ଭୁବନେଶ୍ୱର: ରାଜ୍ୟସଭା ପାଇଁ ନାମାଙ୍କନ ଭରିଲେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ବିଜେପି ବିଧାୟକଙ୍କ ସହ ଆଲୋଚନା ପରେ ବିଧାନସଭା ଯାଇ କଲେ ପ୍ରାର୍ଥୀପତ୍ର ଦାଖଲ । ରାଜ୍ୟସଭା ପ୍ରାର୍ଥୀ ଭାବେ ବିଜେପି ପକ୍ଷରୁ ନାଁ ଘୋଷଣା ପରେ ବିଜେଡି କରିଛି ସମର୍ଥନ ।
ନାମାଙ୍କନ ଦାଖଲର ଶେଷ ଦିନରେ ଆଜି ପୂର୍ବାହ୍ନ ପ୍ରାୟ ୧୧ଟା ବେଳେ ନିଜ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ଅଶ୍ୱିନୀ ବୈଷ୍ଣବ । ଅଶ୍ୱିନୀ ବୈଷ୍ଣବଙ୍କ ନାମାଙ୍କନ ଦାଖଲ ବେଳେ ବିଜେପିର ବରିଷ୍ଠ ନେତା ଉପସ୍ଥିତ ଥିଲେ।
୨୦୧୯ ମସିହାରେ ବିଜେପି ତରଫରୁ ରାଜ୍ୟ ସଭାକୁ ପ୍ରାର୍ଥୀ ହୋଇଥିବା ଅଶ୍ୱିନୀ ବୈଷ୍ଣବଙ୍କୁ ବିଜେଡି ସମର୍ଥନ ଜଣାଇଥିବା ବେଳେ ନାମାଙ୍କନ ଦାଖଲ ବେଳେ ଦଳର କିଛି ନେତା ଉପସ୍ଥିତ ଥିଲେ। ମାତ୍ର ଏଥର କିଛି ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଥିବା ବେଳେ ଏହାକୁ ନେଇ ରାଜନୀତି ମହଲରେ ଆରମ୍ଭ ହୋଇ ଯାଇଛି ଚର୍ଚ୍ଚା।
ନାମାଙ୍କନ ଦାଖଲ ପରେ ଗଣମାଧ୍ୟମ ପ୍ରତିନିଧୀଙ୍କ ସହ ଆଲୋଚନା କରି ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ରାଜ୍ୟସଭା ମାଧ୍ୟମରୁ ଓଡ଼ିଶାର ସେବା କରିବା ପାଇଁ ବିଜେପି ଓ ପ୍ରଧାନମନ୍ତ୍ରୀ ମୋଦି ମୋତେ ସୁଯୋଗ ଦେଇଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଜଣାଉଛି। ଓଡ଼ିଶାର ସେବା କରିବା ପାଇଁ ମହାପ୍ରଭୁ ଶକ୍ତି ଦିଅନ୍ତୁ, ସେବା ଭାବନା ଦିଅନ୍ତୁ।
ନିଜ ପ୍ରତିକ୍ରିୟାରେ ଅଶ୍ୱିନୀ ବୈଷ୍ଣବ କେବଳ ମୋଦିଙ୍କୁ ଧନ୍ୟବାଦ ଜଣାଇଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନାଁ ଧରି ନ ଥିଲେ। ତାଙ୍କ ପ୍ରାର୍ଥୀପତ୍ରକୁ ବିଜେଡି ସମର୍ଥନ କରିଥିବା ସତ୍ତ୍ବେ ବିଜେଡି ସଂପର୍କରେ ପଦଟିଏ ବି କିଛି କହିନଥିଲେ ସେ ।