ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ୩୩ତମ ଉଚ୍ଚସ୍ତରୀୟ ମଞ୍ଜୁରୀ କର୍ତ୍ତୃପକ୍ଷ (ଏଚ୍ଏଲ୍ସିଏ) ବୈଠକରେ ୮୪,୯୧୮.୭୫ କୋଟି ଟଙ୍କାର ୧୨ଟି ପ୍ରକଳ୍ପକୁ ମଞ୍ଜୁରୀ ପ୍ରଦାନ କରାଯାଇଛି। ଏହି ପ୍ରକଳ୍ପଗୁଡ଼ିକ କାର୍ଯ୍ୟକାରୀ ହେଲେ ରାଜ୍ୟରେ ୪୨,୨୮୧ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଓଡ଼ିଶାକୁ ଗ୍ରିନ୍ ହାଇଡ୍ରୋଜେନ୍ ହବ୍ରେ ପରିଣତ ଲାଗି ଏହି କ୍ଷେତ୍ରରେ ୪ଟି ପ୍ରକଳ୍ପ (କେନ୍ଦ୍ରାପଡ଼ା, ଯାଜପୁର, ରାୟଗଡ଼ା ଓ ମାଲକାନଗିରି)କୁ ମଞ୍ଜୁର କରାଯାଇଛି|
ସୂଚନା ଅନୁସାରେ, ୱେଲ୍ସ୍ପନ୍ ନିଉ ଏନର୍ଜି କେନ୍ଦ୍ରାପଡ଼ାରେ ୧୩,୮୬୦ କୋଟି ଟଙ୍କା ନିବେଶ କରି ୦.୭ ଏମଏମ୍ଟିପିଏର ଏକ ଗ୍ରିନ୍ ଆମୋନିଆ ଉତ୍ପାଦନ କାରଖାନା ବସାଇବ। ସେମ୍ବକର୍ପ ଗ୍ରିନ୍ ହାଇଡ୍ରୋଜେନ୍ ଇଣ୍ଡିଆ ୧୩,୦୦୦ କୋଟି ଟଙ୍କା ନିବେଶରେ ଗଞ୍ଜାମର ଗୋପାଳପୁରରେ ଥିବା ଟାଟା ଷ୍ଟିଲ୍ ଏସ୍ଇଜେଡ୍ରେ ୦.୭୨ ଏମ୍ଏମ୍ଟିପିଏର ଗ୍ରିନ୍ ଆମୋନିଆ କାରଖାନା ସ୍ଥାପନ କରିବ। ରିନିଉ ଇ-ଫୁଏଲ୍ସ ପକ୍ଷରୁ ମାଲକାନାଗିରିରେ ୧୦,୦୦୫ କୋଟି ଟଙ୍କା ନିବେଶରେ ଏକ ଗ୍ରିନ୍ ହାଇଡ୍ରୋଜେନ୍ ଓ ଗ୍ରିନ୍ ମିଥାନଲ୍ କାରଖାନା ସ୍ଥାପନ ହେବ। ସେହି କଂପାନି ରାୟଗଡ଼ାରେ ମଧ୍ୟ ୯୦୦୦ କୋଟି ଟଙ୍କା ନିବେଶ କରି ଏକ ଗ୍ରିନ୍ ହାଇଡ୍ରୋଜେନ୍ ଓ ଗ୍ରିନ୍ ମିଥାନଲ୍ କାରଖାନା ସ୍ଥାପନ କରିବ।