2024 Election: ରାଜ୍ୟ ବିଜେପି ଫୋକସରେ ୫ ଲୋକସଭା ସିଟ। ସ୍ବତନ୍ତ୍ର ଟିମ, ଏବଂ ସ୍ବତନ୍ତ୍ର ପ୍ଲାନ କରି ଋଣନୀତି ପ୍ରସ୍ତୁତ କରୁଛି ବିଜେପି। ୧୯ରେ ଜିତିବା ଏବଂ ହାରିବାର କାରଣକୁ ନେଇ ଦଳ ଅଙ୍କକଷା ଆରମ୍ଭ କରିଦେଇଥିବା ବେଳେ ଅଧିକ ଫୋକସରେ ଅଛି ସମ୍ବଲପୁର, ବାଲେଶ୍ବର, ମୟୂରଭଞ୍ଜ, ପୁରୀ, ଢେଙ୍କାନାଳ ଆସନ। ତେବେ କାହିଁକି ବିଜେପି ଫୋକସରେ ଏହି ୫ ଲୋକସଭା ଆସନ?
ସମ୍ବଲପୁର, ବାଲେଶ୍ବର, ମୟୂରଭଞ୍ଜ, ପୁରୀ, ଢେଙ୍କାନାଳ ଲୋକସଭା ଆସନ ଉପରେ ବିଜେପି କରୁଛି ସ୍ବତନ୍ତ୍ର ପ୍ଲାନ। ବିଶେଷକରି ସମ୍ବଲପୁର, ବାଲେଶ୍ବର ଓ ମୟୂରଭଞ୍ଜରେ ବିଜେପି ୧୯ରେ ବାଜି ମାରିଥିଲା। ସେପଟେ ପଶ୍ଚିମ ଓଡ଼ିଶାରେ ବିଜେପିର ଦବଦବା ଅଧିକ ଥିବାରୁ ଗତ ନିର୍ବାଚନରେ ପଶ୍ଚିମ ଓଡ଼ିଶାର ସବୁ ଲୋକସଭା ଆସନକୁ ନିଜ ଅକ୍ତିଆରକୁ ନେଇଥିଲା। ତେଣୁ ୨୪ପାଇଁ ହେଉଛି ଆକ୍ସନ ପ୍ଲାନ।
ସମ୍ବଲପୁର-୨୪ ନିର୍ବାଚନ ପାଇଁ ସମ୍ବଲପୁରକୁ ସ୍ବତନ୍ତ୍ର ଫୋକସ୍ କରିଛି ଦଳ। କୁହାଯାଉଛି ଏହି ଆସନରୁ ଏମପି ପ୍ରାର୍ଥି ଭାବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଇଦାନକୁ ଓହ୍ଲାଇପାରନ୍ତି । ଏମିତିରେ ବି ଧର୍ମେନ୍ଦ୍ର ପଶ୍ଚିମ ଓଡିଶାକୁ ଘନ ଘନ ଗସ୍ତ କରୁଛନ୍ତି । ସରକାରୀ ଓ ଦଳିୟ କାର୍ଯ୍ୟକ୍ରମରେ ଧର୍ମେନ୍ଦ୍ରଙ୍କ ଉପସ୍ଥିତି ଅଧିକା ଦେଖିବାକୁ ମିଳୁଛି । ଯଦି ସମ୍ବଲପୁରରେ ଧର୍ମେନ୍ଦ୍ର ନିର୍ବାଚନ ଲଢନ୍ତି ଏକ ବଡ ଲଢେଇର ସମ୍ଭାବନା ରହିଛି। ସେହି ଦୃଷ୍ଟିରୁ ବିଜେପିର ଅଧିକ ଫୋକସରେ ଏହି ଆସନ ଥିବା କୁହାଯାଉଛି ।
ବାଲେଶ୍ବର-ଗତଥର ବାଲେଶ୍ବର ଲୋକସଭା ଆସନ ବିଜେପି ଜିତି ଥିବାରୁ ପୁଣି ରିପିଟ୍ ପାଇଁ ଦଳ ପ୍ରୟାସ କରିବା ଏକ ପ୍ରକାର ନିଶ୍ଚିତ ବୋଲି ଚର୍ଚ୍ଚା ହେଉଛି । ଏପରିକି କେନ୍ଦ୍ର ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ୨୪ରେ ଏଠାରୁ ଲଢିପାରନ୍ତି। ବିଜେପିର ସ୍ଥାନୀୟ ସଙ୍ଗଠନ ଓ ଆଗଧାଡିର ନେତାଙ୍କୁ ନେଇ ଏଥିପାଇଁ ଦଳ ସ୍ବତନ୍ତ୍ର ଋଣନୀତି ପ୍ରସ୍ତୁତ କରୁଥିବା କୁହାଯାଉଛି ।
