ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ବଡ଼ଦାଣ୍ତରେ ହେବ ସ୍ବତନ୍ତ୍ର ବ୍ୟବସ୍ଥା। ଶ୍ରଦ୍ଧାଳୁମାନେ ଏବେ କରିଡ଼ର ଦେଇ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିବେ । ମରିଚିକୋଟ ଛକରୁ ମନ୍ଦିର ପର୍ଯ୍ୟନ୍ତ ଭୂତଳ କରିଡ଼ର ନିର୍ମାଣ ପ୍ରସ୍ତାବ ନେଇ ରହିଛି । ସେପଟେ ମହାପ୍ରଭୁଙ୍କ ରଥଯାତ୍ରା ଯେପରି ବାଧାପ୍ରାପ୍ତ ନହୁଏ ତାହାକୁ ଦୃଷ୍ଟିରେ ରଖି ଏହି କରିଡ଼ର ନିର୍ମାଣ କରାଯିବ ।
ଦିନକୁ ଦିନ ମହାପ୍ରଭୁଙ୍କ ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼ ବଢିବାରେ ଲାଗିଛି । ସେପଟେ ପ୍ରଶାସନ ପକ୍ଷରୁ ନିର୍ମାଣ କରାଯାଇଥିବା ଅସ୍ଥାୟୀ ବ୍ୟାରିକେଡ଼ରେ ଭକ୍ତମାନଙ୍କୁ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବାକୁ ପଡୁଛି । ଅନେକ ସମୟରେ ତ ଭକ୍ତଙ୍କ ଲମ୍ବା ଲାଇନ ମରିଚିକୋଟ ଛକ ପର୍ଯ୍ୟନ୍ତ ଲମ୍ବୁଛି । ତେବେ ଆସନ୍ତା ଜାନୁୟାରୀ ୧୭ ତାରିଖରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଉଦ୍ଦଘାଟନ ହେବାକୁ ଯାଉଛି । ଏହାପରେ ଭକ୍ତଙ୍କ ସଂଖ୍ୟା ଆହୁରି ବଢିବା ନେଇ ଆକଳନ କରାଯାଉଛି । ତେଣୁ ଭକ୍ତଙ୍କ ସୁବିଧାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ମରିଚିକୋଟ ଛକଠାରୁ ଶ୍ରୀମନ୍ଦିର ପର୍ଯ୍ୟନ୍ତ ଏକ ସ୍ବତନ୍ତ୍ର ଶେଡ଼ ବା ଶୀତତାପ ନିୟନ୍ତ୍ରିତ କରିଡ଼ର ନିର୍ମାଣ କରାଯିବା ପାଇଁ ନିଷ୍ପତ୍ତି ହୋଇଛି । ଭକ୍ତମାନେ ଏହି ଶେଡ଼ରେ ସୁବିଧାରେ ଯାଇ ମହାପ୍ରଭଙ୍କୁ ଦର୍ଶନ କରିପାରିବେ । ସେପଟେ ଟ୍ରାଫିକ ସମସ୍ୟା ଦୂର ପାଇଁ ଶ୍ରୀମନ୍ଦିରଠାରୁ ମରିଚକୋଟ ଛକ ପର୍ଯ୍ୟନ୍ତ ଉଠାଦେକାନୀଙ୍କୁ ଉଠେଇବା ପାଇଁ ନିଷ୍ପତ୍ତି ନିଆଯାଇଛି ବୋଲି ଉପଜିଲ୍ଲାପାଳ ସୂଚନା ଦେଇଛନ୍ତି ।
ଅନ୍ୟପଟେ ଶ୍ରୀସେତୁଠାରୁ ଶ୍ରୀ ଜଗନ୍ନାଥ ବଲ୍ଲଭ ମଠ ଦେଇ ଶ୍ରୀମନ୍ଦିର ପର୍ଯ୍ୟନ୍ତ ନୂତନ ରାସ୍ତା ନିର୍ମାଣ କରାଯିବ । ଶ୍ରଦ୍ଧାଳୁମାନେ ଏହି ରାସ୍ତା ଦେଇ ଶ୍ରୀମନ୍ଦିରକୁ ଯାତାୟତ କରିବେ । ସେହିପରି ବଡ଼ଦାଣ୍ତରେ ଭକ୍ତଙ୍କ ଅସମ୍ଭାଳ ଭିଡ଼କୁ ଦୃଷ୍ଟିରେ ରଖି ଆଉ ଏକ ବିକଳ୍ପ ରାସ୍ତା ନିର୍ମାଣ କରାଯିବ ।ବଡ଼ଦାଣ୍ତ ଦେଇ ଆସୁଥିବା ଭକ୍ତମାନେ ଯେପରି ସୁବିଧାରେ ଶେଡ଼ରେ ଯାଇପାରିବେ ଓ ସେମାନଙ୍କ ଜିନିଷ ରଖିପାରିବେ ସେଥିପ୍ରତି ଧ୍ୟାନ ଦିଆଯିବ । ସମସ୍ତଙ୍କ ସହଯୋଗରେ କାର୍ଯ୍ୟ ହେବ ବୋଲି ଉପଜିଲ୍ଲାପାଳ କହିଛନ୍ତି ।