ରାଜଗାଙ୍ଗପୁରରେ ଏଥର କିଏ କରିବ ରାଜ ….. ଆସନ ବଞ୍ଚାଇ ପାରିବ କି କଂଗ୍ରେସ ….. ବିରୋଧୀଙ୍କୁ ମାତ୍ ଦେବ କି ଶାସକ ବିଜେଡି …. ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀଙ୍କୁ ଚକମା ଦେବ କି ବିଜେପି ….. ୨୦୧୯ରେ କଡ଼ା ଟକ୍କର ପରେ ୨୦୨୪ରେ ତ୍ରିମୁଖୀ ଲଢ଼େଇ ନେଇ ଚର୍ଚ୍ଚା ।
ରାଜଗାଙ୍ଗପୁରରେ କିଏ କରିବ ରାଜ ! ଆସନ ବଜାୟ ରଖି ପାରିବ କି କଂଗ୍ରେସ ! କମ୍ ବ୍ୟାକ୍ କରିବ କି ବିଜେଡି ! ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ କଂଗ୍ରେସ ଏବଂ ବିଜେଡିକୁ ଚକମା ଦେବ କି ବିଜେପି ! ୨୦୧୯ରେ ହଜାରେରୁ କମ୍ ଭୋଟ୍ ବ୍ୟବଧାନରେ ବିଜୟୀ ହୋଇଥିଲା କଂଗ୍ରେସ । ବିଜେଡି ଦ୍ବିତୀୟ ସ୍ଥାନରେ ଥିବା ବେଳେ, ବିଜେପି ମଧ୍ଯ ଭଲ ପ୍ରଦର୍ଶନ କରିଥିଲା । ୨୦୨୪ ନିର୍ବାଚନ ପାଇଁ ତିନି ଦଳ ପୁରା ଦମ୍ ଲଗାଇ ଦେଇଥିବା ବେଳେ, ଏଥର ତ୍ରିମୁଖୀ ଲଢ଼େଇ ହେବାର ସମ୍ଭାବନା ରହିଛି ।
୨୦୨୪ ନିର୍ବାଚନକୁ ନେଇ ସୁନ୍ଦରଗଡ଼ ରାଜଗାଙ୍ଗପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ଚଳଚଞ୍ଚଳ। ରାଜଗାଙ୍ଗପୁର, କୁତ୍ରା, ଲାଠିକଟା ବ୍ଲକ ସହିତ ରାଜଗାଙ୍ଗପୁର ପୌରପାଳିକାକୁ ନେଇ ଗଠିତ ଏହି ଆସନ । ବିଧାନସଭା ନିର୍ବାଚନମଣ୍ଡଳୀରେ ମୋଟ୍ ଭୋଟର ୨ ଲକ୍ଷ ୫୨ ହଜାର ୯୭୬ । ସେଥିରୁ ପୁରୁଷ ଭୋଟର ୧ ଲକ୍ଷ ୨୬ ହଜାର ୧୧୨ ଭୋଟର ହୋଇଥିବା ବେଳେ, ମହିଳା ଭୋଟର ୧ ଲକ୍ଷ ୨୬ ହଜାର ୮୪୮ । ୨୦୧୯ ନିର୍ବାଚନରେ ୬୭.୮୪ ପ୍ରତିଶତ ମତଦାନ ହୋଇଥିବା ବେଳେ, ତିନି ପ୍ରମୁଖ ଦଳ କଂଗ୍ରେସ, ବିଜେଡି ଏବଂ ବିଜେପି ମଧ୍ଯରେ ହୋଇଥିଲା କଡ଼ା ଟକ୍କର । ୨୦୧୯ ନିର୍ବାଚନରେ ବିଜୟୀ ହୋଇଥିଲେ କଂଗ୍ରେସ ପ୍ରାର୍ଥୀ ଡଃ ସିଏସ ରାଜନ ଏକ୍କା । ୨୦୧୯ରେ କଂଗ୍ରେସ ପ୍ରାର୍ଥୀ ସିଏସ୍ ରାଜନ ଏକ୍କା ୫୩,୯୧୮ ଭୋଟ୍ ପାଇଥିବା ବେଳେ, ଦ୍ବିତୀୟ ସ୍ଥାନରେ ଥିବା ବିଜେଡି ପ୍ରାର୍ଥୀ ମଙ୍ଗଳା କିଶାନଙ୍କୁ ମିଳିଥିଲା ୫୨,୯୭୨ ଭୋଟ୍ । ସେହିପରି ବିଜେପି ପ୍ରାର୍ଥୀ ନର୍ସିଂ ମିଞ୍ଜ ୫୨,୮୯୬ ଭୋଟ୍ ।
