ପୁଣି ଫେରିଲାଣି କରୋନା । ଦେଶରେ ଦିନକୁ ଦିନ ବଢୁଛି କରୋନା ସଂକ୍ରମଣ । ଗତ କିଛି ଦିନ ଧରି ଦେଶର ବିଭିନ୍ନ ରାଜ୍ୟରେ କାୟା ବିସ୍ତାର କରୁଛି କରୋନାର ନୂଆ ସବ ଭାରିଆଣ୍ଟ ଜେଏନ ୧ ମାମଲା । ଗତ ୨୪ ଘଂଟାରେ ଦେଶରେ ୬୪୦ ନୂଆ ମାମଲା ଚିହ୍ନଟ ହୋଇଛି । ଏହାସହ ଜଣେ ସଂକ୍ରମିତଙ୍କର ମୃତ୍ୟୁ ହୋଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି । କେରଳରୁ ସର୍ବାଧିକ ୨୬୫ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଜଣଙ୍କ ଜୀବନ ଯାଇଛି। ସେହିପରି ଗତ ୨୪ ଘଣ୍ଟାରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୨୯୯୭ ରହିଛି । କରୋନାର ଦ୍ରୁତ ସଂକ୍ରମଣକୁ ନଜରରେ ରଖି କେନ୍ଦ୍ର ସରକାର ଗାଇଡଲାଇନ ଜାରି କରିଛନ୍ତି । କେରଳ, କର୍ଣ୍ଣାଟକ ସମେତ କିଛି ରାଜ୍ୟ ମାସ୍କ ବାଧ୍ୟତା ମୂଳକ କରିଛନ୍ତି । ଭିଡ଼ ସ୍ଥାନକୁ ଲୋକଙ୍କୁ ନଯିବା ପାଇଁ ପରାମର୍ଶ ଦିଆଯାଉଛି । ସେହିପରି ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ସ୍ୱାସ୍ଥ୍ୟକୁ ନେଇ ବିଶେଷ ଗୁରୁତ୍ୱ ଦେବାର ଆବଶ୍ୟକତା ରହିଥିବା ନେଇ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି । ବିନା ମାସ୍କରେ ବାହାରକୁ ନଯିବା, ସଂଗରୋଧରେ ରହିଥିବା ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିବାଠାରୁ ଦୂରେଇ ରହିବା ଉଚିତ । କାରଣ ଦୀର୍ଘ ସମୟ ଧରି ସଂକ୍ରମିତଙ୍କ ସହିତ ରହିବା କାରଣରୁ ସଂକ୍ରମଣ ହେବାର ଆଶଙ୍କା ବୃଦ୍ଧି ପାଇଥାଏ । ତେବେ ଶୀତ ଋତୁରେ ଶ୍ବାସକ୍ରିୟା କାରଣରୁ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି।