ଆଜିଠୁ ଆରମ୍ଭ ହେଉଛି ବିଧାନସଭାର ବଜେଟ୍ ଅଧିବେଶନ। ଦିନ ୧୧ଟାରେ ରାଜ୍ୟପାଳଙ୍କ ଅଭିଭାଷଣରୁ ଗୃହ ଆରମ୍ଭ ହେବ। ଏହାପରେ ମୁଖ୍ୟମନ୍ତ୍ରୀ ଗୃହରେ ଶୋକପ୍ରସ୍ତାବ ରଖିବେ। ଫେବ୍ରୁଆରୀ ୧୩ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଷୋଡଶ ବିଧାନସଭାର ୧୫ତମ ଅଧିବେଶନରେ ମୋଟ ୭ଟି କାର୍ଯ୍ୟଦିବସ ରହିଛି।
୧୩ତାରିଖ ପର୍ଯ୍ୟନ୍ତ ବିଧାନସଭା ଅଧିବେଶନ ଚାଲିବାର କାର୍ଯ୍ୟକ୍ରମ ରହିଛି। ତେବେ ବିଧାନସଭା ଅଧିବେଶନ ପାଇଁ କୌଣସି ଦଳ ଏପର୍ଯ୍ୟନ୍ତ ନିଜର ବିଧାୟକ ଦଳ ବୈଠକ କରିନଥିଲେ ମଧ୍ୟ ଗୃହ ପ୍ରଥମ ଦିନରୁ ସରଗରମ ହେବାର ଆଶଙ୍କା ରହିଛି । ରାଜ୍ୟ ସରକାରଙ୍କୁ ୫ ବର୍ଷର ହିସାବ ମାଗିବାକୁ ରଣନୀତି କରିଛନ୍ତି ବିରୋଧୀ । ଅର୍ପଣ ରଥରେ ଜଗନ୍ନାଥଙ୍କୁ ଅସମ୍ମାନ, ନିଯୁକ୍ତି ଦୁର୍ନୀତି, ମଣ୍ଡି ସମସ୍ୟା, ଦାଦନ, ଜଳସେଚନ, ପକ୍କା ଘର ଭଳି ପ୍ରସଙ୍ଗରେ ସରକାରଙ୍କୁ ଘେରିବ ବିଜେପି । ସେହିପରି ଆଞ୍ଚଳିକ ବୈଷମ୍ୟ, ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ସହ ପରିକ୍ରମା ପ୍ରକଳ୍ପରେ 4200 କୋଟିର ହିସାବ ମାଗିବ କଂଗ୍ରେସ । ଅନ୍ୟପଟେ ଅଧିବେଶନ ସମୟରେ ୩ ଥାକିଆ ସୁରକ୍ଷାବଳୟ ମଧ୍ୟରେ ରହିବ ବିଧାନସଭା। ୩୧ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ ହେବେ । ଷ୍ଟ୍ରାଇକିଂ ଫୋର୍ସ, ଏସ୍ଟିୟୁ, ବୋମା ନିଷ୍କ୍ରିୟକାରୀ ଦଳ, ଡଗ୍ ସ୍କ୍ବାଡ୍, ଅଗ୍ନିଶମ ବିଭାଗ ସବୁ ଦିଗ ଉପରେ କଡ଼ା ନଜର ରଖିବେ।
ବିଧାନସଭା ବଜେଟ୍ ଅଧିବେଶନ ବେଳେ ଆନ୍ଦୋଳନ ଓ ବିକ୍ଷୋଭ ଆଦିକୁ ଦୃଷ୍ଟିରେ ରଖି କମିଶନରେଟ୍ ପୁଲିସ ପକ୍ଷରୁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ୩୨ ପ୍ଲାଟୁନ ଫୋର୍ସ ମୁତୟନ ହେବାକୁ ଥିବା ବେଳେ, ଏସଓଜି, ଷ୍ଟ୍ରାଇକିଂ ଫୋର୍ସ, ବୋମା ନିଷ୍କ୍ରିୟକାରୀ ଟିମ୍, କ୍ବିକ୍ ଆକ୍ସନ ଟିମ୍, ଡଗ୍ ସ୍କ୍ୱାଡ୍ ସହ ଅଗ୍ନିଶମ ବିଭାଗର ଟିମ୍ ଉପସ୍ଥିତ ରହିବେ। ବିଧାନସଭାରୁ ଆରମ୍ଭ କରି ଲୋୟର ପିଏମଜି, ରବୀନ୍ଦ୍ର ମଣ୍ଡପ ଛକ ଓ ତାର ନିକଟବର୍ତ୍ତୀ ରାସ୍ତାରେ ସିସିଟିଭି ଲଗାଯାଇଛି। ୫ଟି ସ୍ଥାନରେ ଅସ୍ଥାୟୀ ପୋଲିସ କଣ୍ଟ୍ରୋଲ ରୁମ୍ କରାଯାଇଛି । ଡିସିପି ପ୍ରତୀକ ସିଂଙ୍କ ନେତୃତ୍ୱରେ ୮ଜଣ ଅତିରିକ୍ତ ଡିସିପି, ୧୬ଜଣ ଏସିପିଙ୍କ ସହ ୧୦୦ରୁ ଅଧିକ ପୁଲିସ କର୍ମଚାରୀ ନିୟୋଜିତ ହେବେ। ବିଧାନସଭାକୁ ସଂଯୋଗ କରୁଥିବା ୫ଟି ରୁଟକୁ ଡାଇଭର୍ଟ କରାଯାଇଛି। ଅନ୍ୟପକ୍ଷରେ ବିଧାନସଭା ଅଧିବେଶନ ପୂର୍ବରୁ ଆଜି ବସିବ ବିଜେପି ବିଧାୟକ ଦଳ ବୈଠକ। ସକାଳ ସାଢେ ୯ଟାରେ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଏହି ବୈଠକ ବସିବ। ଅର୍ପଣ ରଥ, ଓଡ଼ିଆ ଭାଷା ପ୍ରଚାର ନାଁରେ ମହାମନିଷୀଙ୍କୁ ଅପମାନ, ନିଯୁକ୍ତିରେ ଦୁର୍ନୀତି ଅଭିଯୋଗ, ଚାଷୀ ମୃତ୍ୟୁ ଓ ମଣ୍ଡି ସମସ୍ୟା ଆଦି ପ୍ରସଙ୍ଗରେ ସରକାରଙ୍କୁ ଟାର୍ଗେଟ୍ କରିବାକୁ ରଣନୀତି ପ୍ରସ୍ତୁତ କରିଛି ବିଜେପି।