Space News: ମହାକାଶରେ ମଣିଷ ଜନ୍ମ ସମ୍ଭବ କି ? ଜିରୋ ଗ୍ରାଭିଟି ବା ଯେଉଠି ମାଧ୍ୟାକର୍ଷଣ ବଳ ଶୂନ ସେଠାରେ ସମ୍ଭବ ହେବ କି ପ୍ରଜନନ? ମହାକାଶରେ କିଭଳି ହେବ ମାନବ ଭ୍ରୁଣର ବିକାଶ ? ଏମିତି ଅନେକ ପ୍ରଶ୍ନ ଆପଣଙ୍କ ମନକୁ ଆସୁଥିବ। କେବଳ ଆପଣ ନୁହଁନ୍ତି ବୈଜ୍ଞାନିକମାନେ ମଧ୍ୟ ଏହା ଉପରେ ଜାରି ରଖିଛନ୍ତି ଗବେଷଣା। ଆଉ ଜାପାନିଜ ଏରୋସ୍ପେସ୍ ଏକ୍ସପ୍ଲୋରେସନ୍ ସ୍ପେସ୍ ଏଜେନ୍ସି JAXA ଏକ୍ଷେତ୍ରରେ ହାସଲ କରିଛି ବଡ଼ ସଫଳତା । ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରରେ ମୂଷାଙ୍କ ଉପରେ ଏନେଇ ଗବେଷଣା କରି ସଫଳ ହୋଇଛି। ସ୍ପେସ୍ ଷ୍ଟେସନରେ ମୂଷା ଭ୍ରୁଣ ସୃଷ୍ଟି କରି ସାରା ବିଶ୍ବକୁ ଚକିତ କରି ଦେଇଛନ୍ତି ଜାପାନର ବୈଜ୍ଞାନିକ । ସେମାନେ ବିଶ୍ବାସ କରୁଛନ୍ତି ଯଦି, ମହାକାଶରେ ମୂଷାଙ୍କ ଭ୍ରୁଣ ବଢ଼ି ପାରୁଛି, ତେବେ ମଣିଷ ମଧ୍ୟ ବଢିପାରିବ। ଏହି ନୂତନ ପ୍ରୟୋଗ ମହାକାଶରେ ଜନବସତି ସ୍ଥାପନ କରିବା ଦିଗରେ ବୈଜ୍ଞାନିକଙ୍କ ମଧ୍ୟରେ ନୂଆ ଆଶା ସଞ୍ଚାର କରିଛି।
କ’ଣ ଥିଲା ପରୀକ୍ଷଣ?
୨୦୨୧ ମସିହା ଅଗଷ୍ଟ ମାସରେ, ଜାପାନୀ ବୈଜ୍ଞାନିକମାନେ ମୂଷାଙ୍କ ଭ୍ରୁଣକୁ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରକୁ ପଠାଇଥିଲେ। ମହାକାଶଚାରୀମାନେ ଏହି ଭ୍ରୁଣ ଗୁଡ଼ିକୁ ସ୍ବତନ୍ତ୍ର ଉପକରଣ ବ୍ୟବହାର କରି ସକ୍ରିୟ କରିଥିଲେ ଏବଂ ୪ ଦିନ ମଧ୍ୟରେ ଏହାକୁ ବିକଶିତ କରିବାରେ ସକ୍ଷମ ହୋଇଥିଲେ। ନିମ୍ନ ତାପମାତ୍ରାରେ ଏହି ଭ୍ରୁଣକୁ ସଂରକ୍ଷଣ କରି ରଖିବା ପରେ ଅଧିକ ପରୀକ୍ଷା ନିରୀକ୍ଷା ପାଇଁ ଏହାକୁ ସେହିବର୍ଷ ଅକ୍ଟୋବର ମାସରେ ପୃଥିବୀକୁ ଅଣାଯାଇଥିଲା। ପରୀକ୍ଷା ନିରୀକ୍ଷା ପରେ ଜଣାପଡିଥିଲା ମହାକାଶ କେନ୍ଦ୍ରରେ ମୂଷାଙ୍କର ଯେଉଁ ଭୂଣ ବିକଶିତ ହୋଇଛି ତାହା ଠିକ୍ ପୃଥିବୀ ଭଳି । ଗତ ଅକ୍ଟୋବରରେ ପ୍ରକାଶିତ ଜର୍ଣ୍ଣାଲରେ ଏନେଇ ସବିଶେଷ ତଥ୍ୟ ପ୍ରକାଶ ପାଇଛି । ଅଧ୍ୟୟନରୁ ଜଣାପଡିଛି ଯେ, ଶୂନ ମାଧ୍ୟାକର୍ଷଣର ପ୍ରଭାବ ଏହାର ଡିଏନଏ କିମ୍ବା ଭ୍ରୁଣର ଜିନ୍ ଉପରେ କୌଣସି ପ୍ରଭାବ ପକାଇନଥିଲା। ଏହି ଭ୍ରୁଣ ସାଧାରଣ କୋଷିକା ଭଳି ମହାକାଶରେ ବଢିଥିଲା। ବ୍ଲାଷ୍ଟିସିଷ୍ଟ ଓ ପରେ ଗର୍ଭରେ ରୂପାନ୍ତରିତ ହୋଇଥିଲା। ଆଉ ଶେଷରେ ଏହା ପ୍ଲେସେଣ୍ଟା ରୂପରେ ବିକଶିତ ହୋଇଥିଲା।
ବିଶ୍ବରେ ପ୍ରଥମ ପରୀକ୍ଷଣ:
ଜାପାନର ୟାମାନାଶି ବିଶ୍ବବିଦ୍ୟାଳୟ ଏବଂ ନ୍ୟାସନାଲ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ ରାଇକେନ୍ ପକ୍ଷରୁ ଜାରି ମିଳିତ ବିବୃତ୍ତିରେ କହିଥିଲେ ଯେ ଏହା ହେଉଛି ମହାକାଶରେ ପ୍ରଥମ ପରୀକ୍ଷଣ। ଯାହା ଦର୍ଶାଉଛି, ସ୍ତନ୍ୟପାୟୀ ପ୍ରାଣୀମାନେ ବି ମହାକାଶରେ ବଂଶ ବୃଦ୍ଧି କରିପାରିବେ। ଏବଂ ଭ୍ରୁଣ ସ୍ତରରୁ ବଢ଼ି ପାରିବେ। ମହାକାଶ କେନ୍ଦ୍ରରେ ବିନା ମାଧ୍ୟାକର୍ଷଣ ପରିବେଶରେ କୌଣସି ସ୍ତନ୍ୟପାୟୀ ପ୍ରାଣୀର ଭ୍ରୁଣକୁ ବିକଶିତ କରିବା ସାରା ବିଶ୍ବରେ ପ୍ରଥମ। ଏହାକୁ ମହାକାଶ ବିଜ୍ଞାନ କ୍ଷେତ୍ରରେ ଏକ ବଡ଼ ଉପଲବ୍ଧି । ମହାକାଶରେ ଏହି ନୂତନ ପ୍ରୟୋଗ ଦର୍ଶାଉଛି ଯେ, ଭବିଷ୍ୟତରେ ମଣିଷ ମଧ୍ୟ ମହାକାଶରେ ପିଲା ଜନ୍ମ କରିପାରିବ। ମଣିଷ ମହାକାଶରେ ପିଲା ଜନ୍ମ କରିବାର କ୍ଷମତା ହାସଲ କରେ, ତେବେ ପୃଥିବୀ ବାହାରେ ନଜବସତି ସ୍ଥାପନ କରିବା ନେଇ ଯେଉଁ ପରିକଳ୍ପନା କରାଯାଉଛି ତାହା ଆହୁରି ସହଜ ହେବ। ତେବେ ଏହାର ପାର୍ଶ୍ବପ୍ରତିକ୍ରିୟା ନେଇ ଅଧିକ ଗବେଷଣାର ଆବଶ୍ୟକତା ରହିଛି।
