ପୁଣେ : ଇଂଲଣ୍ଡ ବିପକ୍ଷ ପ୍ରଥମ ଦିନିକିଆରେ ଶାନଦାର ପ୍ରଦର୍ଶନ କରିଛି ଟିମ୍ ଇଣ୍ଡିଆ। ପ୍ରଥମା ଶିଖର ଧାଓ୍ବନ – ବିରାଟଙ୍କ ଶାନଦାର ଅର୍ଦ୍ଧଶତକୀୟ ଇନିଂସ୍ ଓ ରାହୁଲ-କୃଣାଳ ଯୋଡ଼ିଙ୍କ ଧୂଆଁଦାର ଇନିଂସ୍ ବଳରେ ୫ ଓ୍ବିକେଟ ହରାଇ ୩୧୭ ରନ୍ କରିବାରେ ସଫଳ ହୋଇଛି ଭାରତୀୟ ଟିମ୍। ଯାହାଫଳରେ ଇଂଲଣ୍ଡ ଟିମକୁ ୩୧୮ ରନର ଟାର୍ଗେଟ ଦେଇଛି ବିରାଟ ବାହିନୀ। ପୁଣେର ଏମସିଏ କ୍ରିକେଟ ଷ୍ଟାଡିୟମରେ ଖେଳାଯାଉଛି ଭାରତ-ଇଂଲଣ୍ଡ ଦିନିକିଆ ସିିରିଜର ପ୍ରଥମ ମ୍ୟାଚ୍। ଫର୍ମାଟ ବଦଳିବା ସତ୍ତ୍ବେ ବଦଳିନି ବିରାଟଙ୍କ ଭାଗ୍ୟ। ଟି-୨୦ ସିରିଜ ପରେ ଦିନିକିଆ ସିରିଜର ପ୍ରଥମ ମ୍ୟାଚରେ ମଧ୍ୟ ଟସ୍ ହାରିଛନ୍ତି ବିରାଟ। ଇଂଲଣ୍ଡ ଅଧିନାୟକ ଇଅନ୍ ମୋର୍ଗାନ ଟସ୍ ଜିଣି ପ୍ରଥମେ ବୋଲିଂ କରିବାର ନିଷ୍ପତ୍ତି ନେଇଥିଲେ। ଯାହାଫଳରେ ଟିମ୍ ଇଣ୍ଡିଆର ଦୁଇ ଓପନର ଶିଖର ଧାଓ୍ବନ ଓ ରୋହିତ ଶର୍ମା ଇନିଂସ୍ ଓପନ କରିଥିଲେ। ରୋହିତ-ଧାଓ୍ବନ ଯୋଡ଼ି ଟିମ୍ ଇଣ୍ଡିଆକୁ ଭଲ ଆରମ୍ଭ ଦେଇଥିଲେ। ହେଲେ ଦଳୀୟ ସ୍କୋର ୬୪ ହୋଇଥିବା ବେଳେ ଦଳକୁ ଲାଗିଥିଲା ପ୍ରଥମ ଝଟକା। ରୋହିତ ଶର୍ମା ୨୮ ରନ୍ କରି ପ୍ୟାଭିଲିଅନ୍ ଫେରିଥିଲେ । ଏହାପରେ ମଇଦାନକୁ ବ୍ୟାଟିଂ କରିବାକୁ ଆସିଥିଲେ ଅଧିନାୟକ ବିରାଟ କୋହଲି। ବିରାଟ ଧାଓ୍ବନଙ୍କ ସହ ମିଶି ଦଳୀୟ ସ୍କୋରକୁ ଆଗକୁ ବଢ଼ାଇଥିଲେ। ଦମଦାର ଫର୍ମରେ ଥିବା ବିରାଟ ୫୬ ରନ୍ କରି ମାର୍କ ଉଡଙ୍କ ବଲରେ ଆଉଟ୍ ହୋଇଥିଲେ। ଏହାପରେ ଯୁବ ବ୍ୟାଟସମ୍ୟାନ୍ ଶ୍ରେୟସ୍ ଆୟର କ୍ରିଜକୁ ଆସିଥିଲେ। ସେ ମାତ୍ର ୬ ରନ୍ କରି ପ୍ୟାଭିଲିଅନ୍ ଫେରିଥିଲେ। ଆୟରଙ୍କ ଆଉଟ୍ ପରେ ରାହୁଲ ବ୍ୟାଟିଂ କରିବାକୁ ଆସିଥିଲେ। ଦଳୀୟ ସ୍କୋର ୧୯୭ ହୋଇଥିବା ବେଳେ ଟିମ୍ ଇଣ୍ଡିଆକୁ ଲାଗିଥିଲା ବଡ଼ ଝଟକା। ୯୮ ରନ୍ କରି ପ୍ୟାଭିଲିଅନ୍ ଫେରିଥିଲେ ଶିଖର ଧାଓ୍ବନ। ତାଙ୍କ ପରେ ପାଣ୍ଡ୍ୟା ବ୍ୟାଟିଂ କରିବାକୁ ଆସିଥିଲେ ହେଁ ମାତ୍ର ୧ ରନ୍ କରି ପ୍ୟାଭିଲିଅନ୍ ଫେରିଥିଲେ। ପାଣ୍ଡ୍ୟାଙ୍କ ଆଉଟ୍ ପରେ ଦିନିକିଆରେ ଡେବ୍ୟୁ କରିଥିବା କୃଣାଳ ପାଣ୍ଡ୍ୟା କେଏଲ ରାହୁଲଙ୍କ ସହ ଦଳୀୟ ସ୍କୋରକୁ ବଢ଼ାଇଥିଲେ। ଦୁଇ ଖେଳାଳି ଇନିଂସ୍ ଶେଷ ପର୍ଯ୍ୟନ୍ତ ଶାନଦାର ଇନିଂସ୍ ଖେଳିଥିଲେ। ରାହୁଲ ଓ କୃଣାଳ ଧୂଆଁଦାର ଅର୍ଦ୍ଧଶତକୀୟ ଇନିଂସ୍ ଖେଳି ନିର୍ଦ୍ଧାରିତ ଓଭରରେ ଦଳୀୟ ସ୍କୋର ୩୧୭ ରନରେ ପହଁଞ୍ଚାଇଥିଲେ। ରାହୁଲ ଅପରାଜିତ ରହି ମାତ୍ର ୪୩ ବଲରେ ୬୦ ରନ୍ କରିଥିବା ବେଳେ ଓ କୃଣାଳ ପାଣ୍ଡ୍ୟା ୩୧ ଟି ବଲ ଖେଳି ୫୮ ରନର ଧୂଆଁଦାର ଇନିଂସ୍ ଖେଳିିଥିଲେ। ଇଂଲଣ୍ଡ ପକ୍ଷରୁ ମାର୍କ ଉଡ ୨ଟି ଓ୍ବିକେଟ ନେଇଥିବା ବେଳେ ବେନ୍ ଷ୍ଟୋକ୍ସ ୩ଟି ଓ୍ବିକେଟ ନେଇଥିଲେ।