ପାରା ଆଥଲେଟ୍ ପ୍ରମୋଦ ଭଗତ ଓ ସୌନ୍ଦର୍ଯ୍ୟ କୁମାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି । ଏସିଆନ ପାରା ଗେମ୍ସରେ ସଫଳତା ନେଇ ମୁଖ୍ୟମନ୍ତ୍ରୀ ଦୁହିଁଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏହା ସହ ସେମାନଙ୍କୁ ସମ୍ବର୍ଦ୍ଧିତ କରିବା ସହ ପୁରସ୍କାର ରାଶି ପ୍ରଦାନ କରିଛନ୍ତି । ପ୍ରମୋଦ ଭଗତଙ୍କୁ 2 କୋଟି ଓ ସୌନ୍ଦର୍ଯ୍ୟଙ୍କୁ ଦେଢ଼ କୋଟିର ଚେକ୍ ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ।
ପାରା ବ୍ୟାଡ଼ମିଣ୍ଟନ ଖେଳାଳି ପ୍ରମୋଦ ଭଗତ ଗୋଟିଏ ସ୍ବର୍ଣ୍ଣ ସହ ଦୁଇଟି ବ୍ରୋଞ୍ଜ ମେଡାଲ ଜିତିଛନ୍ତି । ଏଥିପାଇଁ ତାଙ୍କୁ 2 କୋଟି ଟଙ୍କା ପୁରସ୍କାର ଦେଇଥିଲେ ମୁଖ୍ୟମନ୍ତ୍ରୀ । ଏଥିସହ ଚେସରେ ଗୋଟିଏ ସ୍ୱର୍ଣ୍ଣ ଓ ଗୋଟିଏ ରୌପ୍ୟ ପଦକ ବିଜେତା ସୌନ୍ଦର୍ଯ୍ୟ କୁମାର ପ୍ରଧାନଙ୍କୁ ଦେଢ କୋଟି ଟଙ୍କା ପୁରସ୍କାର ଦେଇଥିଲେ । ଏସିଆନ ପାରା ଗେମ୍ସରେ ସେମାନଙ୍କ ସଫଳତା ଓଡ଼ିଶା ପାଇଁ ଗର୍ବ ଆଣିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ସେମାନଙ୍କର କଠିନ ପରିଶ୍ରମ ପାଇଁ ଆଜି ଏହି ଗୌରବ ମିଳିଛି । ଆଗକୁ ଥିବା ପ୍ରତିଯୋଗିତାରେ ମଧ୍ୟ ରାଜ୍ୟ ସରକାର ସମସ୍ତ ପ୍ରକାର ସହଯୋଗ ଯୋଗାଇଦେବେ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି । ଏହି ଅବସରରେ ଫାଇଭ-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଭିକେ ପାଣ୍ଡିଆନ ମଧ୍ୟ ଉପସ୍ଥିତ ଥିଲେ । ଉଭୟ ଖେଳାଳିଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଅନ୍ୟପକ୍ଷରେ ଖେଳରେ ଆଗକୁ ଯିବା ପାଇଁ ସମର୍ଥନ ଓ ପ୍ରୋତ୍ସାହନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି ପ୍ରମୋଦ ଭଗତ ଓ ସୌନ୍ଦର୍ଯ୍ୟ କୁମାର ପ୍ରଧାନ।