ଯେଉଁ ଦଳ ୨୦୧୯ରେ ଚାମ୍ପିୟନ୍ ହୋଇଥିଲା । ଦମଦାର ପ୍ରଦର୍ଶନ ବଳରେ ବଡ ବଡ ଟିମ୍ଙ୍କୁ ଚକ୍ମା ଦେଇ ବିଶ୍ବ ବିଜୟୀ ହୋଇଥିଲା । ଶକ୍ତିଶାଳୀ ଦଳ ଭାବେ ବିଶ୍ବ କ୍ରିକେଟରେ ଦବଦବା ରଖିଥିବା ଇଂଲଣ୍ଡର ସ୍ଥିତି ଦୟନୀୟ ଠାରୁ ଆହୁରି ଦୟନୀୟ ହୋଇପଡିଛି । ଫଳସ୍ବରୂପ ଦିନିକିଆ ବିଶ୍ବକପ୍ ୨୦୨୩ରେ ଅଭିଯାନ ଶେଷ କରିଛି ଡିଫେଣ୍ଡି ଚାମ୍ପିୟନ୍ ଇଂଲଣ୍ଡ । ଶକ୍ତିଶାଳୀ ଇଂଲଣ୍ଡର ଏଭଳି ସ୍ଥିତି ଦଳୀୟ ଇତିହାସରେ ବୋଧହୁଏ କେବେ ହୋଇନଥିଲା ।
ଶନିବାର ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯାଇଥିବା ମ୍ୟାଚ୍ରେ ଇଂଲଣ୍ଡ ୩୩ ରନ୍ରେ ପରାସ୍ତ ହୋଇଛି । ଟେବୁଲ୍ର ସବା ଶେଷରେ ଥିବା ଇଂଲଣ୍ଡ ଏଥି ସହିତ ବିଶ୍ବକପ୍ ଟାଇଟଲ୍ ରେସ୍ରୁ ବାଦ୍ ପଡିଛି । ୭ଟି ମ୍ୟାଚ୍ରୁ ମାତ୍ର ଗୋଟିଏ ଜିତିବାକୁ ସକ୍ଷମ ହୋଇଛି ଇଂଲଣ୍ଡ । ଶନିବାର ପ୍ରଥମେ ବ୍ୟାଟିଂ କରି ୪୯.୩ ଓଭରରେ ସମସ୍ତ ଓ୍ବିକେଟ୍ ହରାଇ କଙ୍ଗାରୁ ଟିମ୍ ସଂଗ୍ରହ କରିଥିଲା ୨୮୬ ରନ୍ । ଜବାବରେ ଇଂଲଣ୍ଡ ୪୮.୧ ଓଭରରେ ୨୫୩ ରନ୍ କରି ଅଲଆଉଟ ହୋଇଯାଇଛି । ଇଂଲଣ୍ଡ ବ୍ୟାଟରଙ୍କ ଖରାପ ଫର୍ମ ଆଜି ବି ଜାରି ରହିଥିଲା ।
୨୮୭ ରନ୍ର ବିଜୟଲକ୍ଷ୍ୟ ପିଛା କରିବାକୁ ଯାଇ ଜନି ବୟାରିଷ୍ଟୋ ପ୍ରଥମ ବଲରେ ହିଁ ଆଉଟ ହୋଇଥିଲେ । ପରେ ଡେଭିଡ୍ ମଲାନ ରକ୍ଷଣାତ୍ମକ ଭାବେ ବ୍ୟାଟିଂ କରି ୫୦ ରନ କରି ଆଉଟ ହୋଇଥିଲେ । ସେପଟେ ଜୋ ରୁଟ୍ ୧୩ ରନ କରି ପୁଣି ଫେଲ୍ ମାରିଥିଲେ । ପରେ ବେନ୍ ଷ୍ଟୋକ୍ସ ୬୪ ରନର ଉପଯୋଗୀ ଇନିଂସ ଖେଳିଥିଲେ ବି ଦଳକୁ ବିଜୟ ପର୍ଯ୍ୟନ୍ତ ନେଇପାରିନଥିଲେ । ଅଧିନାୟକ ଜୋସ୍ ବଟଲର (୧ ରନ) ପୁଣି ଫେଲ୍ ମାରିଥିଲେ । ମୋଇନ୍ ଅଲୀ ୪୨ ରନ୍, ଲିୟାମ୍ ଲିଭିଙ୍ଗଷ୍ଟୋନ୍ ୨ ରନ, କ୍ରିସ୍ ଓ୍ବକସ୍ ୩୨ ରନ୍, ଡେଭିଡ୍ ଓ୍ବିଲି ୧୫ ରନ ଓ ଆଦିଲ ରସିଦ ୨୦ ରନ କରି ଆଉଟ ହୋଇଥିଲେ । ଅଷ୍ଟ୍ରେଲିଆ ପକ୍ଷରୁ ଆଡମ୍ ଜାମ୍ପା ଚମତ୍କାର ବୋଲିଂ କରି ୧୦ ଓଭରରେ ମାତ୍ର ୨୧ ରନ୍ ଦେଇ ୩ଟି ଓ୍ବିକେଟ ନେଇଥିବା ବେଳେ ପାଟ୍ କମିନ୍ସ, ଜୋସ୍ ହେଜେଲଉଡ ଓ ମିଚେଲ ଷ୍ଟାର୍କ ଦୁଇଟି ଲେଖାଏଁ ଓ୍ବିକେଟ୍ ନେଇଥିଲେ । ମାର୍କସ୍ ଷ୍ଟୋଇନିସ୍ ଗୋଟିଏ ସଫଳତା ପାଇଥିଲେ ।
ପ୍ରଥମେ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆ ଷ୍ଟିଭ୍ ସ୍ମିଥଙ୍କ ୪୪ ରନ୍, ମାର୍ନସ ଲାବୁସେନ୍ଙ୍କ ୭୧ ରନ୍, କାମେରୁନ୍ ଗ୍ରୀନଙ୍କ ୪୭ ରନ୍, ମାର୍କସ୍ ଷ୍ଟୋଇନିସ୍ଙ୍କ ୩୫ ରନ୍ ବଳରେ ୨୮୬ ରନ୍ କରିଥିଲା । ଇଂଲଣ୍ଡ ପକ୍ଷରୁ କ୍ରିସ୍ ଓ୍ବକସ୍ ୯.୩ ଓଭରରେ ୫୪ ରନ୍ ଦେଇ ସର୍ବାଧିକ ୪ଟି ଓ୍ବିକେଟ ନେଇଥିବା ବେଳେ ଡେଭିଡ ଓ୍ବିଲି ଗୋଟିଏ, ମାର୍କ ଉଡ୍ ୨ଟି, ଲିୟାମ ଲିଭିଙ୍ଗଷ୍ଟୋନ୍ ଗୋଟିଏ ଏବଂ ଆଦିଲ ରସିଦ ଦୁଇଟି ସଫଳତା ପାଇଥିଲେ ।