କଂଗ୍ରେସ ପ୍ରାର୍ଥୀ ସିଏସ୍ ରାଜନ ଏକ୍କା ମାତ୍ର ୯୪୬ ଭୋଟରେ ବିଜୟୀ ହୋଇଥିଲେ । ଯଦି ୨୦୧୪ ନିର୍ବାଚନ ଫଳାଫଳ ଦେଖିବା, ତେବେ କଂଗ୍ରେସକୁ ପରାସ୍ତ କରିଥିଲା ବିଜେଡି । ୨୦୧୪ରେ ବିଜେଡି ପ୍ରାର୍ଥୀ ମଙ୍ଗଳା କିଶାନ, କଂଗ୍ରେସ ପ୍ରାର୍ଥୀ ଗ୍ରେଗୋରି ମିଞ୍ଜଙ୍କୁ ୧୦,୦୩୬ ଭୋଟରେ ପରାସ୍ତ କରିଥିଲେ । ୨୦୧୯ରେ ପରାଜୟ ପରେ, ୨୦୨୪ରେ ସ୍ଥିତି ସୁଧାରିବାକୁ ପୁରା ଦମ୍ ରେ ଲାଗି ପଡ଼ିଛି ଶାସକ ବିଜେଡି । ଏପଟେ ପୁଣି ଥରେ ବିଜୟ ପାଇଁ ଆଶା ବାନ୍ଧିଛନ୍ତି କଂଗ୍ରେସ ବିଧାୟକ ତଥା ଆଶାୟୀ ରାଜନ ଏକ୍କା । କଂଗ୍ରେସ ଏବଂ ବିଜେଡି ସିଟ୍ ହାତେଇବାକୁ ପ୍ରସ୍ତୁତି ଆରମ୍ଭ କରି ଦେଇଥିବା ବେଳେ, ଦୁଇ ଦଳକୁ ଚକମା ଦେବାକୁ ପ୍ରଚେଷ୍ଠା ଚଳାଇଛି ବିଜେପି ।
ସୁନ୍ଦରଗଡ଼ ଜିଲ୍ଲାର ସର୍ବ ପୁରାତନ ସହର ରାଜଗାଙ୍ଗପୁର । ସିମେଣ୍ଟ ନଗରୀ ଭାବେ ପରିଚିତ ଏହି ସହର । ଶିଳ୍ପ ସମୃଦ୍ଧ, ଏୈତିହ୍ୟ ସମ୍ପନ୍ନ ରାଜଗାଙ୍ଗପୁର ପାଞ୍ଚ ଦଶନ୍ଧି ତଳେ ପୌରପାଳିକା ମାନ୍ୟତା ପାଇଥିବା ବେଳେ, ସେତେଟା ବିକାଶ ହୋଇନଥିବା ସାଧାରଣାରେ ଚର୍ଚ୍ଚା ହେଉଛି । ରାଜଗାଙ୍ଗପୁରରେ ଅନେକ ଛୋଟ ବଡ଼ କମ୍ପାନୀ ହେଲେ ମଧ୍ଯ, ସ୍ଥାନୀୟ ଯୁବକ ଯୁବତୀଙ୍କୁ ସେତେଟା ନିଯୁକ୍ତି ମିଳୁନଥିବା ଅଭିଯୋଗ ହେଉଛି । ରାଜଗାଙ୍ଗପୁରକୁ ସବଡିଭିଜନ ମାନ୍ୟତା, ସ୍ଵାସ୍ଥ୍ୟ ଓ ପାନୀୟ ଜଳ ଭଳି ପ୍ରମୁଖ ସମସ୍ୟା ମଧ୍ଯ ରହିଛି। ସେହିପରି ସହରରେ ରହିଛି ଏକ ମାତ୍ର ମହାବିଦ୍ୟାଳୟ । ଟ୍ରାଫିକ ସମସ୍ୟାକୁ ଅଣନିଶ୍ବାସୀ ସ୍ଥାନୀୟ ବାସିନ୍ଦା । ଟ୍ରାଫିକ ସମସ୍ୟାର ଅନ୍ୟତମ କାରଣ, ରେଳ ଷ୍ଟେସନ ଯିବା ରାସ୍ତାରେ ଥିବା ଫାଟକ । ଓଭର ବ୍ରିଜ କାମ ମଧ୍ୟ ଅଧ ପନ୍ତରିଅ। ଭାବେ ପଡ଼ି ରହିଛି।