କେପଟାଉନ ଟେଷ୍ଟରେ ଦକ୍ଷିଣ ଆଫ୍ରିକାକୁ ୭ ଓ୍ବିକେଟରେ ପରାସ୍ତ କରିଛି ଭାରତ । ଏହା ସହିତ ସିରିଜ ୧-୧ରେ ଅମିମାଂସିତ ଭାବେ ଶେଷ ହୋଇଛି । କିନ୍ତୁ ଏହି ଟେଷ୍ଟମ୍ୟାଚ ସହ ଯୋଡ଼ି ହୋଇଯାଇଛି ଏକ ଅଲୋଡ଼ା ରେକର୍ଡ । ଏହାକୁ କ୍ରିକେଟ ଇତିହାସର ସବୁଠାରୁ ଛୋଟ ମ୍ୟାଚ ବୋଲି କୁହାଯାଉଛି ।
ଆଜି ଭାରତ ଦ୍ୱିତୀୟ ଟେଷ୍ଟକୁ ମାତ୍ର ଦେଢ଼ ଦିନରେ ଶେଷ କରି ନୂଆ କୀର୍ତ୍ତିମାନ ହାସଲ କରିଛି। ମ୍ୟାଚକୁ ୭ ୱିକେଟରେ ଜିତି ଭାରତୀୟ ଟିମ ଦୁଇଟି ଟିକିଆ ଟେଷ୍ଟ ସିରିଜକୁ ୧-୧ରେ ବରାବର କରିଛି।
ଏହାବାଦ ୩୨ ବର୍ଷ ଧରି ଜାରି ରହିଥିବା ଲଜ୍ଜାଜନକ ରେକର୍ଡକୁ ମଧ୍ୟ ଭାରତୀୟ ଟିମ ଏଥର ଭାଙ୍ଗି ଦେଇଛି। ଆଜି ଯାଏ ଭାରତୀୟ ଟିମ କେବେ ହେଲେ କେପ ଟାଉନରେ ଦକ୍ଷିଣ ଆଫ୍ରିକାକୁ ହରାଇ ନଥିଲା। କିନ୍ତୁ ଏଥର ଭାରତ ନୂଆ ଅଧ୍ୟାୟ ସୃଷ୍ଟି କରିଛି। କେପ ଟାଉନରେ ଭାରତ ଅତି ସହଜରେ ଦକ୍ଷିଣ ଆଫ୍ରିକାକୁ ମାତ ଦେଇଛି।
ଏହି ମ୍ୟାଚଟି ମାତ୍ର ଦେଢ ଦିନରେ ଶେଷ ହୋଇଯାଇଥିଲା ଓ ମୋଟ ୬୪୨ଟି ବଲ୍ ପକାଯାଇଥିଲା । ଆଜିର ମ୍ୟାଚ ୯୨ ବର୍ଷର ରେକର୍ଡ ଭାଙ୍ଗିଦେଇଛି । ଏହି ମ୍ୟାଚ ପୂର୍ବରୁ କ୍ରିକେଟ ଇତିହାସର ସବୁଠାରୁ ଛୋଟ ମ୍ୟାଚ ୧୯୩୨ ମସିହାରେ ଖେଳାଯାଇଥିଲା । ସେହି ଟେଷ୍ଟ ମ୍ୟାଚଟି ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ମେଲବୋର୍ଣ୍ଣରେ ଖେଳାଯାଇଥିଲା । ସେହି ମ୍ୟାଚରେ ବି ଦକ୍ଷିଣ ଆଫ୍ରିକାର ଇନିଂସ ପରାଜୟ ହୋଇଥିଲା । ଅଷ୍ଟ୍ରେଲିଆ ଇନିଂସ ଓ ୭୨ ରନରେ ବିଜୟ ହାସଲ କରିଥିଲା । ସେହି ମ୍ୟାଚରେ ମୋଟ ୬୫୬ଟି ବଲ ପକାଯାଇଥିଲା ।
କ୍ରିକେଟ ଇତିହାସରେ ୩ୟ ସବୁଠାରୁ ଛୋଟ ମ୍ୟାଚଟି ୧୯୩୫ ମସିହାରେ ଖେଳାଯାଇଥିଲା । ସେହି ମ୍ୟାଚଟି ଇଂଲଣ୍ଡ ଓ ଓ୍ବେଷ୍ଟ ଇଣ୍ଡିଜ୍ ମଧ୍ୟରେ ବ୍ରିଜଟାଉନଠାରେ ଖେଳାଯାଇଥିଲା । ସେହି ମ୍ୟାଚରେ ଇଂଲଣ୍ଡ ୪ ଓ୍ବିକେଟରେ ଜିତିଥିଲା । ସେହି ମ୍ୟାଚରେ ୬୭୨ଟି ବଲ ପକାଯାଇଥିଲା ।
ଏହି ପରାଜୟ ସହ ଅଭିଜ୍ଞ ଡିନ ଏଲଗାରଙ୍କ କ୍ରିକେଟ କ୍ୟାରିୟର ଶେଷ ହୋଇଛି। ତାଙ୍କୁ ଉଭୟ ଦଳର ଖେଳାଳି ଭାବପୂର୍ଣ୍ଣ ବିଦାୟ ଜଣାଇଛନ୍ତି। ଏହି ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକାର କମାଣ ମଧ୍ୟ ଏଲଗାର ସମ୍ଭାଳିଥିଲେ। ପ୍ରଥମ ଟେଷ୍ଟରେ ସେ ୧୮୫ ରନ କରିଥିଲେ। କିନ୍ତୁ ଦ୍ୱିତୀୟ ଟେଷ୍ଟରେ ତାଙ୍କ ବ୍ୟାଟରୁ ବଡ଼ ପାଳି ଦେଖିବାକୁ ମିଳିନି।
କେପ ଟାଉନରେ ଖେଳା ଯାଉଥିବା ଦ୍ୱିତୀୟ ଟେଷ୍ଟର ପ୍ରଥମ ଇନିଂସରେ ଦକ୍ଷିଣ ଆଫ୍ରିକା ମାତ୍ର ୫୫ ରନରେ ଅଲଆଉଟ ହୋଇଥିଲା। ଏହାର ଜବାବରେ ଭାରତ ପ୍ରଥମ ଇନିଂସରେ ୧୫୩ ରନ କରିଥିଲା। ଫଳରେ ଭାରତକୁ ୯୮ ରନର ଗୁରୁତ୍ୱପୂର୍ଣ୍ଣ ଲିଡ ମିଳିଥିଲା।
ଦକ୍ଷିଣ ଆଫ୍ରିକା ପାଇଁ ଦ୍ୱିତୀୟ ଇନିଂସରେ ଏଡେନ ମାକରମ ୧୦୬ ରନ ଇନିଂସ ଖେଳିଥିଲେ। ହେଲେ ଯଶପ୍ରୀତ ବୁମ୍ରାଙ୍କ ୬ ୱିକେଟ ଦଖଲ ଯୋଗୁ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଇନିଂସରେ କେବଳ ୧୭୬ ରନ କରିବାକୁ ସକ୍ଷମ ହୋଇଥିଲା।