ପ୍ରଣବପ୍ରକାଶ ଦାସ ସମ୍ବଲପୁର ଲୋକସଭା ଆସନରୁ ପ୍ରାର୍ଥୀ ହେବେ । ଗଣମାଧ୍ୟମରେ ଏଭଳି ଚର୍ଚ୍ଚା ଉପରେ ଆଜି ବବିଙ୍କ ଅଫିସ୍ ମୋହର ଲଗାଇଛି । କେବଳ ସମ୍ବଲପୁର ନୁହେଁ ବ୍ରହ୍ମପୁର, କନ୍ଧମାଳ ଓ ଭୁବନେଶ୍ୱର ଲୋକସଭା ଆସନରେ ବିଜେଡି ନିଜର ପ୍ରାର୍ଥୀଙ୍କୁ ଏବେଠୁ ପ୍ରଚାର ଅଭିଯାନ ଜୋରଦାର କରିବାକୁ ଗ୍ରୀନ୍ ସିଗନାଲ ଦେଇଥିବା ଜଣାପଡ଼ିଛି।
ସୂଚନା ଅନୁସାରେ, ସମ୍ବଲପୁର ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ଦାୟିତ୍ୱରେ ଥିବା ପ୍ରଣବପ୍ରକାଶ ଗତକାଲି ଶୁକ୍ରବାର ସିଧାସଳଖ ନହେଲେ ବି ବୁଲେଇବଙ୍କେଇ ସମ୍ବଲପୁର ଲୋକସଭା ଆସନରୁ ଲଢ଼ିପାରନ୍ତି ବୋଲି ଇସାରା ଦେଇଥିଲେ । ସମ୍ବଲପୁରରେ ତାଙ୍କର ଘର ଥିଲା, ତାଙ୍କ ବାପା ସେଠାରେ ରହୁଥିଲେ । ମୁଖ୍ୟମନ୍ତ୍ରୀଙ୍କର ସେ ଏକ ନମ୍ବର କର୍ମୀ ଆଉ ଏକ ନମ୍ବର ଯୋଦ୍ଧା । ମୁଖ୍ୟମନ୍ତ୍ରୀ ତାଙ୍କୁ ଯେଉଁଠୁ ଲଢ଼ିବାକୁ ଆଦେଶ କରିବେ ସେ ସେଠାରେ ଲଢ଼ିବେ ବୋଲି କହିଥିଲେ । ଇସାରା ଇସାରାରେ ବବି କହିଥିବା ଏହି କଥାକୁ ଗଣମାଧ୍ୟମ ଆଜି ଖବର ଆକାରରେ ପ୍ରକାଶ କରିଥିଲା।
ଏଥର ସମ୍ବଲପୁର ଦେଖିପାରେ ବଡ଼ ଲଢ଼େଇ । ବିଜେଡି ସାଂଗଠନିକ ସମ୍ପାଦକ ସମ୍ବଲପୁରରୁ ଲଢ଼ିବା ନେଇ ଚର୍ଚ୍ଚା ହେଉଛି । ସାମ୍ବାଦିକଙ୍କ ପ୍ରଶ୍ନର ଉତର ଦେଇ ପ୍ରଣବ ପ୍ରକାଶ ଦାସ କହିଛନ୍ତି, ମୁଖ୍ୟମନ୍ତ୍ରୀ ଚାହିଁଲେ ସମ୍ବଲପୁରରୁ ଲଢ଼ିବାକୁ ସେ ପ୍ରସ୍ତୁତ । ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ଏଥର ସମ୍ବଲପୁରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ପ୍ରଣବଙ୍କ ଲଢ଼େଇ ହୋଇପାରେ ।
୨୦୨୪ ସାଧାରଣ ନିର୍ବାଚନରେ ସମ୍ବଲପୁର ଲୋକସଭା ଆସନରୁ ଲଢ଼ିବା ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଗ୍ରହୀ ଥିବା ଚର୍ଚ୍ଚା ଭିତରେ ଆଉ ଏକ ବଡ଼ ଆଲୋଚନା ଆରମ୍ଭ ହୋଇଛି । କୁହାଯାଉଛି, ସମ୍ବଲପୁର ଲୋକସଭା ଆସନରୁ ଲଢି଼ ପାରନ୍ତି ପ୍ରଣବ ପ୍ରକାଶ ଦାସ । ଏହାର ଆଧାର ହେଉଛି, ଅନୌପଚାରିକ ଆଲୋଚନା ବେଳେ ପରୋକ୍ଷରେ ଏ ନେଇ ଇସାରା ଦେଇଛନ୍ତି ବିଜେଡିର ସାଂଗଠନିକ ସମ୍ପାଦକ । ସାମ୍ବାଦିକଙ୍କୁ ପ୍ରଣବ କହିଛନ୍ତି, ସମ୍ବଲପୁରରେ ତାଙ୍କ ବାପା ଚାକିରି କରୁଥିଲେ, ତେଣୁ ଏହି ଅଂଚଳ ସହ ତାଙ୍କ ସଂପର୍କ ପୁରୁଣା । ଏଠାରେ ଲଢ଼ିବାରେ କୌଣସି ଅସୁବିଧା ନାହିଁ । ଏହା ସହ ପ୍ରଣବ କହିଛନ୍ତି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କର ନେତା, ସେ ଯେଉଁଠି କହିବେ, ସେଠି ଲଢ଼ିବାକୁ ପ୍ରସ୍ତୁତ । ଏହି ଆଲୋଚନାକୁ ଆହୁରି ଆଗକୁ ବଢ଼ାଇଛନ୍ତି ରୋହିତ ପୂଜାରୀ । ପ୍ରଣବ ପ୍ରକାଶ ଦାସ ଜଣେ ଭଲ ସଂଗଠକ, ସମ୍ବଲପୁରରେ ଲଢିଲେ, ତାଙ୍କୁ ସ୍ୱାଗତ କରାଯିବ । ଏହାର ପ୍ରଭାବ ଆଖପାଖ ନିର୍ବାଚନମଣ୍ଡଳୀରେ ମଧ୍ୟ ପଡିବ ବୋଲି ଦମ୍ଭୋକ୍ତି ଦେଖାଇଛନ୍ତି ରେଢ଼ାଖୋଲ ବିଧାୟକ ।