ମୟୁରଭଞ୍ଜ –ଗତଥର ଏଠାରୁ ଜିତି ଏବେ କେନ୍ଦ୍ରମନ୍ତ୍ରୀ ଅଛନ୍ତି ବିଶ୍ବେଶ୍ବର ଟୁଡୁ। ବିଶେଷ କରି ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁଙ୍କ ଜିଲ୍ଲା ହୋଇଥିବାରୁ ଏଥର ବିଜେପି ଏହି ଆସନକୁ ଅଧିକ ଫୋକସ କରିପାରେ ବୋଲି ଚର୍ଚ୍ଚା ହେଉଛି । ନୂଆ ପ୍ରାର୍ଥୀ ସାଙ୍ଗକୁ ଆଦିବାସୀ ଭୋଟ କିଭଳି ଦଳ ହାସଲ କରିବ ସେନେଇ ଦଳ ପକ୍ଷରୁ ଅଙ୍କକଷା ଆରମ୍ଭ ହୋଇଛି। ଏପରିକି ସ୍ଥାନୀୟ ଅଂଚଳରେ ବିଜେପିର ପକେଟ୍ ଭୋଟ ଥିବାରୁ ଦଳ ପୁଣି ବାଜିମାତ୍ କରିବାକୁ ଲକ୍ଷ୍ୟ ରଖିଛି ।
ଢେଙ୍କାନାଳ-ଗତ ନିର୍ବାଚନରେ ପ୍ରାୟ ତିନି ପ୍ରତିଶତ ଭୋଟ ବ୍ୟବଧାନରେ ଏହି ଆସନରୁ ହାରିଥିଲା ବିଜେପି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସ୍ଥାନୀୟ ଅଂଚଳ ହୋଇଥିବାରୁ ଏଥର ବିଜେପି ଢେଙ୍କାନାଳ ଆସନକୁ ଅଧିକ ଗୁରୁତ୍ବ ଦେଉଥିବା ଚର୍ଚ୍ଚା ହେଉଛି। ବିଶେଷ କରି କେନ୍ଦ୍ରୀୟ ଓ ଦଳୀୟ କାର୍ଯ୍ୟକ୍ରମରେ ଏହି ଜିଲ୍ଲାରେ ମାରାଥନ୍ କାର୍ଯ୍ୟକ୍ରମ କରୁଛନ୍ତି ଧର୍ମେନ୍ଦ୍ର। ତେଣୁ ଏକ ବିଗ୍ ଫାଇଟ୍ ସଂଭାବନା ଥିବାରୁ ବିଜେପି ନିଜର ଯୋଜନା ପ୍ରସ୍ତୁତ କରୁଥିବା ଦଳୀୟ ଅନ୍ଦର ମହଲରେ ଚର୍ଚ୍ଚା ହେଉଛି ।
ପୁରୀ-ଏମିତିରେ ବି ବିଜେପି ଓ ବିଜେଡିର ଫୋକସରେ ରହିଛି ପୁରୀ ଆସନ । ଗତଥର ପ୍ରାୟ ୩ ପ୍ରତିଶତ ଭୋଟରେ ହାରିଥିଲା ଦଳ। ଏଠାରେ ପ୍ରାର୍ଥୀ ରିପିଟ୍ କରି ପୁଣିଥରେ ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ରଙ୍କୁ ବିଜେପି ପୁଣିଥରେ ଟିକଟ୍ ଦେବାର ସମ୍ବାବନା ଅଧିକ । ଏପରିକି ସମ୍ବିତ୍ ନିଜେ ପୁରୀ ଜିଲ୍ଲାର ବିଭିନ୍ନ ଅଂଚଳକୁ ଯାଇ ସଭା ସମତି ଓ କାର୍ଯ୍ୟକ୍ରମରେ ସାମିଲ ହେବା ସହ ଲୋକଙ୍କୁ ଭେଟୁଥିବା ଦେଖିବାକୁ ମିଳୁଛି । ତେଣୁ ବିଜେପି ପୁରୀକୁ ସ୍ବତନ୍ତ୍ର ଫୋକସ କରୁଛି ।
ଏମିତିରେ ବି ମୋଦିଙ୍କ ନାଁ ଏବଂ ଓଡିଶାରେ କେନ୍ଦ୍ରୀୟ ଯୋଜନା ଓ ଅନୁଦାନ ନେଇ ବିଜେପି ରାଜ୍ୟରେ ଲୋକଙ୍କ ପାଖକୁ ଯିବା ପାଇଁ ନିଷ୍ପତ୍ତି ନେଇଛି । ତେଣୁ ସଙ୍ଗଠନ ଏବଂ ଯୋଜନା ଆଧାରରେ ଆଗକୁ ଦଳ ପ୍ରସ୍ତୁତ ହେଉଥିବା କହିଛନ୍ତି ରାଜନୈତିକ ସମୀକ୍ଷକ ।
୨୪ ନିର୍ବାଚନ ପାଇଁ ୯୫ ପ୍ରତିଶତ ବୁଥ୍ ସ୍ତରୀୟ କମିଟି ଗଠନ କରିଛି ଦଳ। ଘରକୁ ଘର ବୁଲି ରାଜ୍ୟ ସରକାରଙ୍କ ବିଫଳତା ଓ କେନ୍ଦ୍ରର ସଫଳତା ନେଇ ନେତା ଗାଁ ମୁହା ହେବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏସବୁ ଭିତରେ କେନ୍ଦ୍ରୀୟ ବିଜେପିର ଓଡିଶା ପ୍ଲାନ କେତେ ସଫଳ ହେବ ତାକୁ ନେଇ ରାଜନୈତିକ ମହଳରେ ଚର୍ଚ୍ଚା ହେଉଛି ।