କଟକଣା ଲଗାଯାଇଛି । ଏହି ନିଷ୍ପତି କେନ୍ଦ୍ର ସରକାର ଏବଂ ଗୋଆ, ତେଲେଙ୍ଗାନା, ରାଜସ୍ଥାନ ଓ ଉତରପ୍ରଦେଶ ଭଳି ଅନ୍ୟ କେତେକ ରାଜ୍ୟ ଦ୍ୱାରା କାର୍ୟ୍ୟକାରୀ କରାଯାଇଥିବା ନୀତିର ବିପରୀତ ଅଟେ । ନିକଟରେ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ୨୦୨୪ ଜାନୁଆରି ୨୨ତାରିଖରେ ରାଜ୍ୟ ସରକାରଙ୍କୁ ଏକ ପରାମର୍ଶବଳୀ ଜାରି କରାଯାଇଥିଲା ।
ମୋଟର ଯାନ ଆଇନ, ୧୯୮୮ର ଧାରା ୨(୭) ଅନୁଯାୟୀ ମୋଟରସାଇକେଲ୍ ଚୁକ୍ତିଭିତିକ ଗାଡ଼ିର ସଂଜ୍ଞା ମଧ୍ୟରେ ଅନ୍ତର୍ଭୁକ୍ତ । ତେଣୁ ଓଡ଼ିଶା ଏଗ୍ରିଗେଟର ଗାଇଡ୍ ଲାଇନ୍ ୨୦୨୩ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶାବଳୀର ସିଧାସଳଖ ଉଲ୍ଲଂଘନ କରୁଛି । ବାଇକ୍ ଟ୍ୟାକ୍ସି ଚାଳକ ଭାବେ ଚାକିରି ହରାଇଥିବା ୩୦,୦୦୦ ରାଇଡର୍ଙ୍କ ଦୁର୍ଦ୍ଦଶା ଉପରେ ସଂଘ ଆଲୋକପାତ କରିଛି, ଯାହା କି ସେମାନଙ୍କ ରୋଜଗାରର ଏକମାତ୍ର ଉତ୍ସ । ତାହା ସେମାନଙ୍କ ପରିବାରର ଆର୍ôଥକ ସ୍ଥିରତାକୁ ପ୍ରଭାବିତ କରୁଛି । ଏହି ଆହ୍ୱାନଗୁଡ଼ିକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାର ନିଜର ନୀତିର ପୁନଃ ସମୀକ୍ଷା କରିବା ସହ ଗିଗ୍ ଅର୍ଥନୀତିର ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିବା ସହିତ ବାଇକ୍ ଟ୍ୟାକ୍ସି ଚାଳକଙ୍କ ଜୀବିକା ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଉପଯୁକ୍ତ ସମାଧାନ ବାହାର କରିବା ଜରୁରୀ । ତୁରନ୍ତ ଏହି ସମସ୍ୟାର ସମାଧାନ ନ କଲେ ଉଭୟ ଚାଳକ ଓ ରାଜ୍ୟର ଅର୍ଥନୈତିକ ଦୃଶ୍ୟପଟ ଉପରେ ପ୍ରଭାବ ପଡ଼ିପାରେ ବୋଲି ସଂଘ ପକ୍ଷରୁ କୁହାଯାଇଛି ।