ମହାକାଶରେ ସ୍ଥାୟୀ ଜନବସତି ସ୍ଥାପନ ପାଇଁ ବାଟ ଫିଟାଇବ:
ବିଶ୍ବର ଅନେକ କମ୍ପାନୀ ଏପରିକି ଉଦ୍ୟୋଗପତି ଏଲୋନ୍ ମସ୍କ ମହାକାଶ କିମ୍ବା ମଙ୍ଗଳ ଗ୍ରହରେ ମାନବ ବସତି ସ୍ଥାପନ କରିବାକୁ ଯୋଜନା କରିଛନ୍ତି । ଏଥିପାଇଁ କୋଟି କୋଟି ଟଙ୍କା ମଧ୍ୟ ଖର୍ଚ୍ଚ ହେଉଛି। ଏପରି ପରିସ୍ଥିତିରେ, ମହାକାଶରେ ମାନବ ପ୍ରଜନନ କ୍ଷମତା ହାସଲ କରିବା ଏହି ଦିଗରେ ଏକ ବିରାଟ ମାଇଲଖୁଣ୍ଟ ସାବ୍ୟସ୍ତ ହେବ। ସ୍ତନ୍ୟପାୟୀ ପ୍ରାଣୀମାନଙ୍କ ଉପରେ ଏହି ସଫଳ ପରୀକ୍ଷଣ ନୂଆ ଆଶା ସୃଷ୍ଟି କରିଛି ।
ମୂଷାଙ୍କ ଉପରେ ହୋଇଥିବା ଏହି ପରୀକ୍ଷଣର ଫଳାଫଳ ଏପରି ଏକ ସମୟରେ ଆସିଛି ଯେତେବେଳେ କି ଆମେରିକାର ସ୍ପେସ୍ ଏଜେନ୍ସି ନାସା ୨୦୨୫ ସୁଦ୍ଧା ଆର୍ଟେମିସ୍ କାର୍ଯ୍ୟକ୍ରମ ଅଧୀନରେ ମନୁଷ୍ୟକୁ ଚନ୍ଦ୍ରପୃଷ୍ଠକୁ ପଠାଇବାକୁ ପ୍ରସ୍ତୁତ ହେଉଛି। ଆଗାମୀ ଦିନରେ ଚନ୍ଦ୍ରରେ ଏକ କଲୋନୀ ନିର୍ମାଣ କରିବାକୁ ପରିକଳ୍ପନା କରୁଛି। ମଣିଷ ସ୍ଥାୟୀ ଭାବେ ମହାକାଶରେ ରହିବା ପାଇଁ ନାସାର ଏହି ଯୋଜନା ମୂଳଦୁଆ ପକାଇବ। କେବଳ ଏତିକି ନୁହେଁ, ମୂଷାଙ୍କ ଉପରେ ଏହି ପରୀକ୍ଷଣ, ଏହିପରି ଅଧିକ ପରୀକ୍ଷଣ ପାଇଁ ବାଟ ଫିଟାଇବ। ଏଥିସହିତ ଅନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନରେ ମାନବ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଅନେକ ସମସ୍ୟାର ସମାଧାନ ହୋଇପାରିବ । କାରଣ ଦୀର୍ଘ ମହାକାଶ ଯାତ୍ରା ସମୟରେ ମଣିଷ ଅନେର ସମସ୍ୟାର ସମ୍ମୁଖୀନ ହୋଇଥାଏ । ଏହାର ଉପାୟ ବାହାର କରିବା ସହଜ ହେବ। ଆଶା କରାଯାଉଛି ଖୁବଶୀଘ୍ର ଏନେଇ ଭଲ ଖବର ଆସିବ