ଇଂଲଣ୍ଡକୁ ୧୦୬ ରନରେ ହରାଇଲା ଟିମ୍ ଇଣ୍ଡିଆ। ୩୯୯ର ବିଜୟ ଲକ୍ଷ୍ୟକୁ ପିଛା କରି ୨୯୨ରେ ଅଲ୍ ଆଉଟ୍ ହୋଇଗଲା ଇଂଲଣ୍ଡ। ଏହା ସହିତ ୫ଟି ମ୍ୟାଚ୍ ବିଶିଷ୍ଟ ଚଳିତ ଟେଷ୍ଟ ସିରିଜ୍ରେ ସ୍ଥିତି ବରାବର କରିଛି ଭାରତ। ପ୍ରଥମ ଇନିଂସରେ ୧୪୩ ରନ୍ର ଲିଡ୍ ପାଇଥିବା ଭାରତୀୟ ଦଳ ଦ୍ୱିତୀୟ ଇନିଂସରେ ୨୫୫ ରନ୍ କରି ଅଲ୍ଆଉଟ୍ ହୋଇଯାଇଥିଲା। ତା’ ଭିତରେ ଥିଲା ଶୁବମନ ଗିଲ୍ଙ୍କ ଶତକ। ସେ ୧୦୪ ରନ୍ କରିଥିଲେ।
ଇଂଲଣ୍ଡ ୩୯୯ ରନ୍ର ବିଜୟ ଲକ୍ଷ୍ୟ ପାଇଥିବା ବେଳେ ଦଳର କୌଣସି ଖେଳାଳି ବଡ଼ ସ୍କୋର କରିପାରି ନଥିଲେ। ଓପନର ଜ୍ୟାକ୍ କ୍ରାଓଲୀ ସର୍ବାଧିକ ୭୩ ରନ୍ କରିଥିଲେ।
ବେନ୍ ଡକେଟ୍ ୨୮ ରନ୍ କରିଥିବା ବେଳେ ରେହାନ ଅହମଦ ୨୩, ଓଲି ପପ୍ ୨୩, ଜୋ ରୁଟ୍ ୧୬, ଜନି ବେୟାରଷ୍ଟୋ ୨୬ ଓ ଅଧିନାୟକ ବେନ୍ ଷ୍ଟୋକ୍ସ ୧୧ ରନ୍ କରି ଆଉଟ୍ ହୋଇଯାଇଥିଲେ। ବେନ୍ ଫୋକ୍ସ ଓ ଟମ୍ ହାର୍ଟଲୀ ବେଶ୍ କିଛି ସମୟ ଧରି ପାଳିକୁ ସମ୍ଭାଳି ଥିଲେ। କିନ୍ତୁ ସେମାନେ ଦଳକୁ ବିଜୟ ଦ୍ୱାରରେ ପହଞ୍ଚାଇ ପାରି ନଥିଲେ। ସେହିପରି ଶୋଏବ ବାଶୀର ଖାତା ଖୋଲି ପାରି ନଥିବା ବେଳେ ଜେମ୍ସ ଆଣ୍ଡରସନ୍ ୫ ରନ୍ କରି ଅପରାଜିତ ରହିଥିଲେ।
ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ରେକର୍ଡ କରିଛନ୍ତି ଯଶପ୍ରୀତ ବୁମ୍ରା। ସେ ଏକାକୀ ୬ ୱିକେଟ ନେଇ ଇଂଲଣ୍ଡର ପ୍ରଥମ ଇନିଂସକୁ ୨୫୩ ରନରେ ଅଟକାଇ ଦେଇଛନ୍ତି। ଭାରତ ତା’ର ପ୍ରଥମ ଇନିଂସରେ ୩୯୬ ରନ କରିଥିଲା। ତେଣୁ ଦଳକୁ ପ୍ରଥମ ଇନିଂସରେ ଗୁରୁତ୍ୱପୂର୍ଣ୍ଣ ୧୪୩ ରନର ଲିଡ୍ ମିଳିଛି।
ତେବେ ବୁମ୍ରା ମଧ୍ୟ ଆଜି ୬ ୱିକେଟ ନେଇ ନୂଆ ରେକର୍ଡ କରିଛନ୍ତି। ସେ ଆଜି ତାଙ୍କ ଟେଷ୍ଟ କ୍ୟାରିୟରର ୧୫୦ତମ ୱିକେଟ ହାସଲ କରିଛନ୍ତି। ବୁମ୍ରା ଭାରତର ପ୍ରଥମ ପେସ୍ ବୋଲର ଯିଏ ସବୁଠାରୁ କମ ମ୍ୟାଚ୍ ଓ ବଲରେ ଟେଷ୍ଟ କ୍ରିକେଟରେ ୧୫୦ତମ ୱିକେଟ ପୂରଣ କରିଛନ୍ତି। ଏବେ ବୁମ୍ରାଙ୍କ ୱିକେଟ ସଂଖ୍ୟର ୧୫୧ ରହିଛି।
ଆଜି ମଧ୍ୟ ବୁମ୍ରା ୬ ୱିକେଟ ଦଖଲ କରିଛନ୍ତି। କିନ୍ତୁ ତାଙ୍କ ବଲରୁ ଇଂଲଣ୍ଡ ୪୫ ରନ ଆଦାୟ କରଛି। ବୁମ୍ରା ଭାରତର ପ୍ରଥମ ବୋଲର ଯିଏ ୧୫୦ଟି ୱିକେଟ ନେବାକୁ ସବୁଠାରୁ କମ ବଲର ପକାଇଛନ୍ତି। ବୁମ୍ରା ୬୭୮୧ଟି ବଲ ବୋଲିଂ କରି ୧୫୦ଟି ୱିକେଟ ନେଇଥିବା ବେଳେ ତାଙ୍କ ପଛକୁ ଉମେଶ ଯାଦବ(୭୬୬୧ ବଲ), ମହମ୍ମଦ ଶାମି(୭୭୫୫ ବଲ), କପିଲ ଦେବ(୮୩୭୮ ବଲ) ଓ ଅଶ୍ୱିନ(୮୩୮୦ ବଲ) ରହିଛନ୍ତି।