ନଭେମ୍ବର ପହିଲାରେ କଳାହାଣ୍ଡି ଗସ୍ତ କରିବେ ମୁଖ୍ୟମନ୍ତ୍ରୀ…୨୦୨୪ ଭୋଟ ପୂର୍ବରୁ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟକ୍ରମକୁ ନେଇ ଚର୍ଚ୍ଚା ଜୋର…ନର୍ଲାକୁ ଦ୍ବିତୀୟ ଆସନ ବାଛିବା ନେଇ ଆକଳନ…ବିରୋଧୀ କହିଲେ ଫାଇଟ ପାଇଁ ପ୍ରସ୍ତୁତ…
ପ୍ରଗତିର ରାସ୍ତାରେ କଳାହାଣ୍ଡି। ଆଉ ତାହାକୁ ଅଧିକ କ୍ରିୟାଶୀଳ କରାଉଛନ୍ତି ରାଜ୍ୟ ସରକାର। ସେହିକ୍ରମରେ ନଭେମ୍ବର ପହିଲାରେ କଳାହାଣ୍ଡି ଯାଇ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ। ହେଲେ ୨୪ ଭୋଟ ପୂର୍ବରୁ ନବୀନ ଗସ୍ତକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା। କୁହାଯାଉଛି ଆଗାମୀ ନିର୍ବାଚନରେ ପଶ୍ଚିମରୁ ଲଢିପାରନ୍ତି ନବୀନ। ସମୀକ୍ଷକ ବି ସେଭଳି କିଛି ସଂକେତ ଦେଉଛନ୍ତି । ଆଉ ବିରୋଧୀ କହିଛନ୍ତି ଫାଇଟ ପାଇଁ ଆମେ ପ୍ରସ୍ତୁତ।
କଳାହାଣ୍ଡି ପ୍ରତିଷ୍ଠା ଦିବସରେ ଜିଲ୍ଲା ଗସ୍ତ କରିବେ ମୁଖ୍ୟମନ୍ତ୍ରୀ। ନଭେମ୍ବର ପହିଲାରେ କଳାହାଣ୍ଡି ଗସ୍ତରେ ଯାଇ ଅନେକ ପ୍ରକଳ୍ପର ଶୁଭାରମ୍ଭ କରିବେ। ଦକ୍ଷିଣ ଓଡ଼ିଶା ପରେ ଏବେ ପଶ୍ଚିମରେ ଲକ୍ଷ୍ମୀ ବସ୍ ଗଡିବ। ଲକ୍ଷ୍ମୀ ବସ୍ ସହ ରେଣ୍ଡୋ ମାଝି ମେଡ଼ିକାଲ କଲେଜ, କୃଷି ଓ ଜଳସେଚନ ପ୍ରକଳ୍ପ, ବସ ଷ୍ଟାଣ୍ଡ ଭଳି ଏକାଧିକ ପ୍ରକଳ୍ପର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ। ତେବେ କେବଳ କଳାହାଣ୍ଡି ନୁହେଁ ବରଂ ପୁରା ପଶ୍ଚିମ ଓଡ଼ିଶାକୁ ଫୋକସ କରିଛନ୍ତି ସରକାର। ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅନୁଦାନ ବୃଦ୍ଧି, ଜଳସେଚନ ପ୍ରକଳ୍ପ, ସ୍ଵତନ୍ତ୍ର ଉନ୍ନୟନ ପରିଷଦ, ବିଭିନ୍ନ ସମ୍ପ୍ରଦାୟ ପାଇଁ ସ୍ବତନ୍ତ୍ର ପ୍ୟାକେଜ ଘୋଷଣା ଆଦି ପ୍ରମୁଖ ଉଦାହରଣ। ତେବେ ନିର୍ବାଚନ ପାଇଁ ପ୍ରସ୍ତୁତି ଜୋର ଧରିଥିବା ବେଳେ ରାଜନୀତିକ ଦୃଷ୍ଟି କୋଣରୁ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ବେଶ ଗୁରୁତ୍ଵ ରଖୁଛି। କାରଣ ୨୦୧୯ ପରି ୨୦୨୪ରେ ବି ମୁଖ୍ୟମନ୍ତ୍ରୀ ପଶ୍ଚିମ ଓଡ଼ିଶାରୁ ଲଢ଼ିବା ନେଇ ଚର୍ଚ୍ଚା ହେଉଛି ।
୨୦୧୯ରେ ମୁଖ୍ୟମନ୍ତ୍ରୀ ହିଞ୍ଜିଳି ସମେତ ବରଗଡର ବିଜେପୁରକୁ ଦ୍ବିତୀୟ ଆସନ ଭାବେ ବାଛିଥିଲେ। ନବୀନଙ୍କ ପ୍ରାର୍ଥିତ୍ଵ ଦଳକୁ ଫାଇଦା ଦେଇଥିବା ବେଳେ ୨୦୨୪ରେ ବି ଦ୍ଵିତୀୟ ଆସନ ଭାବେ ପଶ୍ଚିମ ଓଡ଼ିଶାରୁ ଲଢ଼ିପାରନ୍ତି। ପୂର୍ବରୁ ନର୍ଲା ବିଧାୟକ ଭୂପିନ୍ଦର ସିଂ ଏଭଳି କିଛି ସଂକେତ ଦେଇଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ଚର୍ଚ୍ଚାକୁ ଅଧିକ ବଳ ଯୋଗାଇଛି। କୁହାଯାଉଛି କଳାହାଣ୍ଡି ଲୋକସଭାର କ୍ଷେତ୍ରର କୌଣସି ଏକ ଆସନ ନବୀନଙ୍କ ଦ୍ଵିତୀୟ ଆସନ ହୋଇପାରେ। ଆଉ ବିରୋଧୀ ବି ଲଢେଇ ପାଇଁ ମୋର୍ଚ୍ଚା ଖୋଲିଲେଣି ।
୨୦୧୯ ପରେ କଳାହାଣ୍ଡି ଉପରେ ମୁଖ୍ୟମନ୍ତ୍ରୀଙ୍କ ବିଶେଷ ନଜର ରହିଛି। ୨୦୨୧ ଜାନୁଆରୀରେ ଲୋୟର ଇନ୍ଦ୍ରାବତୀ ଜଳସେଚନ ପ୍ରକଳ୍ପ ସମେତ ପାନୀୟ ଜଳ, ବିଦ୍ୟୁତ୍ ପ୍ରକଳ୍ପ, ରାସ୍ତା ନିର୍ମାଣ ଭଳି ପ୍ରାୟ ଅଢେଇ ହଜାର କୋଟି ଟଙ୍କାର ପ୍ରକଳ୍ପ ଶିଳାନ୍ୟାସ ଓ ଶୁଭାରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ। ଆଉ ୨୪ ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତ ରାଜନୀତିରେ ଚର୍ଚ୍ଚା ପାଇଁ ଖୋରାକ ଯୋଗାଇଛି ।