କଟକ-ଚାନ୍ଦବାଲି ରାସ୍ତାରେ ଭୟଙ୍କର ଦୁର୍ଘଟଣା । ନିଶ୍ଚିତକୋଇଲିର କଟରପଡା କଳା ପୋଲ ନିକଟରେ ଦଶ ଚକିଆ ଟ୍ରକ ଓ ବସ୍ ମଧ୍ୟରେ ମୁହାଁମୁହିଁ ଧକ୍କା । ଘନ କୁହୁଡି ଯୋଗୁଁ ଦୁର୍ଘଟଣା ହୋଇଥିବା କହିଛନ୍ତି ପ୍ରତ୍ୟକ୍ଷଦର୍ଶୀ । ଚାନ୍ଦବାଲିରୁ ଆସୁଥିବା ମନୋରମା ବସ୍ ଓ କଟକ ଆଡୁ ଯାଉଥିବା ଦଶ ଚକିଆ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି । ଏହି ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪୦ ଜଣ ଆହତ ହୋଇଛନ୍ତି ।
ବସରେ ମୋଟ ୬୦ ଜଣ ଯାତ୍ରୀ ଥିବା ବେଳେ ୪୦ ଜଣ ଆହତ ହୋଇଛନ୍ତି ।ଯେଉଁମାନଙ୍କ ମଧ୍ୟରେ ୨୦ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି । ବସ୍ ଭିତରେ ୪ ଜଣ ଫଶି ରହିଥିବା ବେଳେ ୩ ଜଣଙ୍କୁ ଉଦ୍ଧାର କରାଯାଇଛି । ଏବେ ବି ଜଣଙ୍କୁ ଉଦ୍ଧାର କରିବାକୁ ଅଗ୍ନିଶମ ବିଭାଗ ଉଦ୍ୟମ ଜାରି ରଖିଛି । ଗ୍ୟାସ୍ କଟର ଜରିଆରେ ବସକୁ କାଟି ଗୁରୁତରଙ୍କୁ ଉଦ୍ଧାର କରିବାକୁ ପ୍ରୟାସ ଚାଲିଛି ।ସମସ୍ତ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ଦୁର୍ଘଟଣା ପରେ ଉଭୟ ବସ୍ ଓ ଟ୍ରକ୍ ଡ୍ରାଇଭର ଫସି ରହିଥିଲେ। ସେମାନେ ଗାଡ଼ିରୁ ବାହାରି ପାରି ନଥିଲେ। ସେମାନଙ୍କୁ ଅଗ୍ନିଶମ ବାହିନୀ କର୍ମଚାରୀମାନେ ଉଦ୍ଧାର କରିଥିଲେ। ଖବର ଲେଖାଯିବା ବେଳକୁ ବସ୍ରେ ଆହୁରି ଦୁଇ ଜଣ ଯାତ୍ରୀ ଫସି ରହିଛନ୍ତି। ସେମାନଙ୍କୁ ବାହାର କରିବା ପାଇଁ ଅଗ୍ନିଶମ ବାହିନୀ ପକ୍ଷରୁ ଉଦ୍ୟମ ଜାରି ରହିଛି।
ଏହି ଦୁର୍ଘଟଣା କେମିତି ଘଟିଲା, ତାହା ସ୍ପଷ୍ଟ ହୋଇପାରି ନାହିଁ। ତେବେ କୁହୁଡ଼ି ଏକ କାରଣ ହୋଇପାରେ ବୋଲି କୁହାଯାଉଛି।