ସାମ୍ବାଦିକାଙ୍କୁ ମାଡ଼ ମାରିବା ଘଟଣାରେ ଗିରଫ ହେଲେ ପ୍ରଯୋଜକ ଟୁଟୁ ନାୟକ । ମହିଳା ସାମ୍ବାଦିକା ଦେବସ୍ମିତା ରାଉତ ଅଭିଯୋଗ ଆଧାରରେ ଆଜି ଥାନାରେ ହାଜର ହୋଇଥିଲେ ପ୍ରଯୋଜକ । ମହିଳା ସାମ୍ବାଦିକାଙ୍କୁ ଦୁର୍ବ୍ୟବହାର ନେଇ ଖାରବେଳନଗର ଥାନାରେ ଅଭିଯୋଗ ହୋଇଥିଲା । ଥାନାରେ ପୋଲିସର ସ୍ୱତନ୍ତ୍ର ଟିମ୍ ତାଙ୍କୁ ପଚରାଉଚରା କରିବା ପରେ ଗିରଫ କରିଛି ପୋଲିସ । ସେପଟେ ଟୁଟୁ ନାୟକଙ୍କ ବିରୋଧରେ ନିଜ ଆଡୁ ମାମଲା ରୁଜୁ କରିଛନ୍ତି ମହିଳା କମିଶନ । ୧୫ ଦିନ ମଧ୍ୟରେ ତଦନ୍ତ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏନେଇ ସୂଚନା ଦେଇଛନ୍ତି ମହିଳା କମିଶନ ଅଧ୍ୟକ୍ଷା ମିନତୀ ବେହେରା ।
ଶୁକ୍ରବାର ଓଡ଼ିଆ ଫିଲ୍ମ ‘ପ୍ରଥା’ ରିଲିଜ ହୋଇଥିଲା। ଏହି ଫିଲ୍ମର ପ୍ରମିୟର ଶୋ’ ଦେଖିବା ପାଇଁ ସିନେ ଅଭିନେତା, ଅଭିନେତ୍ରୀ, ପ୍ରଯୋଜକ ଓ ଗଣମାଧ୍ୟମ ପ୍ରତିନିଧିଙ୍କୁ ନିମନ୍ତ୍ରଣ କରାଯାଇଥିଲା। ନିମନ୍ତ୍ରଣ ପାଇ ସିନେ ସାମ୍ୱାଦିକ ଦେବସ୍ମିତା ରାଉତ ଯୋଗଦେଇଥିଲେ। ଫିଲ୍ମ ଦେଖିବାର କିଛି ସମୟ ପରେ ବାହାରକୁ ଆସିଥିଲେ ଦେବସ୍ମିତା। ସେ ଗେଟ୍ ମଝିରେ ଛିଡ଼ା ହୋଇଥିଲେ। ସେହି ସମୟରେ ଫିଲ୍ମ ପ୍ରଯୋଜକ ଟୁଟୁ ନାୟକ ତାଙ୍କୁ ପ୍ରଥମେ ଠେଲି ଦେଇଥିଲେ। ପରେ ତାଙ୍କ ଗାଲ୍କୁ ଚାପୁଡାଏ ମାରିଥିବା ଅଭିଯୋଗ ହୋଇଥିଲା।
ତାଙ୍କ ବିରୋଧରେ ପୁଲିସ ଆଇପିସି ଧାରା ୩୫୪ ଅର୍ଥାତ ମହିଳାଙ୍କୁ ଅସଦାଚରଣ, ୩୪୧(ବେଆଇନ ଭାବେ ଅଟକ), ୩୨୩ (ଶରୀରକୁ ଆଘାତ) ଓ ୨୯୪ (ଅଶାଳୀନ ମନ୍ତବ୍ୟ ପ୍ରୟୋଗ) ଆଦି ଦଫା ଲଗାଇଛି।
ମହିଳା କମିଶନଙ୍କ ରିପୋର୍ଟ ତଲବ ପରେ ତତ୍ପର ହୋଇଥିଲା କମିଶନରେଟ୍ ପୁଲିସ୍। ପ୍ରଯୋଜକ ଟୁଟୁ ନାୟକଙ୍କୁ ତାଙ୍କ ଘରୁ ଉଠାଇ ଆଣିଥିଲା ପୁଲିସ। ଖାରବେଳ ନଗର ଥାନାରେ ତାଙ୍କୁ ଘନଘନ ଜେରା କରାରିଥିଲା। ଦୀର୍ଘ ସମୟ ଧରି ଜେରା କରିବା ପରେ ଅପରାହ୍ନରେ ତାଙ୍କୁ କୁଲିସ୍ ଗିରଫ କରି କୋର୍ଟ ଚାଲାଣ କରିଛି। ଏଥିସହ ଅଭିଯୋଗକାରୀଙ୍କ ୧୬୧ରେ ବୟାନ୍ ରେକର୍ଡ କରିଛି।