ଆହୁରି ଶକ୍ତିଶାଳୀ ହେଲା ଭାରତୀୟ ନୌସେନା। ଶତ୍ରୁ ପକ୍ଷ ମିସାଇଲ୍ ବିଧ୍ବଂସକାରୀ ସ୍ବଦେଶୀ ଜ୍ଞାନ କୌଶଳରେ ନିର୍ମିତ ଯୁଦ୍ଧ ଜାହାଜ ‘ଆଇଏନଏସ ଇମ୍ଫାଲ’ ମଙ୍ଗଳବାର ନୌସେନାରେ ସାମିଲ ହୋିଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ, ନୌସେନା ମୁଖ୍ୟ ଆଡ଼ମିରାଲ ଆର ହରି କୁମାରଙ୍କ ଉପସ୍ଥିତିରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଆନୁଷ୍ଠାନିକ ଭାବେ ଏହା ଭାରତୀୟ ନୌସେନାରେ ସାମିଲ ହୋଇଛି।
ଏହି ଯୁଦ୍ଧପୋତରେ ପାଖାପାଖି ୭୫ ପ୍ରତିଶତ ସ୍ୱଦେଶୀ ଜ୍ଞାନକୌଶଳ ବ୍ୟବହାର କରାଯାଇଛି । ଏଥିରେ ଏଭଳି ମିଶାଇଲକୁ ସଂଲଗ୍ନ କରାଯାଇଛି ଯାହା ମଧ୍ୟବର୍ତ୍ତୀ ଦୂରତା ଯାଏଁ ଶତ୍ରୁକୁ ଆକ୍ରମଣ କରିପାରିବ । ଏଥିରେ ବ୍ରହ୍ମୋସ୍ ମିଶାଇଲକୁ ସଂଲଗ୍ନ କରାଯାଇଛି । ଏହା ସହ ରହିଛି ସ୍ୱଦେଶୀ ଟରପିଡୋ ଟ୍ୟୁବ ଲଞ୍ଚର । ଏହସହ ରହିଛି ବୁଡା ଜାହାଜ ରୋଧକ ରକେଟ୍ ଲଞ୍ଚର ଏବଂ ସୁପର ଗନ୍ ମାଉଣ୍ଟ ।
ପଶ୍ଚିମ ନୌସେନା କମାଣ୍ଡ୍ର ‘ଫ୍ଲାଗ୍ ଅଫିସର କମାଣ୍ଡିଂ ଇନ୍ ଚିଫ୍’ ଭାଇସ୍ ଆଡମିରାଲ ଦିନେଶ କେ. ତ୍ରିପାଠୀ କହିଛନ୍ତି, ‘ଆଇଏନଏସ ଇମ୍ଫାଲ’ ହେଉଛି ପ୍ରଥମ ଯୁଦ୍ଧ ଜାହାଜ, ଯାହା ପୂର୍ବୋତ୍ତରର ଏକ ସହର ନାମରେ ନାମିତ ହୋଇଛି। ଚଳିତ ବର୍ଷ ଅକ୍ଟୋବର ୨୦ରେ ଏହାକୁ ଭାରତୀୟ ନୌସେନାକୁ ହସ୍ତାନ୍ତର କରାଯାଇଥିଲା।