ଆଜିଠୁ ଆରମ୍ଭ ହେଉଛି ଐତିହାସିକ କଟକ ବାଲିଯାତ୍ରା । ୮ ଦିନ ଧରି ଚାଲିବ ଏହି ମେଳା । ୩୪ ଏକର ଜମି ଉପରେ ଆୟୋଜିତ ହେଉଥିବା ବାଲିଯାତ୍ରାର ଉଭୟ ପଡ଼ିଆରେ ଖୋଲିବ ଦୋକାନବଜାରର ପସରା । ନଭେମ୍ବର ୨୭ ତାରିଖରୁ ଆରମ୍ଭ ହୋଇ ଡିସେମ୍ବର ୪ ତାରିଖରେ ଶେଷ ହେବ ।
ଆଜି ସନ୍ଧ୍ୟାରେ ଆନୁଷ୍ଠାନିକ ଭାବେ ମେଳାକୁ ଉଦଘାଟନ କରାଯିବ । ବାଲିଯାତ୍ରାରେ ଏଥର ପ୍ରମୁଖ ଆକର୍ଷଣ ରହିଛି ‘କଟକ ଇନ୍ କଟକ’ । ‘କଟକ ଇନ୍ କଟକ’ରେ ଗାଁ ଝଲକ ଦେଖିବାକୁ ମିଳିବ । ଏଥିରେ ଗାଁ ଜୀବିକା ଓ ପରମ୍ପରାକୁ ଖୁବ୍ ଆକର୍ଷଣୀୟ ଢଙ୍ଗରେ ପ୍ରଦର୍ଶନ କରାଯାଉଛି । ‘କଟକ ଇନ୍ କଟକ’ ମଧ୍ୟରେ ପ୍ରାଣୀସମ୍ପଦ ବିଭାଗ ଓ ମତ୍ସ୍ୟବିଭାଗ ପକ୍ଷରୁ ସ୍ୱତନ୍ତ୍ର ପ୍ରଦର୍ଶନୀର ଆୟୋଜନ କରାଯାଇଛି । ଏହା ସହ ବାଲିଯାତ୍ରାରେ ଚଳିତବର୍ଷ ନୂଆ କରି ଟନେଲ୍ ଆକ୍ବାରିୟମ୍ ସ୍ଥାନ ପାଇଛି । କେରଳରୁ ଆସିଥିବା ଏହି ୫ ହଜାର୍ ବର୍ଗଫୁଟ୍ରୁ ଅଧିକ ଆକାରର ଆକ୍ବାରିୟମ୍ରେ ୫ହଜାରରୁ ଅଧିକ ବିଭିନ୍ନ ପ୍ରକାରର ମାଛ ରହିବ । ଏହା ମଧ୍ୟରେ ପର୍ଯ୍ୟଟକମାନେ ସମୁଦ୍ର ମଧ୍ୟରେ ବୁଲିବାର ମଜା ଅନୁଭବ କରିପାରିବେ । ଏହାସହ ଆନ୍ତର୍ଜାତୀୟ ଖ୍ୟାତିସଂପନ୍ନ ବାଲୁକା ଶିଳ୍ପୀଙ୍କ ଦ୍ବାରା ବାଲୁକା କଳା ନିର୍ମାଣ କରାଯାଇଛି ।