ଗତ ନଭେମ୍ବର ୧୭ ତାରିଖ ଶୁକ୍ରବାର ଦିନ ଓଡ଼ିଶା ସରକାରଙ୍କ ଚିକିତ୍ସା ଶିକ୍ଷା ସେବାରେ ୧୦୨ ଜଣ ସହକାରୀ ପ୍ରଫେସର ଯୋଗ ଦେଇଥିଲେ। ସେମାନେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଥିବା ସରକାରୀ ମେଡିକାଲ କଲେଜରେ ଯୋଗଦେବେ। ସରକାରୀ ମେଡିକାଲ କଲେଜରେ ଆସିଷ୍ଟାଣ୍ଟ ପ୍ରଫେସର ନିୟୁକ୍ତି ନେଇ ଶୁକ୍ରବାର ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଏକ କାର୍ୟ୍ୟକ୍ରମ ଆୟୋଜନ କରାୟାଇଥିଲା।
ଏହି କାର୍ୟ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୁବ ପ୍ରଫେସରମାନଙ୍କୁ ରୋଗୀଙ୍କ ଚିକିତ୍ସା ସମୟରେ ମାନବିକତା ଉପରେ ଗୁରୁତ୍ୱ ଦେବାକୁ କହିଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆପଣ ପେଶାରେ ଅଛନ୍ତି। ଯେଉଁଥିପାଇଁ ଚାକିରି ପ୍ରତି ସମ୍ପୂର୍ଣ୍ଣ ପ୍ରତିବଦ୍ଧତାର ଆବଶ୍ୟକତା ରହିଛି। ରୋଗୀ ଓ ତାଙ୍କ ସମ୍ପର୍କୀୟଙ୍କ ମଧ୍ୟରେ ବିଶ୍ୱାସ ସୃଷ୍ଟି କରିବାକୁ ପଡ଼ିବ। ଆମ ଲୋକଙ୍କ ପାଇଁ ଖୁସିର ପରିକଳ୍ପନା ହେଉଛି “ସୁସ୍ଥ ଓଡ଼ିଶା, ସୁଖୀ ଓଡ଼ିଶା” ପ୍ରତ୍ୟେକ ଜୀବନ ଆମ ପାଇଁ ମୂଲ୍ୟବାନ।
ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ରାଜ୍ୟ ସରକାରଙ୍କ ପଦକ୍ଷେପ ସମ୍ପର୍କରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ଓ ଲୋକଙ୍କ ଖର୍ଚ୍ଚ ହ୍ରାସ କରିବା ପାଇଁ ତାଙ୍କ ସରକାର ପ୍ରତିଶ୍ରୁତିବଦ୍ଧ। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ରାଜ୍ୟର ସରକାରୀ ଡାକ୍ତରଖାନାଗୁଡ଼ିକ ସମସ୍ତଙ୍କ ପାଇଁ ସ୍ୱାସ୍ଥ୍ୟସେବା ଖର୍ଚ୍ଚ ବହନ କରୁଛନ୍ତି। ଆମ ସରକାରୀ ମେଡିକାଲ କଲେଜ ହସ୍ପିଟାଲରେ ରୋଗୀଙ୍କୁ ଉନ୍ନତମାନର ସେବା ଯୋଗାଇଦେବା ଆମର ଦାୟିତ୍ୱ। ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଉନ୍ନତମାନର ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ଆମେ ନୂତନ, ଆଧୁନିକ ସ୍ୱାସ୍ଥ୍ୟ ଭିତ୍ତିଭୂମି ନିର୍ମାଣ କରୁଛୁ। ଜନସ୍ୱାସ୍ଥ୍ୟ ସୁବିଧାରେ ପରିବର୍ତ୍ତନ, ନୂତନ ମେଡିକାଲ କଲେଜ ଓ ହସ୍ପିଟାଲ ଖୋଲିବା ପାଇଁ “ଆମ ଡାକ୍ତରଖାନା” ରାଜ୍ୟ ସରକାରଙ୍କର ଏକ ପ୍ରମୁଖ ପଦକ୍ଷେପ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