ରବିବାର ବିଳମ୍ବିତ ରାତିରେ ୫ ହଜାର ମ୍ୟାମାର ନାଗରିକଙ୍କ ସହ ୪୨ ଜଣ ମ୍ୟାମାର ସୈନିକ ଭାରତରେ ଅନୁପ୍ରବେଶ କରିଛନ୍ତି। ଚିନ୍ ବିମାନ ଆକ୍ରମଣ କରିବା ନେଇ ସ୍ଥିତି ଅଣାୟତ୍ତ ହେବାରୁ ଦଳ ଦଳ ହୋଇ ସେମାନେ ଭାରତରେ ପଶିଛନ୍ତି। ମ୍ୟାମାର ସୀମାରେ ମିଜୋରାମର ୨ଟି ଗ୍ରାମରୁ ୫ ହଜାରରୁ ଅଧିକ ଲୋକ ସେଠାରେ ଆଶ୍ରୟ ନେଇଥିବା କହିଛି ମିଜୋରାମ ପୋଲିସ। ସେପଟେ ଅଧିକାଂଶ ଲୋକ ଆହତ ଅବସ୍ଥାରେ ଥିବା ବେଳେ ୨୦ ଜଣ ଗୁରୁତର ଆହତଙ୍କୁ ଆଇଜଲ ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି। ତେବେ ପ୍ରବେଶ କରିଥିବା ୪୨ ଜଣ ମ୍ୟାମାର ସୈନିକ ମିଜୋରାମ ପୁଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି।
ଏହି ସୈନିକମାନଙ୍କୁ ଆସାମ ରାଇଫଲ୍ସକୁ ହସ୍ତାନ୍ତର କରାଯାଇଛି ଏବଂ କେନ୍ଦ୍ର ସରକାର ବିଦେଶୀ ସୈନିକଙ୍କ ତୁରନ୍ତ ନିଜ ଦେଶକୁ ପଠାଇବା ପାଇଁ ନିଷ୍ପତ୍ତି ନେବାପରେ ସେମାନଙ୍କୁ ଏୟାର ଇଣ୍ଡିଆର ଏକ ସ୍ବତନ୍ତ୍ର ବିମାନରେ ମ୍ୟାମାର ପଠାଇ ଦିଆଯାଇଛି। ଭାରତର ସୀମାକୁ ଲାଗି ମ୍ୟାମାରର ଚୀନ୍ ରାଜ୍ୟ ରହିଛି। ଏହି ରାଜ୍ୟରେ ଦୁଇଟି ବିଦ୍ରୋହୀ ଗୋଷ୍ଠୀ ସକ୍ରିୟ ରହିଥିବାରୁ ସେମାନଙ୍କୁ ଦମନ କରିବା ପାଇଁ ମ୍ୟାମାର ସେନା ବିଭିନ୍ନ ସମୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥାଏ। ସୋମବାର ଅଚାନକ ମ୍ୟାମାର ସେନା ଜୋରଦାର ବିମାନ ଆକ୍ରମଣ କରିଥିଲା। ଏହାପରେ ମ୍ୟାମାର ନାଗରିକମାନେ ଜୀବନ ବଞ୍ଚାଇବା ପାଇଁ ସୀମା ଅତିକ୍ରମ କରି ଭାରତ ଚାଲିଆସିଥିଲେ।