ରାଜନଗର ନିର୍ବାଚନ ମଣ୍ଡଳୀରେ ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତିଙ୍କ ପରେ ହାତ ଛାଡିଲେ କର୍ମୀ । ବ୍ଲକ କଂଗ୍ରେସ ସଭାପତି ଓ ବିଭିନ୍ନ ପଂଚାୟତ ସଭାପତି, ବ୍ଲକ ଛାତ୍ର କଂଗ୍ରେସ, ଯୁବ କଂଗ୍ରେସ ଓ ମହିଳା କଂଗ୍ରେସ ସଭାପତି ଆଜି ଇସ୍ତଫା ଦେଇଛନ୍ତି । ଗତକାଲି ଅଂଶୁମାନ ମହାନ୍ତି ପିିସିସି ସଭାପତିଙ୍କ ପାଖକୁ ଇସ୍ତଫା ପତ୍ର ପଠାଇଥିବା ବେଳେ ଆଜି ବ୍ଲକ କଂଗ୍ରେସ ସଭାପତି ଦେବେନ୍ଦ୍ର କୁମାର ଜେନା ଇସ୍ତଫା ଦେଇଛନ୍ତି । ଯାହା କଂଗ୍ରେସ ପାଇଁ ବଡ ଝଟକା ସଦୃଶ । କାରଣ ରାଜନଗରରେ ବିଜେଡି ସହ ସିଧାସଳଖ ଲଢେଇ କରୁଥିଲା କଂଗ୍ରେସ । ଏହି ନିର୍ବାଚନମଣ୍ଡଳୀରେ କଂଗ୍ରେସର ବଡ ଭୋଟବ୍ୟାଙ୍କ ରହିଥିଲା । ତେଣୁ ଅଂଶୁମାନ ଦଳ ଛାଡିବା ପରେ ନୂଆ ଚେହେରା ଭାବେ କିଏ ସାମ୍ନାକୁ ଆସିବ ତାହା ସବୁଠୁ ବଡ ପ୍ରଶ୍ନ । ଅନ୍ୟପଟେ ଅଂଶୁମାନ ଆଗକୁ କଣ କରିବେ, କେଉଁ ଦଳକୁ ଯିବେ ତାକୁ ନେଇ ଚର୍ଚ୍ଚା ଚାଲିଛି । ଏହି କଳ୍ପନା ଜଳ୍ପନା ଭିତରେ ଆସନ୍ତା ୪୮ ଘଂଟା ମଧ୍ୟରେ ଏହା ସ୍ପଷ୍ଟ ହୋଇଯିବ ବୋଲି ଅଂଶୁମାନଙ୍କ ସମର୍ଥକ ସୂଚନା ଦେଇଛନ୍ତି । ପୂର୍ବରୁ ଅଂଶୁମାନ ୨୦୧୪ରୁ ୨୦୧୯ ଯାଏଁ କଂଗ୍ରେସ ଟିକେଟରେ ବିଧାୟକ ଥିଲେ । ତେବେ ୨୦୧୯ ନିର୍ବାଚନରେ ବିଜେଡି ପ୍ରାର୍ଥୀ ଧ୍ରୁବ ସାହୁଙ୍କ ଠାରୁ ପରାଜିତ ହୋଇଥିଲେ ଅଂଶୁମାନ ।