ଆଜି କାର୍ତ୍ତିକ ପୂର୍ଣ୍ଣିମା ରାଜରାଜେଶ୍ବର ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ। ଶ୍ରୀଜଗନ୍ନାଥଙ୍କୁ ଦର୍ଶନ ପାଇଁ ଲକ୍ଷାଧିକ ଲୋକଙ୍କ ଗହଳି ସାରା ରାତି ଚାଲିଲା।
ଆଜି କାର୍ତ୍ତିକ ପୂର୍ଣ୍ଣିମା । ପବିତ୍ର କାର୍ତ୍ତିକ ମାସର ଶେଷ ଦିନ । ମହାପ୍ରଭୁଙ୍କର ରାଜରାଜେଶ୍ବର ବେଶ । ଦୁର୍ଲଭ ବେଶ ଦେଖିବା ପାଇଁ ଲକ୍ଷାଧିକ ଭକ୍ତଙ୍କ ସମାଗମ । ଭିଡ଼କୁ ନଜରରେ ରଖି ପୁରୀରେ ୪୫ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି । କେବଳ ଶ୍ରୀମନ୍ଦିରରେ ୩୦ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି । ସେପଟେ ଗତକାଲି ରାତି ସାରା ଜଗା ଦର୍ଶନ କରିଛନ୍ତି ଶ୍ରଦ୍ଧାଳୁ । ଅନିଦ୍ରା ରହିଥିଲେ ଭକ୍ତ ଆଉ ଭକ୍ତଙ୍କ ପାଇଁ ଅନିଦ୍ରା ରହିଥିଲେ ଭାବଗ୍ରାହୀ ଜଗନ୍ନାଥ ।
ଧର୍ମ ମାସର ଶେଷ ଦିନରେ ଆଜି ଲକ୍ଷାଧିକ ଭକ୍ତ ଓ ଶ୍ରଦ୍ଧାଳୁ ବଡି ଭୋରରୁ ପୁରୀର ସମୁଦ୍ର ଓ ବିଭିନ୍ନ ତୀର୍ଥ ପୁଷ୍କରିଣୀମାନଙ୍କରେ ଡ଼ଙ୍ଗା ଭସାଇବା ସହ ବୁଡ଼ ପକାଇଛନ୍ତି | ଆଜିର ଦିନରେ ଶ୍ରୀଜିଉ ମାନଙ୍କର ରାଜରାଜେଶ୍ୱର ବେଶରେ ଦର୍ଶନ କଲେ ଅଶେଷ ପୁଣ୍ୟ ମିଳିଥାଏ ବୋଲି ବିଶ୍ୱାସ ରହିଛି । ରାଜ୍ୟ ତଥା ରାଜ୍ୟ ବାହାରୁ ଲକ୍ଷାଧିକ ଭକ୍ତଙ୍କ ଭିଡ ଶ୍ରୀକ୍ଷେତ୍ରରେ ଜମିଥିବା ବେଳେ ଶୃଙ୍ଖଳିତ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛ ।